ଉମରକୋଟ ଠାରେ ବିଭାଜନ ବିଭୀଷିକା ସୃତି ଦିବସ ଅନୁଷ୍ଠିତ……..
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ବିଭାଜନ ବିଭୀଷିକା ଦିବସ ପାଳନ ହୋଇଯାଇଛି ।ସ୍ବାଧୀନତା ଦିବସର ପୂର୍ବଦିନ ଅର୍ଥାତ୍ ଅଗଷ୍ଟ ୧୪ ତାରିଖ ଆମ ଦେଶରେ, ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ମସିହାରେ ଦେଶ ବିଭାଜନ ବେଳେ ଲକ୍ଷ ଲକ୍ଷ ଦେଶବାସୀଙ୍କର ଦୁଃଖ, ଯନ୍ତ୍ରଣା ଓ ପିଡା କୁ ଦେଶବାସୀ କେବେ ମଧ୍ୟ ଭୁଲି ପାରିବେ ନାହିଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଘୋଷଣା କ୍ରମେ ୨୦୨୧ ମସିହାରୁ ପ୍ରତି ବର୍ଷ ଅଗଷ୍ଟ ୧୪ ତାରିଖରେ ଏହି ଦିବସ ପାଳନ କରାଯାଉଛି। ଉଲ୍ଲେଖଯୋଗ୍ୟ, ବ୍ରିଟିସ୍ ଶାସନାଧୀନ ଭାରତର ବିଭାଜନ ଘଟି ଭାରତ ଓ ପାକିସ୍ତାନ ପରି ଦୁଇଟି ସ୍ବତନ୍ତ୍ର ଦେଶ ଗଠିତ ହୋଇଥିଲା। ଗୋଟିଏ ପଟେ ଦେଶ ସ୍ବାଧୀନ ହେବା ଖୁସି ତ ଅନ୍ୟ ପଟେ ବିଭାଜନର ଅସହ୍ୟ ଦୁଃଖ, ଯନ୍ତ୍ରଣା ଦୁଇ ନୂଆ ଦେଶରେ ସଂଘଟିତ ହିଂସାରେ ପ୍ରାୟ ୧୦ରୁ ୨୦ ନିୟୁତ ଲୋକ ବିସ୍ଥାପିତ ହୋଇଥିଲେ ଏବଂ ୨ ଲକ୍ଷରୁ ୨୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ତାହା ଦେଶବାସୀଙ୍କ ପାଇଁ ସ୍ବାଧୀନତା ସଂଗ୍ରାମଠୁ ବି ଅଧିକ ଯନ୍ତ୍ରଣାଦାୟକ ଥିଲା। ଅଗଣିତ ଲୋକଙ୍କୁ ନିଜର ଭିଟାମାଟି ଛାଡ଼ି ନିଜ ଦେଶରେ ଶରଣାର୍ଥୀ ଭାବରେ ରହିବାକୁ ପଡ଼ିଲା। ଦେଶ ର ଭୂଖଣ୍ଡ ବିଭାଜନ ହେବା ସହ ବ୍ୟକ୍ତି ର ସଂମ୍ପର୍କ, ହୃଦୟ ର ସଂମ୍ପର୍କ ର ମଧ୍ୟ ବିଭାଜନ ହୋଇଯାଇଥିଲା ଏତେ ଦିନ ପରେ ବି ନିଜର ଆତ୍ମୀୟ ସ୍ବଜନଙ୍କୁ ହରାଇଥିବା ଦେଶବାସୀଙ୍କ ପୀଡ଼ା ଉଜ୍ଜୀବିତ ହୋଇ ରହିଛି। କିଛି ସ୍ବାର୍ଥାନ୍ବେଷୀ ନେତା ମାନଙ୍କ ଯୋଗୁଁ ଦେଶର ସ୍ବାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ସହିଦମାନଙ୍କ ଅଖଣ୍ଡ ଭାରତର ସ୍ବପ୍ନ ପୂରଣ ହୋଇପାରିଲା ନାହିଁ। ସେମାନଙ୍କୁ ଏବଂ ବିଭାଜନର ଶିକାର ହୋଇଥିବା ଦେଶବାସୀଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଏହି ଦିବସ ପାଳନ କରାଯାଉଛି। ଏହା ଆମ ମନରୁ ସାମାଜିକ ବିଭାଜନର ବିଷକୁ ହଟାଇ ଐକ୍ୟ, ସାମାଜିକ ସୌହାର୍ଦ୍ଦ୍ୟ ଓ ମାନବ ସଶକ୍ତୀକରଣର ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଲାଗି ଚେତାଇ ଦେଇଥାଏ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଉମରକୋଟ ବିଧାୟକ ତଥା ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଓ ଝରିଗାଁ ନିର୍ବାଚନ ମଣ୍ଡଳୀ ବିଧାୟକ ନରସିଂ ଭତ୍ରା, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ଜୟଦେବ କୁମାର ପରିଡା, ରମେଶଚନ୍ଦ୍ର ସାହୁ, ଆଇନ୍ ଜୀବି ତଥା ୧ନଂ ୱାର୍ଡ କଉନସିଲର ତପନ ଦେବନାଥ, ସୁରେଶ ଆଚାର୍ଯ୍ୟ, ତପନ ପାଲ, ଶିବନାଥ ବାନାର୍ଜୀ, ମନ୍ମଥ ରାୟ ମଞ୍ଚାସିନ ଥିବା ବେଳେ ଏହି ଅଞ୍ଚଳର ହଜାର ସଂଖ୍ୟକ ବଙ୍ଗୀୟ ବ୍ୟକ୍ତି ଙ୍କ ସହ ବହୁ ସାଧରଣ ଲୋକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଞ୍ଜିତ ବିଶ୍ଵାସ ପରିଚାଳନା କରିଥିଲେ ।