August 17, 2026

ବରିଷ୍ଠ ଅଧିବକ୍ତା ବିଧାନଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଆଭାଷୀ ମାଧ୍ୟମରେ ସ୍ମୃତିଚାରଣ

IMG-20260816-WA0082
Share

 

 

ଖୋର୍ଦ୍ଧା, (ପ୍ରିୟଙ୍କା ମହାପାତ୍ର): ଖୋର୍ଦ୍ଧାର ବଶିଷ୍ଠ ଆଇନଜୀବୀ ତଥା ବିଜେବି ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦର ସକ୍ରିୟ ସଦସ୍ୟ ସ୍ୱର୍ଗତ ବିଧାନଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଆଭାଷୀ ମାଧ୍ୟମ ରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ବିଜେବି ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରାକ୍ତନ ଛାତ୍ର ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଆବାହକ ବିକ୍ରମ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ସ୍ୱର୍ଗତ ବିଧାନଚନ୍ଦ୍ର ମହାନ୍ତି କେବଳ ଜଣେ ଦକ୍ଷ ଓ ବରିଷ୍ଠ ଅଧିବକ୍ତା ନଥିଲେ, ସେ ଜଣେ ସାଂସ୍କୃତିକପ୍ରେମୀ, ସମାଜସେବୀ ଓ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବେ ଖୋର୍ଦ୍ଧାର ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଛାଡ଼ିଯାଇଛନ୍ତି। ବିଜେବି ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରାକ୍ତନ ଛାତ୍ର ସଂସଦର ସାଂସ୍କୃତିକ କମିଟିର ସଂଯୋଜକ ଭାବେ ସେ ଦୀର୍ଘଦିନ ଧରି ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ସହ ଜଡ଼ିତ ରହିଥିଲେ। ସଂଗଠନର ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକଳାପକୁ ସକ୍ରିୟ କରିବାରେ ତାଙ୍କର ଭୂମିକାକୁ ସ୍ମୃତିଚାରଣ ସଭାରେ ଉପସ୍ଥିତ ପ୍ରାକ୍ତନ ଛାତ୍ରମାନେ ସ୍ମରଣ କରିଥିଲେ। ଆଭାସୀ ମାଧ୍ୟମରେ ଆୟୋଜିତ ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ କୃଷ୍ଣମୋହନ ପଟ୍ଟନାୟକ, ସନ୍ତୋଷ କର, ଉମାଶଙ୍କର ପ୍ରସାଦ, ଡ. ନବକିଶୋର ମହାପାତ୍ର, ଉମେଶ ଚନ୍ଦ୍ର ଖଟେଇ,ସୁଶୀଲ ଦାସ, ସତ୍ୟବ୍ରତ ଦାସ, ଲକ୍ଷ୍ମୀନାରାୟଣ ଭଞ୍ଜ, ସୁଧାଂଶୁ ରାଉତରାୟ, ଶୁଭ୍ରାଂଶୁ ସାମନ୍ତରାୟ ଓ ସନ୍ତୋଷ ଦାସ ପ୍ରମୁଖଯୋଗଦେଇଥିଲେ। ସ୍ୱର୍ଗତ ମହାନ୍ତିଙ୍କ ସହିତ ନିଜ ନିଜର ଦୀର୍ଘଦିନର ସମ୍ପର୍କ ଓ ସ୍ମୃତିକୁ ମନେ ପକାଇବା ସହ ତାଙ୍କର ବ୍ୟକ୍ତିତ୍ୱ, ସାହିତ୍ୟ-ସଂସ୍କୃତି ପ୍ରତି ଅନୁରାଗ, ସାମାଜିକ ଦାୟିତ୍ୱବୋଧ ଏବଂ ଆଇନ କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

ବକ୍ତାମାନେ କହିଥିଲେ ଯେ, ବିଧାନଚନ୍ଦ୍ର ମହାନ୍ତିଙ୍କ ଭଳି ଜଣେ ଅଭିଜ୍ଞ ଆଇନଜୀବୀ ଓ ସାଂସ୍କୃତିକପ୍ରେମୀଙ୍କ ବିୟୋଗ ଖୋର୍ଦ୍ଧାର ସାମାଜିକ ଓ ବୌଦ୍ଧିକ ପରିସର ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ସରଳ ଜୀବନଯାପନ, ମିଷ୍ଟଭାଷୀ ବ୍ୟବହାର, ସହଯୋଗୀ ମନୋଭାବ ଓ ସାଂସ୍କୃତିକ କାର୍ଯ୍ୟକଳାପ ପ୍ରତି ନିଷ୍ଠା ତାଙ୍କୁ ସହକର୍ମୀ, ବନ୍ଧୁ ଓ ପ୍ରାକ୍ତନ ଛାତ୍ରମାନଙ୍କ ମଧ୍ୟରେ ସ୍ମରଣୀୟ କରି ରଖିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ।ଶେଷରେ ସମସ୍ତେ ସ୍ୱର୍ଗତ ବିଧାନଚନ୍ଦ୍ର ମହାନ୍ତିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ। ତାଙ୍କର ଆଦର୍ଶ, ସ୍ମୃତି ଓ ସାମାଜିକ-ସାଂସ୍କୃତିକ ଅବଦାନକୁ ଆଗାମୀ ପିଢ଼ି ମନେ ରଖିବ ବୋଲି ସ୍ମୃତିଚାରଣ ସଭାରେ ମତ ପ୍ରକାଶ ପାଇଥିଲା।