September 18, 2026

ତେଲେଙ୍ଗାନାରେ ଫସିଛନ୍ତି ୯ ଓଡ଼ିଆ ଦାଦନ ଶ୍ରମିକ, ଖସି ଆସିଲେ ୨ ଜଣ ..

IMG-20260918-WA0039
Share

 

 

ମୋହନା–ତେଲେଙ୍ଗାନାରେ ଫସିଛନ୍ତି ୯ ଜଣ ଓଡ଼ିଆ ଦାଦନ ଶ୍ରମିକ। ମଜୁରୀ ନ ମିଳିବା ସହ ଗତ ୫ ଦିନ ହେଲା ଖାଇବାକୁ ରାସନ ନାହିଁ କି ଘରକୁ ଫେରିବା ପାଇଁ ଟଙ୍କା ମଧ୍ୟ ନାହିଁ। ଏପରି ସ୍ଥିତିରେ ଜଣେ ଠିକାଦାରଙ୍କ ଅଧୀନରେ କାମ କରୁଥିବା ଏହି ଶ୍ରମିକମାନେ ଭୋକ ଉପାସରେ ରହିଥିବା ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ପ୍ରାୟ ୭ ମାସ ପୂର୍ବରୁ ଗଜପତି ଜିଲ୍ଲା ମୋହନା, ଆର୍.ଉଦୟଗିରି ଓ ନୂଆଗଡ଼ ବ୍ଲକର ଜଣ ଏବଂ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ୧୧ ଜଣ ଶ୍ରମିକ ପରିବାର ପୋଷଣ ପାଇଁ ତେଲେଙ୍ଗାନାର ମହବୁବାବାଦ ଜିଲ୍ଲା ସିତେନପେଟ୍ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ।

ସେଠାରେ ଜଣେ ଠିକାଦାରଙ୍କ ଅଧୀନରେ ରହି କୋଠା ନିର୍ମାଣ କାମ କରୁଥିଲେ। ତେବେ 7 ମାସ ଧରି କାମ କରି ଆସୁଥିବା ବେଳେ ଗତ 3 ମାସର ମଜୁରୀ ମିଳିନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ମଜୁରୀ ମାଗିଲେ ଧମକ ଦିଆଯିବା ସହ ବନ୍ଦୀ କରି ରଖିବାକୁ ଭୟ ଦେଖାଯାଉଥିବା ସେମାନେ କହିଛନ୍ତି l

ତେବେ ସେମାନଙ୍କ ମଧ୍ୟରୁ ୨ ଜଣ କୌଣସି ପ୍ରକାରେ ସେଠାରୁ ଖସି ଆସିଥିବା ବେଳେ ଅନ୍ୟ 9 ଜଣ ଏବେ ବି ସେଠାରେ ଫସି ରହିଥିବା ଜଣାପଡ଼ିଛି। ଖାଇବାକୁ ନଥିବା ଏବଂ ଘରକୁ ଫେରିବା ପାଇଁ ଟଙ୍କା ନଥିବାରୁ ଶ୍ରମିକମାନେ ଚିନ୍ତାରେ ରହିଛନ୍ତି।

ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ କରି ଶ୍ରମିକମାନେ ଏକ ଭିଡିଓ ଜାରି କରି ସରକାରଙ୍କୁ ସହାୟତା ପାଇଁ ଗୁହାରି କରିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ହସ୍ତକ୍ଷେପ କରି ଫସି ରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ତାଙ୍କର ପ୍ରାପ୍ୟ ମଜୁରୀ ପ୍ରଦାନ ଏବଂ ଆବଶ୍ୟକ ଆଇନଗତ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ସରପଞ୍ଚ ରଜନୀକାନ୍ତ ପ୍ରଧାନ କହିଛନ୍ତି l