ଫେକ ୟୁ.ପି.ଆଇ ଏପ ମାଧ୍ୟମରେ ଠକେଇ କରୁଥିବା ଯୁବକ ଗିରଫ
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ ସହରରେ ଗତ କିଛି ଦିନ ହେବ ବିଶ୍ୱଜିତ ଦାସ ନାମକ ଜଣେ ଯୁବକ ଫେକ ୟୁ.ପି.ଆଇ ଏପ ମାଧ୍ୟମରେ ଟଙ୍କା ପୈଠରେ ଠକେଇ କରୁଥିବା ନେଇ ଗିରଫ ହୋଇଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଜୁନାଗଡ଼ ସହରର ବିଭିନ୍ନ ଦୋକାନ ମାନଙ୍କରୁ ଜିନିଷ କିଣି ଫେକ ୟୁ.ପି.ଆଇ ଏପ ମାଧ୍ୟମରେ ଟଙ୍କା ପୈଠ କରିବାର ଭ୍ରମ ସୃଷ୍ଟି କରିଆସୁଥିଲେ। ଅଭିଯୁକ୍ତ ଜଣକ ବ୍ୟବସାୟୀଙ୍କୁ ମୋବାଇଲ ସ୍କ୍ରିନରେ ଟଙ୍କା ପୈଠ ହୋଇଥିବା ଦେଖାଇ ଜିନିଷ ପତ୍ର ନେଇ ଯାଉଥିଲା। କିନ୍ତୁ ବ୍ୟବସାୟୀଙ୍କ ମୋବାଇଲରେ ଟଙ୍କା ପଡ଼ିଥିବା ନେଇ କୌଣସି ସୂଚନା ଆସୁନଥିଲା। ଏପରି ଘଟଣା ବାରମ୍ବାର ହୋଇଚାଲିବା ପରେ, ଏନେଇ ସହରର ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ବଢ଼ି ଯାଇଥିଲା ଏବଂ ଜୁନାଗଡ଼ ବ୍ୟବସାୟୀ ସଂଘ ପକ୍ଷରୁ ସମ୍ପୃକ୍ତ ଠକ ଜଣକୁ ଧରିବା ପାଇଁ ଅଣ୍ଟା ଭିଡା ଯାଇଥିଲା। ଗତକାଲି ଅଭିଯୁକ୍ତ ଜଣକ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବ୍ୟବସାୟୀ ସଂଘର ସଭାପତି ମୁକେଶ ଅଗ୍ରୱାଲ ଓ ଅନ୍ୟ ସଦସ୍ୟ ମାନେ ଯୋଜନା ବଦ୍ଧ ଭାବରେ ଅଭିଯୁକ୍ତକୁ କାବୁ କରି ଜୁନାଗଡ଼ ପୋଲିସକୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଜୁନାଗଡ଼ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ବିରୁଦ୍ଧରେ ଏକ ଠକେଇ ମାମଲା ୠଜ୍ଜୁ କରି ଗିରଫ କରିବା ସହ ଲିଖିତ ଅଭିଯୋଗକୁ ଭିତ୍ତି କରି ସି.ସି ଟି.ଭି ଫୁଟେଜ, ଅଭିଯୁକ୍ତର ମୋବାଇଲ କଲ ଓ ମେସେଜ ରେକର୍ଡ, ପେମେଣ୍ଟ ସ୍କ୍ରିନ ସଟ, ବେଙ୍କ ଷ୍ଟେଟମେଣ୍ଟ ଓ ୟୁ.ପି.ଆଇ ଟ୍ରାଞ୍ଜେକ୍ସନ ରେକର୍ଡ ଆଦିର ଯାଞ୍ଚ ଆରମ୍ଭ କରିଦେଇଛି।
