ଅନ୍ଧାରରେ ବୁଗୁଡା ଏନ୍ଏସି ପ୍ରବେଶ ପଥ , ଜଳୁନି ରାସ୍ତା କଡ ଲାଇଟ୍, ପ୍ରତିକାର ଦାବି

ବୁଗୁଡ଼ା : ତା ୧୮/୦୪/୨୫ : ବୁଗୁଡ଼ା ଏନଏସି ଅନ୍ତର୍ଗତ ବଡଶଙ୍ଖଠାରୁ ଷୋଳମଇଲି ଆଡକୁ ଲମ୍ବିଥିବା ରାଜରାସ୍ତା ପାର୍ଶ୍ବସ୍ଥ ସମସ୍ତ ବିଦ୍ଯୁତ୍ ଖମ୍ବର ବିଜୁଳି ବତି ଅଚଳ ହୋଇପଡ଼ିଛି। ଫଳରେ ସନ୍ଧ୍ଯା ନଇଁଲେ ରାସ୍ତାରେ ଅନ୍ଧାର ଘୋଟିଯାଉଛି ଏବଂ ପଦଚାରୀ ଓ ସାଇକେଲ ଆରୋହୀଙ୍କ ପାଇଁ ସମସ୍ଯା ସୃଷ୍ଟି ହେଉଛି । ଅନ୍ଯପକ୍ଷରେ ଦୈନିକ ସନ୍ଧ୍ୟାରେ ଆଖପାଖ ଗ୍ରାମର ଶତାଧିକ ଛାତ୍ରଛାତ୍ରୀ ବୁଗୁଡାକୁ ଟିଉସନ ପାଇଁ ଆସି ଫେରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ହେଲା ଏପରି ସମସ୍ୟା ଲାଗି ରହିଥିଲେ ହେଁ ଏନ୍ଏସି ପ୍ରଶାସନ ପକ୍ଷରୁ ଲାଇଟଗୁଡିକୁ ସଜାଡିବା ପାଇଁ କୌଣସ ତତ୍ପରତା ଦେଖିବାକୁ ମିଳୁନି। ବାଲିପଦର ପଟରୁ ବୁଗୁଡା ସହର ଅଭିମୁଖେ ଆସୁଥିବା ଲୋକେ ସ୍ବାଗତ ତୋରଣଟିକୁ ଦେଖିବା ପରେ ଅନ୍ଧାରି ଇଲାକାରେ ପ୍ରବେଶ କରିବାକୁ ପଡୁଛି। ଏ ନେଇ ଅଭିଯୋଗ ହେଉଥିଲେ ହେଁ ଏନ୍ଏସି କର୍ତ୍ତୃପକ୍ଷଙ୍କ ଉଦାସୀନତା ମନୋଭାବ ଯୋଗୁଁ କୌଣସି ସୁଫଳ ମିଳୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏନ୍ଏସି ଅନ୍ତର୍ଗତ ରାସ୍ତାକଡସ୍ଥ ଅକାମୀ ବିଜୁଳି ବତିଗୁଡିକୁ ସଜାଡିବା ଭଳି ସାମାନ୍ୟ କାମଟିକୁ ସମ୍ପୃକ୍ତ କର୍ତ୍ତୃପକ୍ଷ କରିପାରୁନଥିରୁ ସାଧାରଣରେ ନାହିଁ ନଥିବା ସମାଲୋଚନା ହେଉଛି। ଏଣୁ , ଏନଏସି କର୍ତ୍ତୃପକ୍ଷ ଆଉ କାଳ ବିଳମ୍ବ ନକରି ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ତେବେ ନୂଆଁ କେବୁଲ ପଡୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ଏବଂ ଚାରି ଦିନ ଭିତରେ ଏହି ସମସ୍ଯା ଦୂର ହେବ ବୋଲି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।