ଆଇନ ତା’ ବାଟରେ ଯିବ’ କହିବା ଅସହାୟ ଲୋକର ବାକ୍ୟ: ପୃଥ୍ୱୀରାଜ

ଭୁବନେଶ୍ୱର: ନାରୀ ନିର୍ଯାତନାକୁ ନେଇ ଜୋରଦାର ଆନ୍ଦୋଳନ କରୁଛି କଂଗ୍ରେସ । ଏନେଇ ବିଧାନସଭାରେ ବି ଆଜି କଂଗ୍ରେସ ପ୍ରସଙ୍ଗ ଉଠାଇଥିଲା । ଦଳ ପକ୍ଷରୁ ମୁଲତବି ପ୍ରସ୍ତାବ ଅଣାଯାଇଥିଲା । ଅନୁଗୁଳ ଜିଲ୍ଲାରେ ପାଞ୍ଚ ବର୍ଷର କୋମଳମତି ଝିଅକୁ ଧର୍ଷଣ ଓ ହତ୍ୟା ହୋଇଛି । ସରକାର ନୀରବ କାହିଁକି ବୋଲି ପ୍ରଶ୍ନ କରିଥିଲା ଦଳ । ସେପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ଉତ୍ତର ରଖିଛନ୍ତି । କହିଛନ୍ତି, ଆମ ସରକାରରେ ପୋଲିସର ଭିତ୍ତିଭୂମି ସୁଦୃଢ କରିବା ପାଇଁ ୨୭ ପ୍ରତିଶତ ଅଧିକ ବଜେଟରେ ପ୍ରାବଧାନ ରହିଛି । ପଦବୀ ପୂରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ୧୬ ହଜାର ପଦବୀ ଖାଲି ଥିଲା, ବର୍ତ୍ତମାନ ୬ ହଜାର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୪ ବର୍ଷ ହେଲା ଗୋଟିଏ କଥା ଶୁଣି ଆସିଥିଲୁ, ଆଇନ ତା’ ବାଟରେ ଯିବ । ଏହା ଏକ ଅସହାୟ ଲୋକର ବାକ୍ୟ । ଆମ ସରକାରଙ୍କ ମିଶନ ହେଉଛି ଆଇନଠାରୁ କେହି ଊର୍ଦ୍ଧ୍ବରେ ନାହାନ୍ତି । ଆମ ସରକାର ଆସିବା ପରେ ୧୮ ଟି ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ୧୮ଟି କେସର ଫଇସଲା ହୋଇଛି । କ୍ରାଇମ,କ୍ରିମିନାଲକୁ ଧୂଳିସାତ୍ କରିବାକୁ ଆମ ସରକାର ପ୍ରସ୍ତୁତ । ଅତୀତରେ ଘଟଣା ଘଟୁଥିଲା, ତଦନ୍ତ ଚାଲୁଥିଲା କିନ୍ତୁ ଏବେ ୪୮ ଘଣ୍ଟା ଭିତରେ ଅପରାଧୀଙ୍କୁ ଧରାଯାଉଛି ଏବଂ ଆଇନ ଅନୁଯାଯୀ ପଦକ୍ଷେପ ଗ୍ରହଣ କରାଯାଉଛି ।
ବିଧାନସଭାର ଶୂନ୍ୟକାଳରେ ଉଠିଲା ନାରୀ ନିର୍ଯାତନା ପ୍ରସଙ୍ଗ । ଏନେଇ ଗୃହ କମିଟି ଗଠନ ପାଇଁ ଦାବି କଲେ କଂଗ୍ରେସ ବିଧାୟକ ଅଶୋକ ଦାସ । ୨୦୦୦ ରୁ ୨୦୨୪ ମଧ୍ୟରେ ରାଜ୍ୟରେ ୪୪ ହଜାର ୮୨୩ ମହିଳା ନିଖୋଜ ହୋଇଛନ୍ତି । ଏହା ପୂର୍ବ ସରକାରଙ୍କ ତଥ୍ଯ ଥିଲେ ବି ନୂଆ ସରକାରର ଏହି ୯ ମାସରେ ଅର୍ଥାତ୍ ଜୁନ ୨୦୨୪ ପରେ ୧୮ ହଜାର ନାରୀ ନିର୍ଯାତନା ମାମଲା ପଞ୍ଜିକରଣ ହୋଇଛି । ୫୪ ମହିଳା ଗଣ ଦୁଷ୍କର୍ମର ଶିକାର ହେଉଛନ୍ତି । ଦିନ ଦ୍ବିପ୍ରହରରେ ହତ୍ୟାକାଣ୍ଡ ହେଉଛି ।
ହୋଲି ଦିନ ମଦ ଦୋକାନ ଖୋଲା ରହିଲା, ଅନେକ ହତ୍ୟାକାଣ୍ଡ ବି ଘଟିଲା । ଏଭଳି ସ୍ଥିତି ପାଇଁ ଗୃହ କମିଟି ଗଠନ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ । କଂଗ୍ରେସ ବିଧାୟକ ସିଏସ ରାଜନ ଏକ୍କା ବି ଗୃହ କମିଟି ଗଠନ ପାଇଁ ଦାବି କରିବା ସହ ପୂର୍ବ ସରକାରଙ୍କ ସମୟରେ ଘଟିଥିବା ମହିଳା ଅପରାଧ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଆରମ୍ଭରୁ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ସରକାରଙ୍କ ବିବୃତି ଦାବି କରି ଆସୁଛି କଂଗ୍ରେସ ।