November 15, 2024

ଗଜପତି ଜିଲ୍ଲା ସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ…

Share

 

 

ଗଜପତି(ଗଣେଶ କୁମାର ରାଜୁ)ଜିଲ୍ଲାରେ ଚଳାଚଳ ହେଉଥିବା ବସ୍ ସେବାର ବ୍ୟବସ୍ଥା ନେଇ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ ଯୋଗ ଦେଇ ଗଜପତି ଜିଲ୍ଲାରେ ବସ୍ ସେବା ଚଳ ପ୍ରଚଳ ନେଇ ରହିଥିବା ସ୍ଥିତି ସମ୍ପର୍କରେ ବିଭିନ୍ନ ଷ୍ଟେକ୍ ହୋଲ୍ଡର ଙ୍କ ସହ ଆଲୋଚନା କରିଥିଲେ ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତ ମହାନ୍ତି,ଉପ-ଜିଲ୍ଲାପାଳ ଅନୁପ ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାଶ ଏବଂ ଜିଲ୍ଲା ପରିବହନ ପରିଚାଳକ ତନ୍ମୟ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ।

ଜିଲ୍ଲାର ଗ୍ରାମାଞ୍ଚଳ ପରିବହନ ସେବା ଭଲ ଭାବେ ଚାଲିଛି,ଏହି ସେବାରୁ ବଞ୍ଚିତ ବାକି ଥିବା ସମସ୍ତ ଗ୍ରାମ ପଞ୍ଚାୟତକୁ ମଧ୍ୟ ପରିବହନ ସେବା ଚାଲିବ ବୋଲି ପରିବହନ ବିଭାଗ ଅତିରିକ୍ତ ସଚିବ କହିଥିଲେ । ଜିଲ୍ଲାର ସଦର ମହକୁମା ସମେତ ସମସ୍ତ ବ୍ଲକରେ ବସଷ୍ଟାଣ୍ଡ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଗ୍ରାଧିକାର ଦିଆଯାଉଛି। ବସ ସେବାରେ ଯେଉଁଭଳି ଭାବେ ସ୍ବଚ୍ଛତା ବଜାୟ ରହିବ ସେଥିପ୍ରତି ବିଭାଗ ସମ୍ପୂର୍ଣ ସଜାଗ ରହିଛି। ପ୍ରତି ପଞ୍ଚାୟତ ମୁଖ୍ୟାଳୟ ଠାରୁ ବସ୍ ଚଳାଚଳ ପାଇଁ ପ୍ରୟାସ କରାଯାଉଛି ବୋଲି ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି ଯେ ,ଜିଲ୍ଲାର ଜନସାଧାରଣଙ୍କୁ ପରିବହନ ସେବା ଯୋଗାଇ ଦେବାର ଯେଉଁ ଭଳି ଅସୁବିଧା ନ ହେବ ସେଥି ପ୍ରତି ଗୁରୁତ୍ୱ ଦିଆଯିବ। ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ବସ ସେବା ଯୋଗାଇ ଦେବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି। ଗମନାଗମନର ସୁବିଧା ପାଇଁ ସମସ୍ତ ବିଭାଗ ଓ ଷ୍ଟେକ୍ ହୋଲ୍ଡରଙ୍କ ଭିତରେ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ହେବ ବୋଲି ମତ ପ୍ରକାଶ କରିଛନ୍ତି। ଏହି ବୈଠକରେ ଯୋଗ ଦେଇଥିବା ଘରୋଇ ବସ ମାଲିକ ସଂଘ କର୍ମଚାରୀ ଓ ବୁଦ୍ଧିଜୀବୀ ମାନେ ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ଜିଲ୍ଲା ସ୍ତରରେ ଅନୁମୋଦନ କରାଯାଇ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି।

ଏହି ବୈଠକରେ ଘରୋଇ ବସ ମାଲିକ ସଂଘ ସଭାପତି ସି.ଏଚ.ସୀମାଦ୍ରି , ସମ୍ପାଦକ

ଆଇ.ଭେଙ୍କଟ ରାଓ ସମେତ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ , ଘରୋଇ ବସ ମାଲିକ ସଂଘ କର୍ମଚାରୀ , ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।