July 18, 2026

କୋରାପୁଟରେ ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବିଶେଷ କ୍ୟାମ୍ପ: 163 ଶିଶୁଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବ

IMG-20260718-WA0102
Share

 

 

 

 

*କୋରାପୁଟ:* ପିତୃମାତୃହୀନ ଏବଂ ଏକ ଅଭିଭାବକ ଶିଶୁଙ୍କୁ ଉପଯୁକ୍ତ ଥଇଥାନ ଓ ସାମାଜିକ ସୁରକ୍ଷା ଯୋଗାଇଦେବା ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଲକ୍ଷ୍ମୀପୁର ବ୍ଲକର ମିଶନଶକ୍ତି ଗୃହ ପରିସରରେ ଏକ ସ୍ୱତନ୍ତ୍ର କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏହି କ୍ୟାମ୍ପରେ ମୋଟ 163 ଜଣ ସୁରକ୍ଷା ଓ ଯତ୍ନ ଆବଶ୍ୟକ କରୁଥିବା ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ତଦନ୍ତ ପରେ ସେମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇ ସମାଜର ମୁଖ୍ୟ ସ୍ରୋତରେ ଯୋଡ଼ିବା ଲକ୍ଷ୍ୟ ରଖାଯାଇଛି।

 

ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କ୍ୟାମ୍ପକୁ କୋରାପୁଟ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ICDS, ଲକ୍ଷ୍ମୀପୁର ମିଳିତ ଭାବେ ପରିଚାଳନା କରିଥିଲେ।

 

କ୍ୟାମ୍ପରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷା ଡା. ଗାୟତ୍ରୀ ଦେବୀ, ସଦସ୍ୟ ଶ୍ରୀ ସୁରେଶ କୁମାର ହୋତା ଏବଂ ସଦସ୍ୟା ଶ୍ରୀମତୀ ଶିବାନୀ ପାତ୍ର ଉପସ୍ଥିତ ରହି ଶିଶୁମାନଙ୍କର ଉପସ୍ଥାପନା ନେଇଥିଲେ। ଏହାବ୍ୟତୀତ ଲକ୍ଷ୍ମୀପୁର CDPO ଶ୍ରୀମତୀ ଲତା ପ୍ରଧାନ, ICDS ସୁପରଭାଇଜର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା, Child Helpline କର୍ମକର୍ତ୍ତା ଏବଂ ଅଙ୍ଗନବାଡି କର୍ମୀମାନେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

 

ଶିଶୁ ମଙ୍ଗଳ ସମିତିର ତଦନ୍ତ ପ୍ରକ୍ରିୟା ସମାପ୍ତ ହେବା ପରେ ଚିହ୍ନଟ ହୋଇଥିବା ଶିଶୁମାନଙ୍କୁ ସରକାରୀ ସହାୟତା, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ସହିତ ସର୍ବାଙ୍ଗୀନ ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର