କଟକ ବଡ଼ ଡାକ୍ତରଖାନା ଦୁର୍ଘଟଣାରେ ୧୦ ରୁ ଅଧିକା ଲୋକଙ୍କ ମୃତ୍ୟୁ ଅତ୍ୟନ୍ତ ସମ୍ବେଦନଶୀଳ
ଭୁବନେଶ୍ୱର, ତା୧୬/୦୩. ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆମ ରାଜ୍ୟର ପ୍ରତିଷ୍ଠିତ ଏସ୍ ସି ବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ୟୁନିଟ୍ରେ ଗତକାଲି ଅର୍ଥାତ୍ ୧୫ ମାର୍ଚ୍ଚ ମଧ୍ୟରାତ୍ରରେ ଭୟଙ୍କର ଅଗ୍ନିକାଣ୍ଡରେ ୧୦ ଜଣରୁ ଅଧିକ ରୋଗୀଙ୍କ ଦୁଃଖଦ ଓ ଅଭାବନୀୟ ମୃତ୍ୟୁ ଘଟଣା ପ୍ରତି ଶୋକ ବ୍ୟକ୍ତ କରିବା ସହ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଦୁଃଖଦ ମୃତ୍ୟୁ ବୋଲି ପ୍ରକାଶ କରୁଛି। ଆମ ସରକାରଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତଙ୍କ ପ୍ରତି ଆମ ପାର୍ଟି ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ବ୍ୟକ୍ତ କରୁଛୁ। ଆହତ ବ୍ୟକ୍ତିମାନଙ୍କୁ ସୁସ୍ଥ କରିବା ପାଇଁ ଉନ୍ନତ ମାନର ଆଶୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦାବି କରୁଛୁ। ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇ ଏହି ଘଟଣାର ତଥ୍ୟ ସାର୍ବଜନୀନ କରନ୍ତୁ। ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଉତ୍ତର ଦାୟିତ୍ୱ ସ୍ବୀକାର କରି ଇସ୍ତଫା ଦିଅନ୍ତୁ ନଚେତ୍ ମୂଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ।
ଆମ ରାଜ୍ୟ ସରକାରଙ୍କ ବଡ଼ ମେଡିକାଲରେ ଉତ୍ତମ ଚିକିତ୍ସା ସେବା ପାଇ ସୁସ୍ଥ ହୋଇ ବଞ୍ଚିବା ପାଇଁ ଆସିଥିବା ରୋଗିଙ୍କ ପ୍ରତି ଆମ ସରକାରଙ୍କ ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ଏଭଳି ଅଘଟଣ ଘଟିଛି। ଦୁଃଖଦ ମୃତ୍ୟୁର ଶିକାର ହୋଇଥିବା ପରିବାର ପିଛା ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ପରିବାର ନିର୍ଭରଶୀଳ ଜଣେ ବ୍ୟକ୍ତିଙ୍କୁ ସ୍ଥାୟୀ ସରକାରୀ ନିଯୁକ୍ତି ପ୍ରଦାନ କରାଯାଉ। ଆହତଙ୍କ ଉତ୍ତମ ଚିକିତ୍ସା ସହ ସମସ୍ତ ଖର୍ଚ୍ଚ ଏବଂ ୫ଲକ୍ଷ ଟଙ୍କାର କ୍ଷତିପୂରଣ ପରିବାରକୁ ଯୋଗାଇ ଦିଅନ୍ତୁ। ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାର ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାର କଡ଼ାକଡ଼ି ଯାଞ୍ଚ କରି ଭବିଷ୍ୟତରେ ଏଭଳି ଦୁର୍ଘଟଣାର ପୁନରାବୃତ୍ତି ନହେବା ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଏବଂ ବିହୀତ ପ୍ରତିକାର ବ୍ୟବସ୍ଥା କରନ୍ତୁ। ରୋଗୀଙ୍କ ଧନ ଜୀବନ ସୁରକ୍ଷା କ୍ଷେତ୍ରରେ ଅବହେଳା କରୁଥିବା ଡାକ୍ତରଖାନାକୁ କଳା ତାଲିକାଭୁକ୍ତ କରିବା ପାଇଁ ସି.ପି.ଆଇ (ଏମ୍ -ଏଲ୍) ରେଡଷ୍ଟାର ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦୃଢ଼ ଦାବି କରୁଛୁ।
