August 20, 2026

   ‘ଝଲକି’ ଫଟୋ ପ୍ରଦର୍ଶନୀ ଉଦ୍‌ଘାଟିତ ୪୪ ଫଟୋଗ୍ରାଫର୍‌ଙ୍କ ୧୪୭ ଫଟୋରେ ଝଲସିଲା ଓଡ଼ିଶାର ପ୍ରକୃତି, ସଂସ୍କୃତି ଓ ଜୀବନ

IMG-20260819-WA0052
Share

 

ସମ୍ବଲପୁର, ୧୯/୮: ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସମ୍ବଲପୁର ପ୍ରଫେସନାଲ ଫଟୋଗ୍ରାଫର୍ସ ଆସୋସିଏସନ୍‌ (SPPA) ପକ୍ଷରୁ ଆୟୋଜିତ ‘ଝଲକି’ ଫଟୋଗ୍ରାଫି ପ୍ରଦର୍ଶନୀ ବୁଧବାର ରିଜିଓନାଲ ଆର୍ଟ ଗ୍ୟାଲେରୀରେ ଉଦ୍‌ଘାଟିତ ହୋଇଛି। ସମ୍ବଲପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ସିଦ୍ଧେଶ୍ୱର ବଲିରାମ ବୋଣ୍ଡାର, ଆଇଏଏସ୍‌ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ।

 

ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୪୪ ଜଣ ଫଟୋଗ୍ରାଫର୍‌ଙ୍କ ୧୪୭ଟି ମନୋନୀତ ଫଟୋ ସ୍ଥାନ ପାଇଛି। ବନ୍ୟଜନ୍ତୁ, ପ୍ରକୃତି, ଷ୍ଟ୍ରିଟ୍‌, ଜୀବନଶୈଳୀ, ପର୍ଯ୍ୟଟନ ଓ ସଂସ୍କୃତି ଭଳି ବିଭିନ୍ନ ବିଷୟକୁ ନେଇ ଫଟୋଗୁଡ଼ିକ ପ୍ରଦର୍ଶିତ ହୋଇଛି।

 

ଏହି ଫଟୋଗୁଡ଼ିକରେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ବନ୍ୟଜନ୍ତୁଙ୍କ ଜୀବନ, ଐତିହ୍ୟ ଓ ପରମ୍ପରା, ପର୍ଯ୍ୟଟନସ୍ଥଳୀ ଏବଂ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନର ବିଭିନ୍ନ ଦୃଶ୍ୟକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ଫଟୋଗ୍ରାଫର୍‌ମାନଙ୍କ ସୃଜନଶୀଳ ଦୃଷ୍ଟିକୋଣରେ ଓଡ଼ିଶାର ଅନେକ ଅକୁହା କାହାଣୀ ଏହି ପ୍ରଦର୍ଶନୀରେ ଜୀବନ୍ତ ହୋଇଛି।

 

ଉଦ୍‌ଘାଟନୀ ସମାରୋହରେ ଜିଲ୍ଲାପାଳ ବୋଣ୍ଡାର ‘ଝଲକି’ ପ୍ରଦର୍ଶନୀର ଆୟୋଜନକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଆସୋସିଏସନ୍‌ର କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ସମ୍ବଲପୁର ଓ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ନେଇ ଏକ ‘କଫି ଟେବୁଲ୍‌ ବୁକ୍‌’ ପ୍ରକାଶ କରିବାକୁ ସେ ଫଟୋଗ୍ରାଫର୍‌ମାନଙ୍କୁ ପରାମର୍ଶ ଦେଇଥିଲେ। ଏଭଳି ପ୍ରୟାସ ଅଞ୍ଚଳର ସାଂସ୍କୃତିକ ଓ ପର୍ଯ୍ୟଟନ ପରିଚୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ସହାୟକ ହେବ ବୋଲି ସେ ମତ ଦେଇଥିଲେ।

 

ବରିଷ୍ଠ ଫଟୋଗ୍ରାଫର୍‌ ଶାଶ୍ୱତ ପାଢ଼ୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପ୍ରଦର୍ଶିତ ଫଟୋଗୁଡ଼ିକର କଳାତ୍ମକ ମାନକୁ ପ୍ରଶଂସା କରିଥିଲେ। ଓଡ଼ିଶାର ଲୋକଜୀବନ, ସ୍ୱଦେଶୀ ଐତିହ୍ୟ, ପରମ୍ପରା ଓ ଅସଲ କାହାଣୀକୁ ଫଟୋ ମାଧ୍ୟମରେ ନିରନ୍ତର ଭାବେ ଦଲିଲଭୁକ୍ତ କରିବାକୁ ସେ ଫଟୋଗ୍ରାଫର୍‌ମାନଙ୍କୁ ଆହ୍ୱାନ ଦେଇଥିଲେ।

 

ସମ୍ବଲପୁରର ରିଙ୍ଗ୍‌ ରୋଡ୍‌ସ୍ଥିତ ଖେତରାଜପୁର ଥାନା ନିକଟ ଓଡ଼ିଶା ଲଳିତ କଳା ଏକାଡେମୀର ରିଜିଓନାଲ ଆର୍ଟ ଗ୍ୟାଲେରୀରେ ଏହି ପ୍ରଦର୍ଶନୀ ଅଗଷ୍ଟ ୧୯ ଓ ୨୦ ତାରିଖ ଦୁଇଦିନ ଧରି ଚାଲିବ।

 

ଆସୋସିଏସନ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲଳିତ ରୋହିଦାସ, ସଭାପତି ଆନନ୍ଦ ମୋହନ ଦାଶ ଓ ସମ୍ପାଦକ ଶିଶିର କରଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରଦର୍ଶନୀକୁ ନେଇ ଫଟୋପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।