ପାଟଣାଗଡ଼ରେ ପତାକା ଉତ୍ତୋଳନ କଲେ ଉପ-ଜିଲ୍ଲାପାଳ
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରମାଇଁ ହାଇସ୍କୁଲ ପଡ଼ିଆରେ ୮୦ତମ ସବ୍-ଡିଭିଜନ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଉପ-ଜିଲ୍ଲାପାଳ ସୁନିଳ କୁମାର ମେହେର ଓ ଏସ୍ଡିପିଓ ସଦାନନ୍ଦ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ।
ଏହି ଅବସରରେ ପାଟଣାଗଡ଼ର ବରିଷ୍ଠ ବୁଦ୍ଧିଜୀବୀ, ସ୍ୱାଧୀନତା ସଂଗ୍ରାମୀ, ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ଉପ-ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ଏ ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବୀର ସହିଦ ଓ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସବ୍-ଡିଭିଜନବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଥିଲେ। ଚଳିତ ବର୍ଷର ସ୍ୱାଧୀନତା ଦିବସର ଥିମ୍ ‘ସ୍ୱାଧୀନତାର ସମ୍ମାନ, ଭବିଷ୍ୟତର ଉତ୍ସାହ’ ଉପରେ ସେ ଆଲୋକପାତ କରିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଦେଶପ୍ରେମ ଓ ଉତ୍ସାହର ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।
