ମୁକୁନ୍ଦପୁରରେ କେବେ ନିର୍ମାଣ ହେବ ଗୋଷ୍ଠୀ ଶୌଚାଳୟ, ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ବି ଫଳ ଶୁନ

କୋଲନରା :(ସଂଜୀବ କଣ୍ଡାଗରୀ): କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରିବାକୁ ସ୍ଥାନୀୟ ଜନସାଧାରଣ ବହୁବାର ଦାବି କରୁଥିଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରୁନାହାନ୍ତି | ଏମିତିକି ପ୍ରଶାସନର ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଅଭିଯୋଗ କରିଥିଲେ ବି କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳି ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଯଉ ଫଳରେ ଗ୍ରାମରେ ଏକ ଶୌଚାଳୟ ନଥିବା ହେତୁ ଜରୁରୀ ସମୟରେ ଲୋକେ ନାନା ଅସୁବିଧା ଭୋଗୁଛନ୍ତି | ସୂଚନା ପ୍ରକାରେ, କୋଲନରା ବ୍ଲକର ମୁକୁନ୍ଦପୁର ଅଞ୍ଚଳରେ ୭ ଗୋଟି ପଞ୍ଚାୟତ ରହିଥିବା ବେଳେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ଜନସାଧାରଣ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ କିଣାବିକା କରିବା ପାଇଁ ମୁକୁନ୍ଦପୁର ଗ୍ରାମର ମୁଖ୍ୟ ବଜାର ଉପରେ ନିର୍ଭର କରିଥାନ୍ତି | ଅନ୍ୟପଟେ ମୁକୁନ୍ଦପୁର ଗ୍ରାମରେ ପ୍ରତ୍ୟେକ ଗୁରୁବାର ଦିନ ସାପ୍ତାହିକ ହାଟ ଅନୁଷ୍ଠିତ ହୁଏ | ଏହି ହାଟ ଉପରେ ମଧ୍ୟ ଅଞ୍ଚଳର ୭ଟି ପଞ୍ଚାୟତବାସୀଙ୍କ ସମେତ ଜିଲ୍ଲା ବାହାରୁ ତଥା ପଡ଼ୋଶୀ ଆନ୍ଧ୍ର ପ୍ରଦେଶରୁ ବହୁ ବ୍ୟବସାୟୀ ଆସି ବ୍ୟବସାୟ କରନ୍ତି | ମୁକୁନ୍ଦପୁର ଦେଇ ୩୨୬ ନମ୍ବର ଜାତୀୟ ରାଜପଥ ଯାଇଥିଲେ ମଧ୍ୟ ଦୂର ଦୂରାନ୍ତରକୁ ଯାଉଥିବା ଯାତ୍ରୀମାନେ ମଧ୍ୟ ବେଳେବେଳେ ଶୌଚାଳୟର ବ୍ୟବସ୍ଥା ନଥିବା ହେତୁ ଖାସକରି ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏଭଳି ସମସ୍ୟାକୁ ନେଇ ଗତ ବର୍ଷ ଅଗଷ୍ଟ ମାସ ୧୨ ତାରିଖରେ ମୁକୁନ୍ଦପୁର ପଞ୍ଚାୟତରେ ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ ଜନ ଶୁଣାଣି ଶିବିରରେ କୋଲନରା ବିଡିଓ ରୀନା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲିସିକାଙ୍କ ନିକଟରେ ଗ୍ରାମବାସୀ ଦରଖାସ୍ତ ମାଧ୍ୟମରେ ଅଭିଯୋଗ କରାଯିବାରୁ ତୁରନ୍ତ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା କିନ୍ତୁ ଆଜକୁ ଦୀର୍ଘ ୫ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଜାଗା ଚିହ୍ନଟ କରିବାକୁ କୌଣସି ଅଧିକାରୀଙ୍କ ଦେଖା ମିଳି ନାହିଁ | ଗ୍ରାମ୍ୟ ଜଳ ଯୋଗାଣ, ପରିମଳ ମିଶନ ଏବଂ ବ୍ଲକ ପ୍ରଶାସନ ଦ୍ବାରା ବିଭିନ୍ନ ପ୍ରକାର ଜନ ସଚେତନତା ମଧ୍ୟ କରାଯାଉଥିଲେ ବି ଗ୍ରାମରେ ଏକ ଶୌଚାଳୟ ନଥିବା ହେତୁ ଖୋଲା ସ୍ଥାନରେ ପରିସ୍ରା କିମ୍ବା ମଳତ୍ୟାଗ କରିବା ଦ୍ୱାରା ପରିବେଶ ଦୂଷିତ ହେଉଛି | ମୋଟାମୋଟି କହିବାକୁ ଗଲେ ମୁକୁନ୍ଦପୁର ଗ୍ରାମର ବ୍ୟାଙ୍କ୍ ଛକରେ ପ୍ରତ୍ୟେକ ଦିନ ଜନ ଗହଳି ଲାଗି ରହୁଥିବା ବେଳେ ଲୋକଙ୍କ ସୁବିଧାକୁ ନଜରରେ ରଖି ଏକ ଶୌଚାଳୟ ନିର୍ମାଣ କରିବା ପାଇଁ ଜିଲ୍ଲା କିମ୍ବା ବ୍ଲକ ପ୍ରଶାସନ ପାଖରେ ଆନ୍ତରିକତା ନାହିଁ | ତେଣୁ ତୁରନ୍ତ ଶୌଚାଳୟ ନିର୍ମାଣ ପ୍ରତି ଦୃଷ୍ଟି ନ ଦେଲେ ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା କେବଳ ସଚେତନତାରେ ହିଁ ସୀମିତ ହୋଇ ରହିଯିବ | ସେହିପରି ନିର୍ବାଚିତ ପ୍ରତିନିଧି, ବିଧାୟକ ଓ ସାଂସଦ ପାଣ୍ଠିରୁ କୋଟି କୋଟି ଟଙ୍କା ବିକାଶ ତଥା ଉନ୍ନୟନ ମୂଳକ କାର୍ଯ୍ୟରେ ବିନିଯୋଗ ହେଉଥିଲେ ସୁଦ୍ଧା ସ୍ଥାନୀୟ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିବା ସ୍ଥାନୀୟ ଲୋକେ କହିଛନ୍ତି | ସରକାରଙ୍କ ତରଫରୁ ଆବଶ୍ୟକ ସ୍ଥଳେ ଇ-ଟୟଲେଟ ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିବା ବେଳେ ଜିଲ୍ଲା ପ୍ରଶାସନ ତାହାର ବିନିଯୋଗ କରୁନାହିଁ | ତେଣୁ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ତୁରନ୍ତ ଅଞ୍ଚଳବାସୀଙ୍କ ସୁବିଧା ଦୃଷ୍ଟିରୁ ମୁକୁନ୍ଦପୁର ଗ୍ରାମର ବ୍ୟାଙ୍କ୍ ଛକ ନିକଟରେ ଏକ ଇ-ଟୟଲେଟ କିମ୍ବା ଗୋଷ୍ଠୀ ଶୌଚାଳୟ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି |