May 22, 2025

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Share

 

 

ବାଲେଶ୍ୱର(ଶେଖ୍ ନଜିମ୍):ବାଲେଶ୍ୱର ଜିଲ୍ଲା ସଦର ମହକୁମାଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରାଯିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ଅଡିଟୋରିଅମ ହଲରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିରଞ୍ଜନ ବେହେରା ଓ ଅଶ୍ୱନୀ କୁମାର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୋପୀନାଥ ପରିଡା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ଐଶ୍ୱର୍ଯ୍ୟା ସାମନ୍ତ ପ୍ରମୁଖ ଯୋଗଦେଇ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସକୁ ମହାଆଡ଼ମ୍ବରରେ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ସହିତ ଜାତୀୟତାବୋଧକୁ ବଜାୟ ରଖି ଜିଲ୍ଲାସ୍ତରୀୟ ଉତ୍ସବ ପାଳନରେ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ଗଣମାଧ୍ୟମ ଏବଂ ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦାନ ପୂର୍ବକ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ ସାମନ୍ତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ । ସର୍ବ ସମ୍ମତି କ୍ରମେ ନିଷ୍ପତି ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ରାମଧୂନ, ପ୍ରଭାତଫେରୀ, ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ, ଜାତୀୟ ପତାକା ଉତୋଳନ ଓ ମୁଖ୍ୟ ଅତିଥିଙ୍କ ଅଭିବାଦନ ଗ୍ରହଣ, ଅନୁଷ୍ଠାନ ମାନଙ୍କରେ ଫଳ-ବିସ୍କୁଟ ତଥା ମିଷ୍ଠାନ୍ନ ବଂଟନ, ରକ୍ତଦାନ ଶିବିର, ପୁଷ୍ପପ୍ରଦର୍ଶନୀ, ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ, ଚିତ୍ରକଳା ପ୍ରଦର୍ଶନୀ, ପୁରସ୍କାର ବିତରଣୀ ଉତ୍ସବ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ବିଷୟରେ ଜିଲ୍ଲାପାଳ ଆଲୋଚନା କରି ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ ଯଥାରୀତି ଦାୟିତ୍ୱ ନେବା ବିଷୟରେ ଅବଗତ କରାଇଥିଲେ । ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ୟାରେଡ ଅଭ୍ୟାସ ଆସନ୍ତା ଜାନୁଆରୀ ୨୨,୨୩ ଓ ୨୪ତାରିଖରେ କରାଯିବ । ମୁଖ୍ୟ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ବାଲେଶ୍ୱର ପାଇଁ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କ ସହିତ ସାମ୍ବାଦିକତା କ୍ଷେତ୍ରରେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଶେଷ ଅବଦାନ ରଖିଥିବା ସାମ୍ବାଦିକଙ୍କୁ ପୁରସ୍କୃତ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା । ସନ୍ଧ୍ୟାରେ ଗାନ୍ଧୀ ସ୍ମୃତି ଭବନଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ପୁରସ୍କାର ବିତରଣ କରାଯିବ । ଜିଲ୍ଲାର ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ବୈଠକରେ ଯୋଗ ଦେଇ ରାଷ୍ଟ୍ରୀୟ ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ ।

You may have missed