August 20, 2026

ବିଶ୍ୱ ଫୋଟୋଗ୍ରାଫି ଦିବସରେ ଫୋଟୋ ପ୍ରଦର୍ଶନୀ ଫଟୋରେ ଫୁଟିଉଠିଲା ସମ୍ବଲପୁରର ସଂସ୍କୃତି, ପରମ୍ପରା ଓ ଐତିହ୍ୟ

IMG-20260819-WA0059
Share

ସମ୍ବଲପୁର, ୧୯/୦୮: ବିଶ୍ୱ ଫୋଟୋଗ୍ରାଫି ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଭବନଠାରେ ଏକ ଆକର୍ଷଣୀୟ ଫୋଟୋ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ପ୍ରଦର୍ଶନୀଟି ଆସନ୍ତା ୨୧ ଅଗଷ୍ଟ ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ଖୋଲା ରହିବ।

 

ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହା ପୂର୍ବରୁ ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସୁବାଷ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ଫୋଟଗ୍ରାଫର ତଥା ନାଟରାଜ ଷ୍ଟୁଡିଓର ପ୍ରତିଷ୍ଠାତା ସ୍ୱର୍ଗତ ରାମକୃଷ୍ଣ ସାମନ୍ତରାଏଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

 

ମୁଖ୍ୟ ଅତିଥି ଶ୍ରୀ ପଣ୍ଡା କହିଥିଲେ ଯେ, ଫୋଟୋ କେବଳ ଏକ ଚିତ୍ର ନୁହେଁ, ଏହା ଇତିହାସ, ସଂସ୍କୃତି ଓ ପରମ୍ପରାର ଏକ ଜୀବନ୍ତ ଦଲିଲ। ସମୟର ଗତି ସହିତ ଅନେକ ଘଟଣା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟ ହଜିଯାଉଥିବା ବେଳେ ଫୋଟୋଗ୍ରାଫି ସେଗୁଡ଼ିକୁ ସଂରକ୍ଷଣ କରି ଆଗାମୀ ପିଢ଼ି ପାଇଁ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ। ଏ ଦିଗରେ କାର୍ଯ୍ୟରତ ଫୋଟଗ୍ରାଫରମାନଙ୍କୁ ସେ ପ୍ରଶଂସା କରିଥିଲେ।

 

ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସଂଘର ସାଧାରଣ ସମ୍ପାଦକ ଶଙ୍କର ବେହେରା ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ରଖିଥିଲେ। ଉପସଭାପତି କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

 

ପ୍ରଦର୍ଶନୀରେ ପ୍ରକୃତି, ଜୀବଜନ୍ତୁ, ସମ୍ବଲପୁରର ଐତିହ୍ୟ, ପରମ୍ପରା, ଲୋକଜୀବନ ଏବଂ ଇତିହାସର ବିଭିନ୍ନ ଘଟଣାବଳୀକୁ ନେଇ ଫୋଟଗ୍ରାଫରମାନଙ୍କ ଦ୍ୱାରା ଉତ୍ତୋଳିତ ଅନେକ ଦୁର୍ଲଭ ଓ ଆକର୍ଷଣୀୟ ଫୋଟୋ ସ୍ଥାନ ପାଇଛି। ପ୍ରତ୍ୟେକ ଫୋଟୋ ନିଜ ଭାଷାରେ ଅତୀତ ଓ ବର୍ତ୍ତମାନର କାହାଣୀ କହୁଥିବା ବେଳେ ଦର୍ଶକଙ୍କୁ ସମ୍ବଲପୁରର ସମୃଦ୍ଧ ଐତିହ୍ୟ ସହ ଯୋଡ଼ିବାର ପ୍ରୟାସ କରିଛି।

 

ସାଧାରଣ ସମ୍ପାଦକ ଶ୍ରୀ ବେହେରାଙ୍କ ସୂଚନା ଅନୁଯାୟୀ, ପ୍ରଦର୍ଶନୀଟି ପୂର୍ବାହ୍ନ ଓ ସନ୍ଧ୍ୟା ସମୟରେ ଦର୍ଶକଙ୍କ ପାଇଁ ଖୋଲା ରହିବ। ବିଶେଷକରି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀ ପରିଦର୍ଶନ କରିବାକୁ ସଂଘ ପକ୍ଷରୁ ଆହ୍ୱାନ କରାଯାଇଛି।

 

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଫୋଟଗ୍ରାଫର ଆଶିଷ ପ୍ରଧାନ, ଅରବିନ୍ଦ ମିଶ୍ର, ରଞ୍ଜିତ ସାହୁ, କରୁଣାକର ଶତପଥୀ, ଚିତ୍ତରଞ୍ଜନ ବଡ଼ପଣ୍ଡା, ପ୍ରଶାନ୍ତ ପ୍ରଧାନ, ସୌରଭ ଜେନାଙ୍କ ସମେତ ସାମ୍ବାଦିକ ପ୍ରିୟରଞ୍ଜନ ସାହୁ, ସଞ୍ଜୟ ଜେନା, ଶିବଶଙ୍କର ନନ୍ଦ, ସବିତା ମିଶ୍ର, ଭବାନୀ ଶଙ୍କର ଭୋଇ ଏବଂ ସଂସ୍କୃତିପ୍ରେମୀ ଶ୍ୟାମସୁନ୍ଦର ଅଗ୍ରୱାଲ, ସଞ୍ଜୟ ବାବୁ, ନନ୍ଦଲାଲ ଦାସ, କଳ୍ପନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।