July 1, 2024

ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗଦେଲେ ଡଃ ସହଦେବ ବେହେରା

Share

ହାଟଡିହି ଚଳିତ ମାସ ଭାରତର ଇଂରାଜି ଭାଷା ଶିକ୍ଷକ ସଙ୍ଘ ( ଇ,ଏଲ୍ .ଟି.ଏ. ଆଇ), ଚେନାଇଦ୍ବାରା ଆୟୋଜିତ ଓ ଉତ୍ତରାଖଣ୍ଡର ଡେହେରାଡୁନସ୍ଥିତ ଉତ୍ତରାଞ୍ଚଳ ୟୁନିଭରସିଟିର ସ୍କୁଲ ଅଫ୍ ଲିବେରାଲ ଆର୍ଟ ବିଭାଗରେ ଅନୁଷ୍ଠିତ ୧୭ତମ ଆନ୍ତର୍ଜାତିକ ଗ୍ଲୋବାଲ୍ ନାଗରିକତା ପାଇଁ ଇଂରାଜୀ ପ୍ରସଙ୍ଗ ସମ୍ପର୍କିତ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ମଙ୍ଗରାଜପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିଦ୍ ତଥା ଆନ୍ତର୍ଜାତିକ କବି ଓ ସୁସାହିତ୍ୟିକ ଡଃ ସହଦେବ ବେହେରା ଓଡିଶାରୁ ଯୋଗଦେଇ ଗୌରବ ଅର୍ଜନ କରିଛନ୍ତି । ସେ ନିଜ ଶିକ୍ଷକଜୀବନରେ ବିଦ୍ୟାଳୟ ଶିକ୍ଷାଦାନ ଅଭିଜ୍ଞତା ଆଧାରିତ – “କାର୍ଯ୍ୟଭିତ୍ତିକ ଇଂରାଜି ଶିକ୍ଷାଦାନ ଏକ ଅଧ୍ୟୟନ” ( ଇଂରାଜୀ ଶିକ୍ଷାଦାନରେ କାର୍ଯ୍ୟକଳାପ ଭିତ୍ତିକ ପଦ୍ଧତି ଉପରେ ଅଧ୍ୟୟନ ) ପ୍ରସଙ୍ଗରେ ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଶିକ୍ଷଣ କାର୍ଯ୍ୟଭିତ୍ତିକ ଶିକ୍ଷାଦାନ ମାଧ୍ୟମରେ ଇଂରାଜି ଶିକ୍ଷାକୁ କିପରି ପ୍ରାରମ୍ଭିକ ସ୍ତରରେ ସରସ ସୁନ୍ଦର ତଥା ଛାତ୍ରଛାତ୍ରୀଙ୍କ ନିମନ୍ତେ ସହଜ,ସରଳ ତଥା ବୋଧଗମ୍ୟ ହୋଇପାରିବ ସେ ସମ୍ପର୍କରେ ନିଜର ବଳିଷ୍ଠ ମତ ପ୍ରଦାନ କରିଥିଲେ । ବିଶ୍ବ ନାଗରିକତ୍ବରେ ଇଂରାଜି ଭାଷାଶିକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ଶିକ୍ଷାବିଦ୍, ବିଶ୍ବବିଦ୍ୟାଳୟର କୁଳପତି , ପ୍ରାଧ୍ୟାପକ, ଗବେଷକ ପ୍ରମୁଖ ନିଜର ମତପୋଷଣ କରିଥିଲେ ।
ଏହି ସମ୍ମିଳନୀରେ ଆମେରିକା, ଆଫ୍ରିକା, ୟୁଥୋପିଆ, ମାଲେସିଆ, ଇଣ୍ଡୋନେସିଆ, ଜାପାନ, ନେପାଳ, ବାଙ୍ଗଲାଦେଶ ସମେତ ଭାରତର ବିଭିନ୍ନ ରାଜ୍ୟ ଯଥା- ଉତ୍ତରାଖଣ୍ଡ, ଜମ୍ମୁ, ପଞ୍ଜାବ, ଚଣ୍ଡିଗଡ, ଉତ୍ତରପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ଓଡିଶା, ଆସାମ, ପଶ୍ଚିମବଙ୍ଗ ସମେତ ବିଭିନ୍ନ ଦେଶ ବିଦେଶରୁ ପ୍ରାୟ ୬୩୦ଜଣ ବିଭିନ୍ନ ବିଶ୍ବବିଦ୍ୟାଳୟ , ମହାବିଦ୍ୟାଳୟ ଓ ବିଦ୍ୟାଳୟରୁ ଶିକ୍ଷକ, ଅଧ୍ୟାପକ ଓ ପ୍ରାଧ୍ୟାପକ ଯୋଗଦେଇ ନିଜ ନଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ ।
ଶ୍ରୀଯୁକ୍ତ ବେହେରା ବର୍ତ୍ତମାନ ଠାକୁରମୁଣ୍ଡାସ୍ଥିତ ଧାତିକିଡିହା ସରକାରୀ ଉଚ୍ଚପ୍ରିଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବାବେଳେ ଅନେକ ସାହିତ୍ୟ ଅନୁଷ୍ଠାନ ସହିତ ଜଡିତ ଅଛନ୍ତି। ଏହି ଖବର ପ୍ରକାଶିତ ହେବାପରେ ତାଙ୍କ ନିକଟକୁ ପ୍ରଶଂସାର ବାର୍ତ୍ତା ଛୁଟୁଛି ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ)