October 5, 2024

ବୁଗୁଡ଼ାରେ ଲାଗିଛି ମାଳ ମାଳ ସିସିଟିଭି କ୍ୟାମେରା , କାମରେ ଆସୁନି ଅନେକ , ବଢୁଛି ଅପରାଧ , ପ୍ରତିକାର ଦାବି 

Share

ବାଲିପଦର : ତା ୧୬/୦୭/୨୪ : ବୁଗୁଡା ସହରରେ ନାମକୁ ମାତ୍ର ଲାଗିଛି ମାଳ ମାଳ ସିସିଟିଭି କ୍ୟାମେରା । ସେଥିରୁ ଅଧାରୁ ଅଧିକ କ୍ଯାମେରା କାମରେ ଆସୁନି । ଫଳରେ ଅପରାଧ କାର୍ଯକଳାପରେ ବ୍ରେକ୍ ଲାଗି ପାରୁନି । ସଂପ୍ରତି ବୁଗୁଡ଼ା ସହର ସିସିଟିଭି ଅଧିନରେ ରହିଥିବା ସାଙ୍ଗକୁ ଅସାମାଜିକ କାର୍ଯ୍ୟକଳାପକୁ ମୁକାବିଲା କରିବାର କ୍ଷମତା ରଖିଥିଲେ ହେଁ କାର୍ଯ୍ୟକ୍ଷମ ହେବାର ଅଳ୍ପ କେତେ ମାସ ମଧ୍ୟରେ ସେଥିରୁ ଅନେକ କାମରେ ଲାଗୁନଥିବାରୁ କୌଣସି ସୁଫଳ ମିଳୁନି। ଏହି କ୍ଯାମେରା ଗୁଡିକ ମଧ୍ୟରୁ କେତେକ ୨୪ ଘଣ୍ଟା କାମ କରୁନଥିବା ବେଳେ ଯେଉଁ କେତେକ ଚାଲୁଛି ତାହା ମଧ୍ୟରୁ ପୁଣି କେତେକ ଲାଇଭ୍ ଚାଲୁଥିଲେ ମଧ୍ୟ ରେକର୍ଡିଂ ହେଉନାହି । ସୂଚନା ଅନୁସାରେ , ଗତ ୨୦୨୩ ଜାନୁଆରୀ ୬ ତାରିଖରେ ସ୍ଥାନୀୟ ପୋଲିସ ଥାନା ପକ୍ଷରୁ ଆୟୋଜିତ ” ବୁଗୁଡ଼ା ସହରକୁ ସି.ସି.ଟିଭି ଦ୍ବାରା ସମ୍ପୂର୍ଣ୍ଣ ଅନ୍ତର୍ଭୁକ୍ତିକରଣ” କାର୍ଯ୍ୟକ୍ରମ ଅବସରରେ ସହରାଞ୍ଚଳର ବଡଶଙ୍ଖ, ନୂଆଁ ବସଷ୍ଟାଣ୍ଡ , ହାଇସ୍କୁଲ ଛକ, ପୂରୁଣା ବସଷ୍ଟାଣ୍ଡ , ମଦନ ମୋହନ ଛକ, ବୁଦ୍ଧଖୋଲ ଗେଟ୍ ଛକ , ସିନେମା ହଲ୍ ଛକ, ବଡଦାଣ୍ଡ , ବାଗଦେବୀ ରୋଡ଼, ଖଦାଳସାହି ଛକ, ଥାନା ରୋଡ ସମେତ ବିଭିନ୍ନ ସ୍ଥାନରେ ପୋଲସରା ବିଧାୟକଙ୍କ ହାତପାଣ୍ଠି ବିନିଯୋଗରେ ୨୨ଟି ସି.ସି.ଟିଭି କ୍ଯାମେରା ଖଞ୍ଜା ଯାଇଥିଲା । ସେହିପରି ଗ୍ରାମାଞ୍ଚଳର କରସିଙ୍ଗି, ଗୋଲିଆ, ମୋଟାବାଡ଼ି, ମାଣିତରା, ଷୋଳମଇଲି ଆଦି ଗାଁ ଛକରେ ମଧ୍ୟ ସି.ସି.ଟିଭି କ୍ଯାମେରା ଲଗାଯାଇ ଅପରାଧିକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ପାଇଥିଲା । ଏହି କ୍ଯାମେରା ଗୁଡିକର ଦାୟିତ୍ବ ବୁଗୁଡା ପୋଲିସ ହାତରେ ରହିଥିବା ବେଳେ ବୁଗୁଡା ସହରରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପକୁ ରୋକା ଯାଇ ସହରରେ ଶାନ୍ତି ଶୃଙ୍ଖଳାକୁ ବଳବତ୍ତର ରଖିବାର ଲକ୍ଷ୍ୟ ରହିଥିଲା । ଏହି କ୍ଯାମେରା ମାଧ୍ଯମରେ ବାହାରୁ ବୁଗୁଡା ସହରକୁ ପ୍ରବେଶ କରୁଥିବା ଏବଂ ସହରରୁ ବାହାରକୁ ଯାଉଥିବା ଯାନବାହାନ ଠାରୁ ଆରମ୍ଭ କରି ଅସାମାଜିକ ବ୍ଯକ୍ତିଙ୍କ ଉପରେ ନଜର ରଖାଯାଇ ପାରୁଥିଲା । ତେବେ ଅଧିକାଂଶ ସ୍ଥାନରେ ଲାଗିଥିବା କ୍ଯାମେରା କାମ ଦେଉ ନାହିଁ । ଦୁର୍ବୃତ୍ତଙ୍କ ଦ୍ବାରା କେତେକ ସ୍ଥାନରେ କ୍ଯାମେରାକୁ ଅକାମୀ କରିବା ପ୍ରଚେଷ୍ଟା ହେତୁରୁ ସେଗୁଡିକ ଆବଶ୍ୟକୀୟ ତଥ୍ୟ ସଂଗ୍ରହ ପରିବର୍ତ୍ତେ ଉପର ମୁହାଁ ହୋଇ ଦିନରେ ଆକାଶକୁ ଚାହିଁ ରାତିରେ ତାରା ଗଣିବା କାମରେ ଲାଗିଛନ୍ତି । ଫଳରେ କୌଣସି ଅସାମାଜିକ ଘଟଣାର ତଦନ୍ତ ପାଇଁ ବିଭିନ୍ନ ଦୋକାନରେ ଲାଗିଥିବା କ୍ଯାମେରାର ସହାୟତା ଲୋଡ଼ା ଯାଉଛି । ତେବେ ଅକାମୀ କ୍ଯାମେରାଗୁଡିକୁ ସ୍ଥାନୀୟ ପ୍ରଶାସନ ଯଥାଶୀଘ୍ର ସଜାଡିବାକୁ ସାଧାରଣରେ ଦାବି ହେଉଛି ।