ଭବାନୀପାଟଣା ଠାରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ ହୋଇଯାଇଛି

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ପୁରାତନ ଯୁଗରୁ ପରମ୍ପରା ଅନୁଯାୟୀ ପାଳିତ ହୋଇ ଆସୁଥିବା କଳାହାଣ୍ଡିର ଇଷ୍ଟଦେବୀ ମା’ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆଜି ଆଶ୍ୱିନ ମାସ ଶୁକ୍ଳ ପକ୍ଷ ମହାନବମୀ ତିଥିରେ ମହା ଆଡମ୍ବରରେ ସମ୍ପନ୍ନ ହୋଇଯାଇଛି। ପରମ୍ପରା ଅନୁଯାୟୀ ଗତକାଲି ମହାଷ୍ଟମୀ ରାତି ମା’ଙ୍କ ପୀଠରେ ତନ୍ତ୍ର ମତରେ ଗୁପ୍ତ ପୂଜା ପରେ ମଧ୍ୟ ରାତ୍ରରେ ମା’ଙ୍କ ଛତର ମନ୍ଦିରରୁ କଢ଼ାଯାଇ ସେଠାରୁ ପ୍ରାୟ ୩. ୫ କି.ମି ଦୂର ପରଦେଶୀ ପଡା ସ୍ଥିତ ଜେନାଖାଲ ନାମକ ସ୍ଥାନକୁ ନିଆଯାଇଥିଲା। ସେଠାରେ ସ୍ଥିତ ମା’ଜେମାଦେଇଙ୍କ ସହ ମା’ମାଣିକେଶ୍ବରୀଙ୍କ ରାତି ତମାମ ଗୁପ୍ତ ତନ୍ତ୍ର ବିଧିରେ ପୂଜାପାଠ କରାଯାଇ ମନ୍ତ୍ର ଜରିଆରେ ବୋଦା ବଳି ଦିଆଯାଇଥିଲା। ଏହାପରେ ଆଜି ଭୋର ପ୍ରାୟ ୫ ଟା ସମୟରେ ମା’ଙ୍କ ଛତର ଜେନାଖାଲରୁ ବାହାରି ଭକ୍ତଙ୍କ ଗହଣରେ, ଘଣ୍ଟ ବାଦ୍ୟ ଓ ଘୁମୁରାର ତାଳେ ତାଳେ ଝୁମି ଝୁମି ଆସି ରାଜବାଟି ମୁଖ୍ୟ ଦ୍ୱାର ସମ୍ମୁଖରେ ପ୍ରାୟ ସକାଳ ୭.୪O ସମୟରେ ପହଞ୍ଚିଥିଲେ। ଏହାପରେ ନବମୀ ତିଥି ଲାଗିବାପରେ କଳାହାଣ୍ଡି ରାଜ ପରିବାର ତରଫରୁ ମା’ଙ୍କୁ ନିୟମାନୁଯାୟୀ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ମନ୍ଦିର ପରିସର ମଧ୍ୟରେ ମା’ମାଣିକେଶ୍ବରୀ ଓ ବୁଢ଼ାରାଜା(ଭୈରବ)ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ମା’ଙ୍କୁ ମନ୍ଦିରର ଗର୍ଭଗୃହକୁ ନିଆଯାଇଥିଲା। ଏହି ଅବସରରେ ଓଡିଶାର ଅନେକ ଜିଲ୍ଲାରୁ ତଥା ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ଏହାଛଡା ଆସାମର ପ୍ରସିଦ୍ଧ କାମାକ୍ଷା ପୀଠରୁ ଉଚ୍ଚ ସ୍ତରର ଅଘୋର ସନ୍ୟାସୀ ଓ ମହାତାନ୍ତ୍ରିକଙ୍କ ଏକ ମଣ୍ଡଳୀ ମଧ୍ୟ ଆସି ପ୍ରତ୍ୟକ୍ଷ ଦେବୀ ମାଣିକେଶ୍ବରୀ(ଛିନ୍ନମସ୍ତା)ଙ୍କ ପୂଜାର୍ଚ୍ଚନା ଓ ଆରାଧନା କରିଥିଲେ।ଏହି ଅବସରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିବାବେଳେ, ମାନସିକ ଧାରୀଙ୍କ ଦ୍ୱାରା ହଜାର ହଜାର ସଂଖ୍ୟାରେ ବୋଦା, କୁକୁଡ଼ା ଆଦି ପଶୁ ପକ୍ଷୀଙ୍କ ବଳି ଦିଆଯାଇଥିଲା। ଆଜିର ଏହି ଛତର ଯାତ୍ରା ଶୃଙ୍ଖଳିତ ଭାବରେ ଯେପରି ପାଳିତ ହୋଇପାରିବ, ଏନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ତରଫରୁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୫ ପ୍ଳାଟୁନ ପୋଲିସ ଫୋର୍ସ ଓ ୯୫ ଜଣ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଏଥିସହ ଜନଗହଳି ପୂର୍ଣ୍ଣ ଯାତ୍ରା ପଥ ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ୨୫ ଗୋଟି ସିସିଟିଭି କେମେରା ଲଗାଯାଇଥିବା ସହ ଡ୍ରୋନ ଗୁଡିକ ଦ୍ୱାରା ଭିଡର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା।
