ଏକାବେଳେ ବନ୍ଧୁକ ଛାଡିଲେ ୨୨ ମାଓବାଦୀ ; ଦୁର୍ବଳ ହେଉଛି ଲାଲଗଡ

ଦୁର୍ବଳ ହେଉଛି ମାଓଗଡ଼ । ବନ୍ଧୁକ ଛାଡ଼ିଲେ ୨୨ ମାଓବାଦୀ । ସୁକୁମାରେ ଏସପିଙ୍କ ନିକଟରେ କଲେ ଆତ୍ମସମର୍ପଣ ।
ଭୁଶୁଡୁଛି ମାଓ ଦୁର୍ଗ । ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଛନ୍ତି ମାଓବାଦୀ । ଆଜି ଛତିଶଗଡ ସୁକୁମା ପୁଲିସ ନିକଟରେ ୨୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ନୂଆପଡ଼ା ଡିଭିଜନର ଏସିଏମ୍ ଏବଂ ପିଏଲଜିଏ ପ୍ଲାଟୁନ୍-୧ର ମାଓ ଦମ୍ପତି ରହିଛନ୍ତି । ସେହିପରି ୨୨ଜଣଙ୍କ ମଧ୍ୟରେ ଅଛନ୍ତି ୯ଜଣ ମହିଳା ମାଓବାଦୀ ।
ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ସୁକମା ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏ ଦିଗରେ ଯବାନ ମାନେ ଘନଘନ ଅପରେସନ କରୁଥିବା ବେଳେ ୧୫ ମାସରେ ୩୩୪ ମାଓବାଦୀଙ୍କ ଜୀବନ ଗଲାଣି । ମାଓବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ସରକାରଙ୍କର ଆତ୍ମସମର୍ପଣ ନୀତି ମଧ୍ୟ ରହିଛି । ତେଣୁ ହିଂସା ଛାଡ଼ି ମାଓବାଦୀମାନେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଛି । ଏହାପର୍ବରୁ ମଧ୍ୟ ୬୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ଗୃହମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେବା ପରେ ମାଓବାଦୀମାନେ ସାମୁହିକ ଭାବେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳୁଛି ।