November 11, 2024

ବୁଗୁଡ଼ା ଏନଏସିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ

Share

ବୁଗୁଡା : ଗତ ୧୯୭୩ ମସିହାରେ ସ୍ଥାପିତ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ବଡଦାଣ୍ଡଠାରେ ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବର ଶୁଭ ଉଦଘାଟନ ହୋଇଯାଇଛି । ଏନ୍ଏସି ଅଧକ୍ଷ ଚିତ୍ରସେନ ପ୍ରଧାନଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଦ୍ବିଦିବସୀୟ ଉତ୍ସବକୁ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଊଷା ଦେବୀ ଉଦଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଉପାଧ୍ଯକ୍ଷା ଗୀତାଞ୍ଜଳି ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା , ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ଦାଶ , ସାଂସଦ ପ୍ରତିନିଧି ବସନ୍ତ କୁମାର ଦଳେଇ , ସମାଜସେବୀ ମଦନ ଗୋପାଳ ଦୋରା ଓ କେ. ତ୍ରିଲୋଚନ ଦୋରା ପ୍ରମୁଖଙ୍କ ସମେତ ସମସ୍ତ କାଉନସିଲର ଯୋଗ ଦେଇଥିଲେ । ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ ବିବରଣୀ ପଠନ କରିଥିଲେ । ଏ ଅବସରରେ ଅତିଥିମାନଙ୍କ ଦ୍ବାରା ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

ଏଥି ସହ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କ ସାଙ୍ଗକୁ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଦକ୍ଷତା ପ୍ରତିପାଦନ ପାଇଁ ଏନ୍ଏସି କର୍ମଚାରୀମାନଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଉପସ୍ଥାପିକା ଅମ୍ରିତାଙ୍କ ସଂଯୋଜନାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀଙ୍କ ଦ୍ଵାରା ସାମୁହିକ ନୃତ୍ୟ ସାଙ୍ଗକୁ ଆଦିତ୍ଯ ଡ୍ଯାନ୍ସ ଗ୍ରୁପ୍ ଦ୍ବାରା ନୃତ୍ଯ ପରିବେଷଣ ଏବଂ ଗାୟକ ସତ୍ଯଜିତ୍ ଓ ଗାୟିକା ଯାଜ୍ଞସେନୀଙ୍କ ସୁଲଳିତ ସଙ୍ଗୀତକୁ ଦର୍ଶକ ମନଭରି ଉପଭୋଗ କରିଥିଲେ ।

You may have missed