ପାଣି କିଣି ପିଉଛୁ, ହାତ ଯୋଡ଼ି ନିବେଦନ କରୁଛୁ; ସମସ୍ୟା ସମାଧାନ କରିବାକୁ ସରକାରଙ୍କୁ ନିବେଦନ କଲେ ଚଞ୍ଚଡ଼ାପଲ୍ଲୀ ଗ୍ରାମବାସୀ*

ମୋହନା, ୧୭/୫(ଆପ୍ର): ପ୍ରଚଣ୍ଡ ରୌଦ୍ର ତାପରେ ଆଉଟୁ ପାଉଟୁ ହେଉଛନ୍ତି ଲୋକ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ନଈ ନାଳ, ଝରଣା ଓ କୁଅ ପାଣି ଶୁଖି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଫଳରେ ବୈଠକ କରି ଏକ ଟ୍ୟାଙ୍କର ମାଧ୍ୟମରେ ଦୈନିକ ୧୫୦୦ ଟଙ୍କା ଦେଇ ପାଣି କିଣି ପିଉଛନ୍ତି ଲୋକେ। ଟ୍ୟାଙ୍କର ଗାଡ଼ି ଲାଗିବା ମାତ୍ରେ ପିଲାଠୁ ଆରମ୍ଭ କରି ଯୁବକ, ଯୁବତୀ, ବୃଦ୍ଧ ବ୍ୟକ୍ତି ନିଜ ନିଜର ହାଣ୍ଡି ମାଠିଆ ଧରି ଧାଡ଼ି ବାନ୍ଧି ଠେଲାପେଲା ହୋଇ ପାଣି ନେଉଛନ୍ତି। ଜୋର ଯାର ମୁଲକ ତାର। ଯାହାର ବଳ ଅଛି ସେ ପାଣି ମିଳିଲା ଯିଏ ଦୁର୍ବଳ ସେ ପାଣି ପାଇବାରେ ବଞ୍ଚିତ ହେଉଛନ୍ତି।
ଏପରି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖାରୀଗୁଡା ପଞ୍ଚାୟତ ଚଞ୍ଚଡ଼ାପଲ୍ଲୀ ଗାଁରେ। ଏହି ଗାଁରେ ୩୨ ପରିବାର ବସବାସ କରୁଛନ୍ତି। ଜନ ସଂଖ୍ୟା ୩୦୨ ରହିଛି। କୁଅ ଓ ନଳକୂପ ଗୋଟିଏ ଲେଖାଏଁ ରହିଛି। କୁଅ ଶୁଖି ଯାଇଥିବା ବେଳେ ନଳକୁପରେ ଦୈନିକ ୨ ରୁ ୩ ହାଣ୍ଡି ପାଣି ବାହାରୁଛି। ଏ ନେଇ ଗ୍ରାମର ଜାମେସ ଶବରଙ୍କ ନେତୃତ୍ୱରେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇବା ସହ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଓ ମୌଖିକ ଭାବେ ମଧ୍ୟ ଜଣାଇଛନ୍ତି। ଏଥିସହ ପଞ୍ଚାୟତ ପାନୀୟ ଜଳ ଯୋଗାଣ ବିଭାଗକୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳି ନଥିବା କହିଛନ୍ତି ଗ୍ରାମବାସୀ। ତେଣୁ ବାଧ୍ୟହୋଇ ଗ୍ରାମବାସୀ ବୈଠକ କରି ପ୍ରତିଦିନ ୧୫୦୦ ଟଙ୍କା ଭଡା ଦେଇ ଟ୍ୟାଙ୍କରରେ ପାଣି କିଣୁଥିବା କହିଛନ୍ତି।
ପାନୀୟ ଜଳ ସଙ୍କଟ ସମାଧାନ ଯଦି କରା ନ ଯାଏ ତେବେ ଆଗାମୀ ଦିନରେ ରାସ୍ତା ରୋକ୍ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ଚଞ୍ଚଡ଼ାପଲ୍ଲୀ ଗାଁ ଲୋକ। ଏନେଇ ବିଡ଼ିଓ ରାଜୀବ ଦାସଙ୍କୁ ପଚାରିବାରେ ଖୁବ ଶୀଘ୍ର ଗାଁକୁ ଯାଇ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।