‘ପ୍ରତିଭା’ ଅନୁଷ୍ଠାନର ରୌପ୍ୟ ଜୟନ୍ତି ପାଳନ

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ସ୍ଥିତ ଏଲ.ବି.ଏସ ଷ୍ଟାଡିୟମ ଠାରେ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଏବଂ ସୁନାମଧନ୍ୟ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ ନିଜର ପ୍ରତିଷ୍ଠାର ପଚିଶ ବର୍ଷ ଉପଲକ୍ଷେ ରୌପ୍ୟ ଜୟନ୍ତି ପାଳନ ଅବସରରେ ନୃତ୍ୟ ସଙ୍ଗମ-୨O୨୫ ପାଳନ କରୁଛି। ଏହି ଅବସରରେ ଗତକାଲି ସନ୍ଧ୍ୟା ତିନିଟା ସମୟରେ କଳାହାଣ୍ଡିର ଇଷ୍ଟଦେବି ମା’ମାଣିକେଶ୍ବରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଆଦି ପରେ ମନ୍ଦିର ପରିସର ଠାରୁ ଏକ ବିରାଟ ଶୋଭାଯାତ୍ରା କରି ଏଲ.ବି.ଏସ ଷ୍ଟାଡିୟମ ଠାରେ ପହଂଚିଥିଲେ। ଏହାପରେ ସଂଧ୍ୟା ପ୍ରାୟ ୬ ଟା ସମୟରେ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ସମ୍ମାନନୀୟ ଅତିଥିଙ୍କ ଦ୍ୱାରା ନୃତ୍ୟ ସଙ୍ଗମ-୨O୨୫ କାର୍ଯ୍ୟକ୍ରମର
ଉଦ୍ଘାଟିତ ଏବଂ ଶୁଭକାମନା ଅଭିବ୍ୟକ୍ତ କରିବା ପରେ, ମଞ୍ଚରେ ଅନେକ କଲାକାରଙ୍କ ଦ୍ୱାରା ରଙ୍ଗା ରଙ୍ଗ ଲୋକ ନୃତ୍ୟ ଓ ଲୋକ ବାଦ୍ୟ ପାରିବେଶିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ବିଷୟରେ ‘ପ୍ରତିଭା’ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଧ୍ୟାନାନନ୍ଦ ପଣ୍ଡା ଅଧିକ ସୂଚନା ଦେଇ କହିଛନ୍ତି ଯେ’ ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କ୍ରମରେ ଆଜି ସକାଳ ୧O ଟା ସମୟରେ କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ୍ଚ ଦ୍ୱାରା ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଥିବା ବେଳେ,ଏଥିରେ କଳାହାଣ୍ଡି ଜିଲ୍ଲା ସମେତ ଓଡିଶା ବିଭିନ୍ନ ଜିଲ୍ଲାରୁ ତଥା ଅନ୍ୟ ରାଜ୍ୟ ମାନଙ୍କରୁ ଓ ନେପାଳର କାଠମାଣ୍ଡୁରୁ ଅନେକ କଳାକାର ଏହି ପ୍ରଦର୍ଶନୀରେ ଭାଗ ନେଇଥିଲେ।ସନ୍ଧ୍ୟା ସମୟରେ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଆସନ୍ତା କାଲି ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଥିବାବେଳ, ୨O ତାରିଖ ଦିନ କବି ସମ୍ମିଳନୀ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ କେନ୍ଦ୍ର ହେବ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିର କଣ୍ଢେଇ ନାଚ, ଖୋର୍ଦ୍ଧାର ପାଇକ ଆଖଡ଼ା, ରାଜସ୍ଥାନର ଲୋକ ନୃତ୍ୟ ଓ ସଂଗୀତ, ଆସାମର ପ୍ରସିଦ୍ଧ ବିହୁ ନୃତ୍ୟ ସହ କଳାହାଣ୍ଡି ଜିଲ୍ଲାର ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲୋକ ସଙ୍ଗୀତଜ୍ଞ ଶ୍ରୀ ସର୍ବେଶ୍ୱର ଭୋଇ, ନୀଳାଞ୍ଚଳ ପାନ, ସଂଗୀତା ରାଉତ, ସସ୍ମିତା ମହାନ୍ତି ପ୍ରମୁଖ ଲୋକ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।ଏଥି ସହ ୨୧ ତାରିଖ ଦିନ ସନ୍ଧ୍ୟାରେ ‘ପ୍ରତିଭା’ ଅନୁଷ୍ଠାନର ନୃତ୍ୟ ସଙ୍ଗମ-୨O୨୫ ସମାପନ କରାଯିବ।
