ନିରବ ସାହିତ୍ୟ ସାଧକ ଭଗବାନ ମେହେରଙ୍କ ୧୩୫ ତମ ଜୟନ୍ତି ..
ବରପାଲି – (ସୁଦାମ ଦୀପ)ନିରବ ସାହିତ୍ୟ ସାଧକ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସୁପୁତ୍ର ତଥା ଆମର ଜେଜେବାପା କବିପୁତ୍ର ଭାଗବାନ ମେହେରଙ୍କ 135 ତମ ଜୟନ୍ତୀ ଅବସରରେ ସେହି ମହାନ୍ ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ l ସେ ଥିଲେ ଜଣେ ଉଚ୍ଚକୋଟିର ସାହିତ୍ୟ ସାଧକ, ସମାଜସେବୀ ଓ ଆଦର୍ଶ ଚାଷୀ l ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ ମଧ୍ୟ ଓଡ଼ିଆ ସହିତ ନିଜ ଚେଷ୍ଟା ବଳରେ ହିନ୍ଦି, ଇଂରାଜୀ, ବଙ୍ଗଳା ଓ ସଂସ୍କୃତ ଭାଷାରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିଥିଲେ l ତାଙ୍କ ଲିଖିତ କବିତା ପୁସ୍ତକ ‘ଚୟନିକା’ ସାହିତ୍ୟିକ ମହଲରେ ଖୁବ୍ ଆଦୃତ ହୋଉଛି l କବି ଗଙ୍ଗାଧର ମେହେରଙ୍କ ପ୍ରାମାଣିକ ଜୀବନୀ ‘ପିତୃ ପ୍ରସଙ୍ଗ’ ଲେଖି 1971 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ l ନାରୀ ଶିକ୍ଷା ପାଇଁ ବାଳିକା ସ୍କୁଲ ପ୍ରତିଷ୍ଠା କରିବା ସହିତ ହାଇ ସ୍କୁଲ ପ୍ରତିଷ୍ଠା, କଲେଜ ପ୍ରତିଷ୍ଠା, କବି ଗଙ୍ଗାଧରଙ୍କ ସମାଧି ମନ୍ଦିର ନିର୍ମାଣ, ଗଙ୍ଗାଧର ଷ୍ଟାଚ୍ୟୁ (1945) ନିର୍ମାଣ, ଗଙ୍ଗାଧର ସ୍ମୃତି ଭବନ ନିର୍ମାଣ ଆଦିରେ ତାଙ୍କ ଅବଦାନ ରହିଥିଲା l ସେ ବରପାଲିର ପ୍ରଥମ ସରପଞ୍ଚ, ପ୍ରଥମ ବ୍ଲକ୍ ଚେୟାରମ୍ୟାନ, ଗ୍ରେନଗୋଲା ସଭାପତି ଆଦି ରହିଥିଲେ l ସେ ସମୟରେ କିଛି ବର୍ଷ ପାଇଁ ସରକାର ତାଙ୍କୁ ଅବୈତନିକ ମାଜିଷ୍ଟ୍ରେଟ କ୍ଷମତା ମଧ୍ୟ ପ୍ରଦାନ କରିଥିଲେ l ତାଙ୍କ କୃତି ସମ୍ପର୍କରେ ଏକ ପୁସ୍ତକ ପ୍ରକାଶିତ ହୋଇଥିଲା l
