March 20, 2026

କଲେଜ ରାସ୍ତାରେ ଦୁର୍ଘଟଣାରେ ୪ ଆହତ 

IMG-20260319-WA0075
Share

ବୁଗୁଡ଼ା : ତା ୧୯/୦୩/୨୬ : କଲେଜ ରାସ୍ତାରେ ରୋମିଓଗିରି ଯୋଗୁଁ ଦୁର୍ଘଟଣାରେ ୪ ଆହତ l କଲେଜ ରାସ୍ତାରେ ଆର-ୱାନ ବାଇକ ଚଳାଇ ଦ୍ରୁତଗତିରେ ଚକର କାଟୁଥିବା ବେଳେ ଅନ୍ୟ ଏକ ବାଇକକୁ ଧକ୍କା ଦେଇ ଦୁଇ ରୋମିଓ ସମେତ ୪ ଜଣ ଆହତ ହୋଇଥିବା ଜଣା ପଡିଛି l ଆଜି ସକାଳ ପ୍ରାୟ ୧୧ଟା ସମୟରେ ସ୍ଥାନୀୟ ପିପୁଲ୍ସ କଲେଜର ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀମାନେ ମୁଖ୍ୟ ରାସ୍ତାରେ ଆସୁଥିଲେ l ଏ ସମୟରେ ଏକ ନମ୍ବର ବିହୀନ ଦାମିକା ଆର-ୱାନ ବାଇକରେ ଦୁଇ ରୋମିଓ ଦ୍ରୁତଗତିରେ ଚକର କାଟୁଥିବା ବେଳେ ବାଇକରେ ଅଙ୍ଗନବାଡି କେନ୍ଦ୍ରକୁ ଅଣ୍ଡା ଓ ଛତୁଆ ଆଣିବାକୁ ଭାଉଜ ଗୀତାଞ୍ଜଳି ନାୟକଙ୍କୁ ବସାଇ ଯାଉଥିବା ସୁନୀଲ ନାୟକଙ୍କୁ ଧକ୍କା ଦେଇଥିଲେ l ଦୁର୍ଘଟଣାରେ ସୁନୀଲଙ୍କ ଡାହାଣ ପାଦକୁ ଆଘାତ ଲାଗିଥିବା ବେଳେ ଗୀତାଞ୍ଜଳିଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା l ତେବେ ଉଭୟ ରୋମିଓଙ୍କ ମଧ୍ୟରୁ ଜଣଙ୍କ ଅଣ୍ଟାରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କ ମୁଣ୍ଡ ଫାଟିଯାଇଥିଲା l ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଅଧିକ ଚିକିତ୍ସା ନିମନ୍ତେ ଗୁରୁତର ସୁନୀଲଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ନମ୍ବର ବିହୀନ ବାଇକଟିକୁ ଜବତ କରି ତଦନ୍ତ ଜାରି ରଖିଛି l ଉକ୍ତ ରାସ୍ତାରେ ଅଧିକାଂଶ ସମୟରେ ରୋମିଓଗିରି ଦେଖାଇବା ପାଇଁ ନାବାଳକ ଓ ଯୁବକମାନେ ଦ୍ରୁତଗତିରେ ବିକଟାଳ ଶବ୍ଦରେ ବାଇକ ଚାଳନା କରୁଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣାମାନ ଘଟି ଛାତ୍ରଛାତ୍ରୀ ସମେତ ସାଧାରଣ ଜନତା ମୃତାହତ ହେଉଥିବା ବହୁ ନଜିର ରହିଛି l ଏଥିପ୍ରତି ସ୍ଥାନୀୟ ପୋଲିସ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ ଦାବୀ ହେଉଛି l