୨୩ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ଆକର୍ଷଣୀୟ ୱାଟର ଫାଉଂଟେନ ଉଦଘାଟିତ

ବାଲେଶ୍ୱର(ଶେଖ୍ ନଜିମ୍): ସୌନ୍ଦର୍ଯ୍ୟକରଣ ଦିଗରେ ବାଲେଶ୍ୱର ସହର ପାଦେ ଆଗକୁ ଯାଇଛି । ସହରର ତିନୋଟି ପ୍ରମୁଖ ସ୍ଥାନରେ ଉଦଘାଟିତ ହୋଇଛି ୱାଟର ଫାଉଂଟେନ । ଏଥିପାଇଁ ଖର୍ଚ୍ଚ ହୋଇଛି ୨୩ଲକ୍ଷ ଟଙ୍କା । ସ୍ଥାନୀୟ ଫକୀର ମୋହନ ଗୋଲେଇ ଠାରେ ପ୍ରଥମ ଫାଉଂଟେନଟକୁ ସଦର ବିଧାୟକ ମାନସ କୁମାର ଦତ୍ତ ଓ ପୌରାଧ୍ୟକ୍ଷା ସବିତା ସାହୁ ମିଳିତ ଭାବେ ଉଦଘାଟନ କରିଥିଲେ । ବାଲେଶ୍ୱର ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଛି । ଏହି କ୍ରମରେ ସ୍ୱଚ୍ଛ ଭାରତ ମିଶନର ଅନୁଦାନ ଜରିଆରେ ତିନୋଟି ଅତି ଆକର୍ଷଣୀୟ ୱାଟର ଫାଉଂଟେନ ନିର୍ମାଣ କରାଯାଇଛି । ଆଗାମୀ ଦିନରେ ଏହିଭଳି ଅନେକ ପ୍ରକଳ୍ପ ହାତକୁ ନିଆଯିବ ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି । ତେବେ ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟକାରିତାରେ ଅନଧିକାର ଜବରଦଖଲ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ସହରକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଜନସାଧାରଣଙ୍କ ସହଯୋଗ ପାଇଁ ସେ ନିବେଦନ କରିଛନ୍ତି । ଫକୀରମୋହନ ଗୋଲେଇ ଠାରେ ଫାଉଂଟେନ ପ୍ରକଳ୍ପ ପାଇଁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ । ପୂର୍ବରୁ ଥିବା ଛୋଟ ୱାଟର ଫାଉଂଟେନକୁ ଅଚଳ ହୋଇପଡିଥିବା ବେଳେ ନୂତନ ଭାବେ କଳେବର ବୃଦ୍ଧି ସହ ଏହି ଫାଉଂଟେନ ନିର୍ମାଣ କରାଯାଇଛି । ୱାଟର ଫାଉଂଟେନ ସହ ଫକୀର ମୋହନ ଗୋଲେଇର ମଧ୍ୟ ସ୍ଥଳକୁ ସବୁଦିନିଆ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବା ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି । ୫ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ଦ୍ୱିତୀୟ ୱାଟର ଫାଉଂଟେନଟି ଉଦଘାଟିତ ହୋଇଥିଲା ସ୍ଥାନୀୟ ପୋଲିସ ଲାଇନ ନିକଟ କଣ୍ଢେଇ ଛକ ଠାରେ । ବିଧାୟକ ଶ୍ରୀ ଦତ୍ତ ଓ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ସମେତ ପୌରପରିଷଦର କାଉନସିଲରମାନେ ଉପସ୍ଥିତ ରହି ଏହି ଫାଉଂଟେନକୁ ଉଦଘାଟନ କରିଥିଲେ । କଣ୍ଢେଇ ଛକ ଠାରେ ୱାଟର ଫାଉଂଟେନ ନିର୍ମାଣ ପାଇଁ ନିଷ୍ପତିକୁ ସ୍ୱାଗତ ସହ ସ୍ଥାନୀୟ କାଉନସିଲର ସଞ୍ଜିବ ଦାସ ବିଧାୟକ ଓ ପୋରାଧ୍ୟକ୍ଷାଙ୍କୁ କୃତଜ୍ଞତା ଜଣାଇଛନ୍ତି । ତୃତୀୟ ଫାଉଂଟେନଟି ସହରର ମଧ୍ୟଭାଗରେ ସ୍ଥିତ ସିନେମାଛକର ଶହିଦପାର୍କ ଠାରେ ଉଦଘାଟନ କରାଯାଇଛି । ଏଥିପାଇଁ ୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି । ସମସ୍ତ ଫାଉଂଟେନ ଉଚ୍ଚକୋଟିର ସରଞ୍ଜାମରେ ନିର୍ମାଣ କରାଯାଇଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ପୌରାପାଳିକା ପକ୍ଷରୁ କରାଯିବ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦର କାଉନସିଲର ସତ୍ୟଶିବ ସୁନ୍ଦର ଦାସ, ରଞ୍ଜିତା ମହାପାତ୍ର, ପ୍ରିତିଲତା ସେଠୀ, ସଲିମା ବିବି, ଶୋଭା ମହାପାତ୍ର, ସବିତା ଦାସ ପ୍ରମୁଖଙ୍କ ସହ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ନିର୍ଲିପ୍ତା ଦାସ, ପୌର ଇଞ୍ଜିନିୟର ସୀମାଂଚଳ ମିଶ୍ର ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ । ପୌରପାଳିକା କର୍ମଚାରୀମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।