May 22, 2025

ଚାଷୀଙ୍କ ଆତ୍ମହତ୍ୟା ଧମକ ପରେ ମଣ୍ଡିରୁ ଉଠିଲା ଧାନ 

Share

ବୁଗୁଡ଼ା : ତା ୧୭/୦୧/୨୫ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଧାନମଣ୍ଡି ବୁରୁଝୋଳା ତୋଟାରେ ଖୋଲା ଯାଇଛି l ସେଠାରେ ଖୋଳଖାଳି ପଞ୍ଚାୟତର ଚାଷୀମାନେ ଦୀର୍ଘ ୪ ଦିନ ହେଲା ଧାନ ରଖି ରାତି ଅନିଦ୍ରା ହୋଇ ଜଗି ରହିଥିଲେ ହେଁ ପ୍ରଶାସନ ଧାନ ଉଠାଉ ନଥିଲା l ଏପଟେ କଟନି ଛଟନି କରି ଧାନ ନେବା ପାଇଁ ଯୋଜନା ଚାଲିଥିଲା ବେଳେ ସେପଟେ ଚାଷୀଙ୍କ ଏକା ଜିଦ ଥିଲା ଯେ ଏଫଏକ୍ଯୁ ମାନ ଯାଞ୍ଚ କରି ଧାନ ନିଅ ନତୁବା ଆମେ ଧାନ ଦେବୁନାହିଁ l ଏହା ପରେ ଗତକାଲି ଆରଏମସି ଅଧିକାରୀ ଓ ଯାଞ୍ଚ କର୍ମଚାରୀ ପହଞ୍ଚି ଧାନର ମାନ ଯାଞ୍ଚ କରି ଏଫଏକ୍ଯୁ ମାନର ଧାନ ବୋଲି ରିପୋର୍ଟ ଦେଇଥିଲେ ହେଁ ଧାନ ଉଠି ନଥିଲା l ଏ ନେଇ ଚାଷୀମାନେ ହୋହାଲ୍ଲା କରିବା ପରେ ପୁଣି ଏଫଏକ୍ଯୁ ମାନ ଯାଞ୍ଚ କରାଯିବ ବୋଲି ସୋସାଇଟି କର୍ତ୍ତୃପକ୍ଷ ବାହାନା ଦେଖାଇ ଥିଲେ। ଯାହା ଫଳରେ ୪ ଦିନ ହେଲା ଅଖିଆ ଅପିଆ ହୋଇ ଧାନ କେବେ ଉଠିବ ବୋଲି ଆତୁର ହୋଇ ବସିଥିବା ଚାଷୀ ଉତକ୍ଷିପ୍ତ ହୋଇ ଉଠିଥିଲେ ଏବଂ ଧାନ ଉଠାଯାଉନଥିବାରୁ ନିରାଶ ହୋଇ ଚାଷୀ ସୌମେନ୍ଦ୍ର ସ୍ୱାଇଁ ଆଜି ଧାନ ନ ଉଠିଲେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବା ପାଇଁ ଧମକ ଦେବା ପରେ ଏମଆଇ ଚମ୍ପାଇ ମାରାଣ୍ଡି ଓ ଆରଏମସି ଅଧିକାରୀ ପହଞ୍ଚି ଧାନ ଉଠାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ l ଖୋଳଖାଳି ପଞ୍ଚାୟତର କୌଣସି ଚାଷୀ କଟନି ଛଟନିକୁ ରାଜି ନହୋଇ ଏଫଏକ୍ଯୁ ମାନ ଯାଞ୍ଚ କରି ଧାନ ଉଠାଯାଇ ଠିକ୍ ଅର୍ଥ ପୈଠ କରିବା ପାଇଁ ଏକଜୁଟ ହେବା ଫଳରେ ଧାନ ଉଠା ଆରମ୍ଭ ହୋଇଥିବା ଜଣା ପଡିଛି l

You may have missed