ସ୍କୁଲ ଖୋଲିବା ପାଇଁ ନୂଆଗାଁ ଓ ବେଣିଆ ଗ୍ରାମବାସୀ ଙ୍କ ବିଶାଳ ପଦଯାତ୍ରା..
*ଜନସଭାରେ ଶିକ୍ଷା ବିଭାଗର ଖାମଖିଆଲ ନୀତିକୁ ସବୁ ଦଳୀୟ ନେତୃବୃନ୍ଦ ଙ୍କ ଭର୍ତ୍ସନା*
*ସ୍କୁଲ ଉଛେଦ ପ୍ରତ୍ୟାହାର ନହେଲେ ରାଜରାସ୍ତା ବନ୍ଦ ହେବ*
ଆସିକା , ତା ୧୬/୦୮. ଚିନି ଶିଳ୍ପ ନୂଆଗାଁ ସ୍କୁଲର ୬ଷ୍ଠ ଓ ୭ମ ଶ୍ରେଣୀର ଉଛେଦକୁ ପ୍ରତିବାଦ କରି ନୂଆଗାଁ ଓ ବେଣିଆ ଗ୍ରାମ ଏବଂ କଇଁଫୁଲିଆ ଛକର ଶହ ଶହ ସଂଖ୍ୟାରେ ଜନସାଧାରଣ, ଛାତ୍ର ଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ର ସମାଜ ଆଜିର ବିଶାଳ ପଦଯାତ୍ରାରେ ସାମିଲ୍ ହୋଇ ଶୋଭାଯାତ୍ରାରେ ନୂଆଗାଁ କାଳି ମନ୍ଦିର ଠାରୁ ବାହାରି ଗାଁ ଓ ସହର ପରିକ୍ରମା କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିପ୍ଳବୀ କମ୍ୟୁନିଷ୍ଟ ନେତା ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଜନସଭା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଶିକ୍ଷା ଅଧିକାର ପାଇଁ ସାମିଲ୍ ହୋଇଥିଲେ ଏବଂ ଜନସଭାରେ ଶିକ୍ଷା ବିଭାଗର ବୈମାତୃକ ମନୋଭାବ କୁ ତୀବ୍ର ଭର୍ତ୍ସନା କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚିନି ଶିଳ୍ପ ନୂଆଗାଁ ସ୍କୁଲର ୬ଷ୍ଠ ଓ ୭ମ ଶ୍ରେଣୀକୁ ଉଛେଦ କରି ନିକଟସ୍ଥ ବାବନପୁର ସ୍କୁଲରେ ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଯୋଗୁଁ ଏହା ବିରୁଦ୍ଧରେ ଜନମତ ସୃଷ୍ଟି ହୋଇଥିଲା। ପୃର୍ବତନ ବିଧାୟିକା ମଂଜୁଳା ସ୍ବାଇଁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଲିଖିତ ଚିଠି ଦେବା ସତ୍ବେ ଶିକ୍ଷା ବିଭାଗର ବୈମାତୃକ ମନୋଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ସ୍କୁଲ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ୬୭ ଛାତ୍ର ଛାତ୍ରୀ ଚାତକ ପକ୍ଷୀ ପରି ଅନାଇ ବସିଛନ୍ତି। ଅନ୍ୟ ସ୍କୁଲକୁ ନଯିବା ପାଇଁ ଦାବୀ ଉପସ୍ଥାପନ କରି ଆସୁଛନ୍ତି। ସମସ୍ତ ସ୍ତରରେ ଲିଖିତ ଦୃଷ୍ଟି ଆକର୍ଷଣ କରିବା ସହ ଗଣଧାରଣା ଆଜି ୧୯ ଦିନରେ ପହଂଚିଛି। ଚିନିଶିଳ୍ପ ନୂଆଗାଁ ସ୍କୁଲର ୬ଷ୍ଠ ଓ ୭ମ ଶ୍ରେଣୀକୁ ଉଛେଦ ନିର୍ଦ୍ଦେଶକୁ ତୁରନ୍ତ ପ୍ରତ୍ୟାହାର କରି ନିୟମିତ ଶିକ୍ଷକ ନିଯୁକ୍ତି ସହ ଶିକ୍ଷାଦାନ ଆରମ୍ଭ କରି ଛାତ୍ରଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ଦାବିରେ ବିଶାଳ ପଦଯାତ୍ରା ଓ ଜନସଭା ଅନୁଷ୍ଠିତ ହୋଇଯାଇଛି। ଏହି ଜନସଭାରେ ଆସିକା ଓକିଲ ସଂଘ ର ବିଦେଶୀ ନାହକ, ସିପିଆଇ ଏମ୍ ନେତା ଲକ୍ଷ୍ମଣ ପାଢ଼ୀ, ବିଜେଡ଼ି ର ନଚିକେତା ସ୍ବାଇଁ, କଂଗ୍ରେସର ଦେବକାନ୍ତ ଶର୍ମା, ଜିଲ୍ଲା ପରିଷଦ ଡି ମନୋଜ ଦୋରା, ଦିଲ୍ଲୀପ ପାଣିଗ୍ରାହୀ, ଅନିଲ କୁମାର ନାୟକ, ସମିତି ସଭ୍ୟା ଡ଼ଲି ରାଣୀ ଦାସ, ସରପଞ୍ଚ ଜୟନ୍ତୀ ବେହେରା, ବ୍ଳକ ଅଧ୍ୟକ୍ଷ ଶିବ ନାହକ, ବିଜେପି ର ଯୁବ ନେତା ଶ୍ରୀନିବାସ ଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟିର ହଜାରୀ ପଇଡା, ସାଇ ରାମ୍ ବିଶ୍ବାଳ, ଜଗବନ୍ଧୁ ନାହକ, ପ୍ରଫୁଳ ନାହକ, ଶଙ୍କର ସାହୁ, ଅଜୟ ସ୍ବାଇଁ, ବାଳା ବିଶ୍ବାଳ, ସୁଦର୍ଶନ ନାହକ, ବାବୁଲି ପଇଡା, ଅଜୟ ବିଶ୍ବାଳ, ବେଣିଆ ଗ୍ରାମର ନେତୃତ୍ବ ବୁଦ୍ଧିରାମ ନାହକ, ବଳରାମ ଜେନା, କଇଫୁଲିଆର ନେତ୍ରୀ ଝୁନୁ ସ୍ବାଇଁ, ଧନେଶ୍ଵର ସ୍ବାଇଁ ସମେତ ବହୁ ନେତୃବୃନ୍ଦ ସାମିଲ୍ ହୋଇଥିଲେ। ବିଶାଳ ପଦଯାତ୍ରା ଓ ଜନସଭାରେ ସାମିଲ୍ ହୋଇଥିବା ସମସ୍ତ ବଂଧୁଙ୍କୁ ନୂଆଗାଁ ର ଯୁବ ନେତା ରାଘବ ନାହକ ଧନ୍ୟବାଦ ଅର୍ପଣ କରିଥିଲେ। ୨ ଦିନ ମଧ୍ୟରେ ସ୍କୁଲ ଉଛେଦ ପ୍ରତ୍ୟାହାର ନହେଲେ ରାଜ୍ୟ ଓ ଜାତୀୟ ରାଜପଥ ବନ୍ଦକରି ବନ୍ଦ ଡାକରା ଦିଆଯିବ। ଏଥିପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ଜନସଭାରେ ଚେତାବନୀ ଦିଆଯାଇଛି।