March 11, 2026

ଜଣେ ଶିକ୍ଷକରେ ଚାଲିଛି ଫାଇଭ୍-ଟି ସ୍ମାର୍ଟ ସ୍କୁଲ, ସବୁ ବିଷୟରେ ପାଠ ପଢା ହେଉନି , ଛାତ୍ରଛାତ୍ରୀ ନିରାଶ , ଅଭିଭାବକ ମହଲରେ ଅସନ୍ତୋଷ

3652f643-c7e9-4bbd-87e2-9d95352eba74
Share


ବୁଗୁଡ଼ା : ତା ୧୬/୦୭/୨୩ : ସଭିଏଁ ପଢିବେ, ସଭିଏଁ ବଢିବେ – ଏହି ନାରା ଦେଇ ସରକାର ଫାଇଭ୍-ଟି ସ୍ମାର୍ଟ ସ୍କୁଲ ଆଳରେ ସ୍କୁଲ ଗୁଡିକର ରଙ୍ଗ ବଦଳାଇ ଚକାଚକ୍ କରିଦେଇଥିଲେ ହେଁ ବୁଗୁଡ଼ା ବ୍ଲକର ଅନେକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡି ଯୋଗୁଁ ଆବଶ୍ୟକୀୟ ଶିକ୍ଷାଦାନରୁ ବଞ୍ଚିତ ହୋଇ ଛାତ୍ରଛାତ୍ରୀ ହତାଶ ହୋଇ ପଡିଥିବା ବେଳେ ଅଭିଭାବକ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ରହିଥିବା ୨୭ଟି ସରକାରୀ ହାଇସ୍କୁଲ ମଧ୍ୟରୁ ଅଧିକାଂଶରେ ଶିକ୍ଷକ ମରୁଡି ଦେଖା ଦେଇଥିବା ବେଳେ ଦୁର୍ଦ୍ଦଶାର ଶୀର୍ଷରେ ରହିଛି ତାଳସାକର ଗ୍ରାମସ୍ଥ ମହାମାୟୀ ଉଚ୍ଚ ବିଦ୍ୟାଳୟ । ଏହି ହାଇସ୍କୁଲରେ ବିଦ୍ୟାଳୟରେ କେବଳ ୨ଟି ଶ୍ରେଣୀ ରହିଥିବା ବେଳେ ନବମରେ ୭୩ ଜଣ ଓ ଦଶମରେ ୭୨ ଜଣ ହିସାବରେ ମୋଟ ୧୪୫ ଜଣ ଛାତ୍ରଛାତ୍ରୀ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ପ୍ରଧାନ ଶିକ୍ଷକ ଜଣକ ଏକୁଟିଆ ହେତୁ ଦୁଇଟିଯାକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଗୋଟିଏ କକ୍ଷରେ ବସାଇ ନିଜର ବିଜ୍ଞାନ ବିଷୟଟିକୁ ହିଁ ପଢାଉଛନ୍ତି । ଅନ୍ଯ ବିଷୟ ପଢାଯାଉନଥିବାରୁ ସ୍କୁଲକୁ ଆସି ବିରକ୍ତ ହୋଇ ଫେରୁଛନ୍ତି । ଏପଟେ ପ୍ରଧାନ ଶିକ୍ଷକ ଅଫିସ୍ କାମରେ ବ୍ଯସ୍ତ ରହିଲେ ସେପଟେ ଶ୍ରେଣୀ କକ୍ଷରେ ବିଶୃଙ୍ଖଳା ସୃଷ୍ଟି ହେଉଛି । ସରକାରଙ୍କ ଏହି ସ୍ମାର୍ଟ ସ୍କୁଲ ଗୁଣାତ୍ମକ ଶିକ୍ଷାଦାନ ତ ଦୂରର କଥା ଶିକ୍ଷକ ମରୁଡି ଯୋଗୁଁ ଶିକ୍ଷାଦାନ ବ୍ଯବସ୍ଥା ପୂରାପୂରି ଭୁଷୁଡି ଯାଇଥିବାରୁ ଛାତ୍ରଛାତ୍ରୀ ହତାଶ ହୋଇ ପଡିଥିବା ବେଳେ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଶିକ୍ଷା ଓ ଶିକ୍ଷକ ବିହୁନେ ଏହି ସ୍ମାର୍ଟ ସ୍କୁଲ ସାଧାରଣରେ ଉପହାସିତ ହେଉଛି । ତେବେ ବ୍ଲକର ଯେଉଁ ହାଇସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି ସେଠାକୁ ଅନ୍ତତଃ ଜଣେ ଶିକ୍ଷକଙ୍କୁ ଯଥାଶୀଘ୍ର ଯୋଗାଇବା ନିମନ୍ତେ ଉଦ୍ୟମ ଜାରି ରହିଥିବା ନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ରଙ୍କ ଠାରୁ ପ୍ରକାଶ ପାଇଛି ।