ନୂଆଁଖାଇ ଭେଟଘାଟ:ଭାଇଚାରାର ସମ୍ପର୍କରେ ଦୁଲୁକିଲା ଗାଁ ଦଣ୍ଡ

ସମ୍ବଲପୁର/ରେଙ୍ଗାଲି-୧୮/୦୯: ନୂଆଁ ଧାନରେ ମାଟିର ମହକ, ନବାନ୍ନରେ ଚାଷୀର ଆନନ୍ଦ ଓ ଭେଟଘାଟରେ ଆତ୍ମୀୟତା ଏହି ତିନିଟିର ସମନ୍ୱୟ ହିଁ ପଶ୍ଚିମ ଓଡ଼ିଶାର ନୂଆଁଖାଇ। ଏହା କେବଳ ଏକ ପର୍ବ ନୁହେଁ, ପରସ୍ପରକୁ ଭେଟି ସମ୍ପର୍କର ଧୂଳି ଝାଡ଼ି ଦେବା ଓ ‘ମୁଁ’ରୁ ‘ଆମେ’ ଆଡ଼କୁ ଫେରିବାର ଏକ ସାମାଜିକ ପରମ୍ପରା। ଏହି ଭାଇଚାରାର ବାର୍ତ୍ତାକୁ ନେଇ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସାଳଡ଼ ଗ୍ରାମରେ ନବାନ୍ନ ଭକ୍ଷଣ ପରେ ଅନୁଷ୍ଠିତ ହୋଇଛି ନୂଆଁଖାଇ ଭେଟଘାଟ।
ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ଭେଟଘାଟ କାର୍ଯ୍ୟକ୍ରମ ଗାଁର ପରମ୍ପରା, ସଂସ୍କୃତି ଓ ସାମାଜିକ ଏକତାର ଏକ ଅନନ୍ୟ ମଞ୍ଚ ପାଲଟିଥିଲା। ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆଁଖାଇର ସାମାଜିକ ମୂଲ୍ୟବୋଧ ଓ ଭାଇଚାରାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ଭକ୍ତି ଓ ପରମ୍ପରାର ସ୍ପର୍ଶରେ। ଗ୍ରାମବାସୀ ଓ ଅତିଥିମାନେ ପ୍ରଥମେ ଗ୍ରାମର ଆରାଧ୍ୟା ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ମଶାଲ ଶୋଭାଯାତ୍ରାରେ ସମଗ୍ର ଗାଁ ପରିକ୍ରମା କରି ସଭାମଣ୍ଡପରେ ପହଞ୍ଚିଥିଲେ। ସେଠାରେ ଅତିଥି ଓ ବରିଷ୍ଠ ନାଗରିକମାନେ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ମାଲ୍ୟାର୍ପଣ କରି ସଭାକାର୍ଯ୍ୟର ଶୁଭାରମ୍ଭ କରିଥିଲେ।
ସଭାରେ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଭାଗବତ ସେଠ, ଗ୍ରାମର ଗୌନ୍ତିଆ ବିଶ୍ୱକେଶନ ବିଶ୍ୱାଳ, ସୁରେନ୍ଦ୍ର କୁମାର ବିଶ୍ୱାଳ, ସୁବାଷ ଚନ୍ଦ୍ର ବିଶ୍ୱାଳ, ସୁବାଷ ଚନ୍ଦ୍ର ସିଂ,ବରିଷ୍ଠ ନାଗରିକ ଦୁର୍ଗାପ୍ରସାଦ ନାଥ, ଅନ୍ତର୍ଯ୍ୟାମୀ ପାଣି, ହରିହର ଛତର ଓ ଇଂ. ଗାନ୍ଧୀ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ବିଶିଷ୍ଟ ସମ୍ବଲପୁରୀ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ‘ନାଗାବାଚା’ ସଂସ୍କୃତିର ଉପାସକ ଦିବଙ୍ଗତ ଦାଶରଥି ସେଠଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇ ସ୍ମୃତିଫଳକ ଓ ଉପଢୌକନ ଦିଆଯାଇଥିଲା। ମୁଖ୍ୟ ଅତିଥି ଦୁର୍ଯ୍ୟୋଧନ ଗର୍ଡିଆ ଓ ଶିକ୍ଷକ ବେହେରାଙ୍କୁ ମଧ୍ୟ ସ୍ମୃତିଫଳକ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ନୂଆଁଖାଇର ଉତ୍ସବୀୟ ମାହୋଲକୁ ଆହୁରି ରଙ୍ଗିନ କରିଥିଲା ଗ୍ରାମର ଶିଶୁ କଳାକାରମାନଙ୍କ ସାଂସ୍କୃତିକ ପରିବେଷଣ। ଶିକ୍ଷକ ଆସନ ବେହେରାଙ୍କ ନିର୍ଦ୍ଦେଶନାରେ ଶିଶୁ କଳାକାରମାନେ ବିଭିନ୍ନ ସାଂସ୍କୃତିକ ପରିବେଷଣ ସହ ‘ରେବତୀ’ ନାଟକ ମଞ୍ଚସ୍ଥ କରିଥିଲେ। ଏହାପରେ ବନ୍ଦିତା ନାଏକଙ୍କ ପାରାୟଣ ଓ ମନଛୁଆଁ କଣ୍ଠସ୍ୱର ଶ୍ରୋତାଙ୍କୁ ଭକ୍ତିରସରେ ବିମୋହିତ କରିଥିଲା।
ନୂଆଁଖାଇ ଭେଟଘାଟର ଏହି ଆୟୋଜନରେ ଗାଁର ପୁରୁଣା ପରମ୍ପରା ସହ ନୂଆ ପିଢ଼ିର ଯୋଡ଼ି ହେବାର ଏକ ସୁନ୍ଦର ଚିତ୍ର ଦେଖିବାକୁ ମିଳିଥିଲା। ବୟସର ତାରତମ୍ୟ, ପେସାର ଭିନ୍ନତା କିମ୍ବା ସାମାଜିକ ପରିଚୟକୁ ପଛରେ ପକାଇ ଏକାଠି ହୋଇଥିଲେ ଗ୍ରାମବାସୀ। ଏହି ଏକତା ହିଁ ନୂଆଁଖାଇର ପ୍ରକୃତ ଶକ୍ତି ବୋଲି ଆୟୋଜନରୁ ସ୍ପଷ୍ଟ ହୋଇଥିଲା।
ଶେଷରେ ଅନୁଷ୍ଠାନର ସଭାପତି ଭାଗବତ ସେଠ ଧନ୍ୟବାଦ ଅର୍ପଣ କରିଥିଲେ। ଭେଟଘାଟ କାର୍ଯ୍ୟକ୍ରମକୁ ସଫଳ କରିବାରେ ଗ୍ରାମର ଯୁବକମାନେ ସକ୍ରିୟ ସହଯୋଗ କରିଥିଲେ।ନୂଆଁଖାଇରେ ନୂଆଁ ଅନ୍ନ ଖିଆଯାଏ, ଭେଟଘାଟରେ ନୂଆଁ କରି ସମ୍ପର୍କ ଗଢ଼ାଯାଏ ସାଳଡ଼ର ନୂଆଁଖାଇ ଏହି ମାଟିର ମହାନ ପରମ୍ପରାର ଏକ ଜୀବନ୍ତ ଛବି ହୋଇ ରହିଗଲା।
