ଉପାନ୍ତ ଖବରର 5ମ ବାର୍ଷିକ ଉତ୍ସବରେ ବିଧାୟକ ଦାଶରଥୀ ଗମାଙ୍ଗ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ଉଦବୋଧନ

ବ୍ରହ୍ମପୁର, 19/1 : କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମାନେ ହିଁ ସାଧାରଣ ଜନତାଙ୍କ ରକ୍ଷା କବଚ ବୋଲି ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ କମୁ୍ୟନିଟି ହଲ ପରିସରରେ ଆୟୋଜିତ ଉପାନ୍ତ ଖବରର 5ମ ବାର୍ଷିକ ଉତ୍ସବରେ ଅତିଥି ମାନେ ଉପରୋକ୍ତ ମନ୍ତବ୍ୟ ପ୍ରକାଶ କରିଛନ୍ତି । ମନୋଜ କୁମାର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଯୋଗଦେଇ ତାଙ୍କ ଭାଷଣରେ ଉପାନ୍ତ ଖବର କାଗଜ ପ୍ରକାଶନ କ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ତାଙ୍କ ଭାଷଣରେ ସାମ୍ୱାଦିକମାନେ ପ୍ରକୃତ ସତ୍ୟାସତ୍ୟ ଅନୁସନ୍ଧାନ କରି ସମ୍ୱାଦ ପ୍ରକାଶନ କରିବାକୁ ଗୁରୁତ୍ଵାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ ମଲ୍ଲିକ, ସମାଜସେବୀ ଦଣ୍ଡାସୀ ସାହୁ, ଉପଦେଷ୍ଟା ଲମ୍ୱୋଦର ସାହୁ, ରାଜ୍ୟ କୃଷକ ବିକାଶ ସମବାୟ ସମିତି ଲିଃର ସଭାପତି ଅମୀୟ ପଟ୍ଟନାୟକ, ସମାଜସେବୀ ପରମେଶ୍ଵର ଦାଶ, ସମାଜସେବୀ ଦୀପକ ଜେନା, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା ଭାଷଣରେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମ୍ୱାଦପତ୍ରର ପ୍ରମୁଖ ଭୂମିକା ରହିଥିବା ଉଲ୍ଳେଖ କରିଥିଲେ।
ମୁଖ୍ୟ ବକ୍ତା ଭାବେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ଅଧ୍ୟକ୍ଷ ତଥା ନବୀନ ସମ୍ୱାଦପତ୍ରର ସମ୍ପାଦକ ରବି ରଥ କହିଥିଲେ ଯେ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରଗୁଡ଼ିକ ଜନସାଧାରଣଙ୍କ ପ୍ରକୃତ ସମସ୍ୟା ଉପସ୍ଥାପିତ କରୁଥିବା ବେଳେ ବୃହତ ବୋଲାଉଥିବା ସମ୍ୱାଦପତ୍ରଗୁଡ଼ିକ ଏ ଦିଗରେ ବିଫଳ ହୋଇଛନ୍ତି। ସାଗରିକା ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଗଣେଶ ଚନ୍ଦ୍ର ବିଷୋୟୀ ସଂପାଦକୀୟ ବିବରଣୀ ପାଠ କରି ଉପାନ୍ତ ଖବର ୱେବ୍ ଚେନାଲର 15 ଲକ୍ଷ ପାଠକ ରହିଛନ୍ତି ବୋଲି ସୂଚନା ଦେଇଥିଲେ। ଆଗାମୀ ଦିନରେ ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ କୃତ୍ତି ପ୍ରତିଭା ଓ ପତ୍ରିକାର ପ୍ରତିନିଧି ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ୱର୍ଦ୍ଧିତ କରାଯାଇଥିଲା ଏହା ସହିତ ଉପାନ୍ତ ଖବରର ସ୍ଵନକ୍ଷତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ॥ ଏହି କାର୍ଯ୍ୟକ୍ରମରେ ଉପାନ୍ତ ଖବରର ପରିଳନା ସମ୍ପାଦକ ପଣ୍ଡିତ ଅଜିତ କୁମାର ଦାସଙ୍କ ସମେତ ସମସ୍ତ ପ୍ରତିନିଧି ପରିଳନା କରିଥିଲେ।
ଅନ୍ୟତମ ବିଶିଷ୍ଟ ଅତିଥି ପ୍ରେମ୍ ସଭାପତି ଡ଼. ଜାକୋବ୍ ଥୁଣ୍ଡିଲ ଅସୁସ୍ଥତା ବଶତଃ ଯୋଗଦେଇନପାରି ଉତ୍ସବର ସଫଳତା କାମନା କରି ଏକ ବାର୍ତ୍ତା ପଠାଇବା ସହ ପାରଳା ବିଧାୟକ ଇଂ. ରୁପେଶ ପାଣିଗ୍ରାହୀଙ୍କ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଥିବାରୁ ଉତ୍ସବରେ ଯୋଗଦେଇନପାରି ବାର୍ତ୍ତା ପ୍ରେରଣ କରିଥିଲେ।
ଗଣେଶ ଚନ୍ଦ୍ର ବିଷୋୟୀ
ସମ୍ପାଦକ, ଉପାନ୍ତ ଖବର
