March 11, 2026

ମା ସମଲେଶ୍ବରୀଙ୍କ ପାଖରେ ଲାଗି ହେବ ଜୈବିକ ପ୍ରଣାଳୀରେ ଚାଷରୁ ପ୍ରସ୍ତୁତ ଅନ୍ନ 

IMG-20250916-WA0007
Share

 

 

ଭୋଗରେ ପବିତ୍ରତା, ଚାଷୀଙ୍କୁ ମିଳିବ ପରିଚୟ

 

ସମ୍ବଲପୁର,୧୬. ୦୯(ରାଜାରାମ ଷଡ଼ଙ୍ଗୀ):ସମଲେଶ୍ୱରୀ ମା’ଙ୍କ ଭୋଗ ମଣ୍ଡପକୁ ଜୈବିକ ପଦ୍ଧତି ରେ ଉତ୍ପାଦିତ ଧାନରୁ ପ୍ରସ୍ତୁତ ଚାଉଳରୁ ଅନ୍ନ ଭୋଗ ଲାଗି ହେବ। ଏହାକୁ ଯୋଗାଇ ଦେବାପାଇଁ ବରଗଡ଼ ଜିଲ୍ଲା ର ପଦ୍ମପୁର ଅଞ୍ଚଳର କୃଷକମାନେ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ବିମଳ ଫାର୍ମର୍ସ ପ୍ରୋଡ୍ୟୁସର୍ ଅର୍ଗାନାଇଜେସନ୍, ମହୁଲପାଲି, ପଦମପୁର ଏବଂ ଗନ୍ଧମାର୍ଦ୍ଦନ ଫାର୍ମର୍ସ ପ୍ରୋଡ୍ୟୁସର୍ ଅର୍ଗାନାଇଜେସନ୍, ଦାହିତା, ପଦମପୁରର କୃଷକ ପ୍ରତିନିଧି ମାନେ ମା ସମଲେଇ ଙ୍କ ଦର୍ଶନ ସହ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ବାବୁଙ୍କ ସହିତ ଏହି ବିଶେଷ ସହଯୋଗ ବିଷୟରେ ଆଲୋଚନା କରିଛନ୍ତି।

 

ଏହି ଆଲୋଚନାରେ କୃଷକମାନେ ମା ସମଲେଶ୍ୱରୀ ଙ୍କ ନିତ୍ୟ ଭୋଗ ତଥା ମନ୍ଦିର ର ଭୋଗ ମଣ୍ଡପକୁ ଜୈବିକ ପ୍ରଣାଳୀ ରେ ଚାଷ କରାଯାଇଥିବା ଧାନ ରୁ ପ୍ରସ୍ତୁତ ଚାଉଳ ଯୋଗେଇବାକୁ ଇଚ୍ଛା ପ୍ରକାଶ କରିଥିଲେ। କୃଷକ ବନ୍ଧୁ ମାନଙ୍କ ପକ୍ଷରୁ ଏହି ପଦକ୍ଷେପ ଭୋଗର ପବିତ୍ରତାକୁ ସୁରକ୍ଷିତ କରିବାରେ ସହାୟକ ହେବା ସହିତ ଚାଷୀମାନଙ୍କ ଜୈବିକ ଉତ୍ପାଦନକୁ ବଜାରରେ ସ୍ଥାନ ଦେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ ଏବଂ ଭକ୍ତ ମାନଙ୍କୁ ପ୍ରସାଦ ସେବନରେ ଏକ ଦିବ୍ୟ ଅନୁଭୂତି ପ୍ରଦାନ କରିବ ।

 

ଏହି ପ୍ରୟାସରେ ଚାଷୀମାନଙ୍କ ପକ୍ଷରୁ ଅଶୋକ କୁମାର ସାହୁ, ହୃଦାନନ୍ଦ ନାୟକ, ସୁରେଶ ଚାନ୍ଦ, ମଲୟ ଭୋଇ, କୁଳମଣି ବାରିକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଚାଷୀ ନେତା ସରୋଜ ମହାନ୍ତି ଓ ସମାଜସେବୀ ପ୍ରିତମ ମେହେର ସମ୍ପୂର୍ଣ୍ଣ କାର୍ଯ୍ୟର ସମନ୍ୱୟ କରିଥିଲେ। ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା ଓ ବିରେନ୍ଦ୍ର ରାୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

 

ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ବାବୁ କୃଷକମାନଙ୍କ ଉଦ୍ୟମକୁ ସ୍ୱାଗତ କରି କହିଥିଲେ, “ମା’ ସମଲେଶ୍ୱରୀଙ୍କ ଭୋଗରେ ବ୍ୟବହାର ହେବାକୁ ଥିବା ଚାଉଳ ଜୈବିକ ପ୍ରଣାଳୀ ରେ ଉତ୍ପାଦିତ ହୋଇ ମନ୍ଦିରକୁ ଯୋଗାଇବା ଏକ ପବିତ୍ର ଉଦ୍ୟମ। ଏହି କାର୍ଯ୍ୟ ପାଇଁ କୃଷକ ଭାଇ ମାନଙ୍କୁ ଯୋଗାଯୋଗ କରିଥିଲୁ ଏବଂ ସେମାନେ ଟ୍ରଷ୍ଟ ବୋର୍ଡ ର ଏହି ଉଦ୍ୟମ କୁ ସାର୍ଥକ କରିବାରେ ସହାୟକ ହେବା ଆନନ୍ଦର ବିଷୟ। ଏହି କାର୍ଯ୍ୟ ପାଇଁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଟ୍ରଷ୍ଟ ବୋର୍ଡ ତରଫରୁ ସଭାପତି ସଞ୍ଜୟ ବାବୁ କୃତଜ୍ଞତା ଜଣାଇଛନ୍ତି।

 

ଏହି ପଦକ୍ଷେପ ଆଗାମୀଦିନରେ ମା ସମଲେଶ୍ୱରୀ ଙ୍କର ଭୋଗର ପବିତ୍ରତା ବଢ଼ାଇବା ସହିତ ସଂପୃକ୍ତ ଅଞ୍ଚଳର କୃଷକମାନଙ୍କୁ ମଧ୍ୟ ନୂଆ ପରିଚୟ ଦେବା ସହିତ ନୂତନ ଆର୍ଥିକ ଉନ୍ନତି ର ବାଟ ଖୋଲିବ ବୋଲି ଆଶା କରାଯାଉଛି।