ଡୁମେରମୁଣ୍ଡା ବିଦ୍ୟାଳୟ ଜମିକୁ ନେଇ ବିବାଦ..

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମରେ ଥିବା ବିଦ୍ୟାଳୟ ଜମିକୁ ନେଇ ବିବାଦ ଦେଖାଦେଇଛି।ଘଟଣାରୁ ପ୍ରକାଶ ଯେ କଲମପୁର ବ୍ଲକ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମରେ ଗ୍ରାମବାସୀଙ୍କ ଉଦ୍ୟମରେ ୧୯୬୬ ମସିହାରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା। ଏହି ସରକାରୀ ବିଦ୍ୟାଳୟ ପାଇଁ ଗ୍ରାମବାସି କମଲସିଂ ବେପାରି ନାମକ ବ୍ୟକ୍ତିଙ୍କ ଠାରୁ ଜମି ଖରିଦ କରିଥିଲେ ଓ ଏହି ଜମିର ଦଲିଲ ଭାବରେ କଲମପୁର ତହସିଲ କାର୍ଯ୍ୟାଳୟରେ କେବଳ ଏକ ହସ୍ତଲେଖା ଦଲିଲ ଅଛି।ବର୍ତ୍ତମାନ ବିଦ୍ୟାଳୟର ଉନ୍ନତିକରଣ ପାଇଁ ସରକାରଙ୍କ ତରଫରୁ ନୂତନ କୋଠରୀମାନ ନିର୍ମିତ କରାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ବିରୋଧକରି କମଲସିଂ ବେପାରୀଙ୍କ ଉତ୍ତରାଧିକାରୀ ପୁରୁଣା ଦଲିଲକୁ ନେଇ ଏହି ବିଦ୍ୟାଳୟ ଜମି ଉପରେ ନିଜର ମାଲିକାନା ଜାହୀର କରି ଅତିଶୀଘ୍ର ବିଦ୍ୟାଳୟ କୋଠରୀ ଗୁଡିକୁ ଭାଙ୍ଗି ଜାଗା ଖାଲି କରିବା ପାଇଁ ଗ୍ରାମବାସି ଓ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ତାଗିଦ କରିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି ଓ ଏନେଇ କିଛି ଗ୍ରାମବାସୀ ଓ କମଲସିଂଙ୍କ ପୁଅଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ କମଲସିଂଙ୍କ ପୁଅ ବଡକୁଟରୁ ଫାଣ୍ଡିରେ କିଛି ଗ୍ରାମବାସୀଙ୍କ ବିରୋଧରେ ଏକ ଏତାଲା ଦେଇଥିବା ଜଣାପଡିଛି।ସ୍ଥାନୀୟ ତହସିଲଦାର ଶ୍ରୀମତୀ ସ୍ମରଣିକା ତୁଳ,ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଦୁହିତା ମାଝୀ,ନରସିଂହ ମାଝୀ, ରାଜେନ୍ଦ୍ର ଆଗ୍ରୱାଲ,ଭୋଳାନାଥ ମାଝୀ,ଦିବାଲି ନାଏକ,ଜାସ୍ମିନ ନାଏକ,ମୁରଲୀଧର କଣ୍ଟା ପ୍ରମୁଖଙ୍କ ନେତୃତ୍ୱରେ ଶହ ଶହ ଗ୍ରାମବାସି କଲମପୁର ଥାନାର ଦ୍ୱାରସ୍ଥ ହୋଇ ଏକ ଏତଲା ଦେଇଛନ୍ତି।ଥାନା ଅଧିକାରିଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ବିଦ୍ୟାଳୟରେ ପାଠ ପଢୁଥିବା ପିଲାଙ୍କ ଭବିଷ୍ୟତ ଯେପରି ଅନ୍ଧାର ହୋଇନଯାଉ।ସେଥି ପାଇଁ ଥାନା ଅଧିକାରୀ ଏହି ମାମଲାର ଗମ୍ଭୀରତା ବୁଝି ମାମଲାଟିର ଶୀଘ୍ର ସମାଧାନ କରନ୍ତୁ ବୋଲି ଗ୍ରାମବାସି ଅନୁରୋଧ କରିଛନ୍ତି।
