ଆସନା ଠାରେ ନୂତନ ପଞ୍ଚାୟତ ଭବନ ନିର୍ମାଣ ଦାବୀ (ସପ୍ତାହେ ଭିତରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଧାରଣା ଦେବାକୁ ଚେତାବନୀ)

ତା,୧୫/୧(ଆପ୍ର): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତ ପାଇଁ ନୂତନ ପଞ୍ଚାୟତ ଭବନ ମଞ୍ଜୁର ହୋଇଅଛି I ଏହାକୁ ଆସନା ଠାରେ ନିର୍ମାଣ କରିବାକୁ ଦାବୀ କରିଛନ୍ତି ଆସନା ଗାଁ ସମେତ ଅଞ୍ଚଳବାସୀ I ଆଜି ଶତାଧିକ ଲୋକ ଆସି ବିଡିଓ ପି. ମନସ୍ମିତାଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି l ଦାବି ମୁତାବକ ଆସନା ନାମରେ ପଞ୍ଚାୟତ ନାମିତ ହୋଇଅଛି ଅଥଚ ସେଠାରେ କୌଣସି ବି ସରକାରୀ,ବେସରକାରୀ କାର୍ଯ୍ୟାଳୟ ସ୍ଥାପନ ହୋଇନାହିଁ l ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସ୍କୁଲ ଠାରୁ ଆରମ୍ଭ କରି ମେଡିକାଲ୍,ଗୋଦାମ୍ ଗୃହ,ବଜାର ଗୃହ ଆଦି ଆସନା ନାମରେ ଉଦଳଗୁଡ଼ା ଠାରେ ରହିଅଛି l ପଞ୍ଚାୟତ ଆସନା ହୋଇଥିଲେ ବି ଏକ ପଡ଼ା ଗାଁରେ ଏ ସବୁ କାର୍ଯ୍ୟାଳୟ ରହିଅଛି I କୌଣସି କାରଣ ବଶତଃ ପୂର୍ବରୁ ସ୍ଥାପନ ହୋଇଅଛି ଏ ନେଇ କିଛି ଅଭିଯୋଗ ନାହିଁ l ଏହା ହେଉଛି ପଞ୍ଚାୟତ ଗଠନ ସମୟର ପଞ୍ଚାୟତ l ଏହି ପଞ୍ଚାୟତ ବିଭକ୍ତ ହୋଇ କେରମେଟି ଓ ଫୁଲଭଟ୍ଟା ଦୁଇଟି ନୂତନ ପଞ୍ଚାୟତ ହେଲାଣି I ଏହି ପଞ୍ଚାୟତ ମାନଙ୍କରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହେଲାଣି ହେଲେ ଏହି ମୂକ ଗାଁରେ କିଛି ହୋଇପାରୁନାହିଁ l ଏହି ଏକମାତ୍ର ନୂତନ ପଞ୍ଚାୟତ ଭବନକୁ ଆସନା ଠାରେ ନିର୍ମାଣ କରିବାକୁ ଗତ ୨ ତାରିଖରେ ବିଡିଓ ଏବଂ ତହସିଲଦାର ବିନୋଦ କୁମାର ନାଏକଙ୍କୁ ଭେଟି ଲିଖିତ ନିବେଦନ କରିଥିଲେ l ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ଗତ ୩ ତାରିଖରେ ଏଇଇ, ଜେଇ ଏବଂ ପିଇଓ ପ୍ରମୂଖ ଆସନା ଗାଁରେ ଯାଇ କେଉଁ ସ୍ଥାନରେ ପଞ୍ଚାୟତ ଗୃହ ନିର୍ମାଣ କରାଯିବ ତାହା ନିରୀକ୍ଷଣ କରିଥିଲେ l ତହସିଲଦାରଙ୍କ ନିର୍ଦ୍ଦେଶରେ ରାଜସ୍ୱ ନିରୀକ୍ଷକ ଜମି ଚିହ୍ନଟ କରି ସ୍କେଚ୍ ମ୍ୟାପ୍ ଦିଆ ସରିଥିଲା l ବିଡିଓଙ୍କ ପରାମର୍ଶ କ୍ରମେ ଗତ ୧୨ ତାରିଖ ଦିନ ସରପଞ୍ଚ ଏବଂ ସମିତି ସଭ୍ୟାଙ୍କୁ ଲିଖିତ ନିବେଦନ କରାଯାଇଥିଲା l ଉଭୟ ପ୍ରତିନିଧିଙ୍କୁ ଭେଟିବାର ଦିନକ ପରେ ପୁଣିଥରେ ରାଜସ୍ୱ ନିରୀକ୍ଷକ ଉଦଳଗୁଡ଼ା ଗାଁରେ ଯାଇ ଜମି ଚିହ୍ନଟ କରିଛନ୍ତି l ଏହାକୁ ଦୃଢ ନିନ୍ଦା କରାଯାଉଛି ଏବଂ ଅଞ୍ଚଳବାସୀଙ୍କ ସହ ସରପଞ୍ଚ ପ୍ରତିଯୋଗିତା କଲା ଭଳି ମନେ ହେଉଛି l ପ୍ରଥମେ ସହଯୋଗ କରିଆସୁଥିବା ଅଧିକାରୀ ପରବର୍ତ୍ତୀ ସମୟରେ ସରପଞ୍ଚଙ୍କ ଉପରେ ସବୁ ଦାୟିତ୍ଵ ଠେଲିଦେଇ ଉଦଳଗୁଡ଼ା ଠାରେ କରିବାକୁ ବ୍ୟବସ୍ଥା କରାଯାଉଛି l ଆସନା ଠାରେ ନୂତନ ପଞ୍ଚାୟତ ଭବନ ନିର୍ମାଣ କରାନଯାଏ ତେବେ ଏହାକୁ ତୀବ୍ର ବିରୋଧ କରାଯିବ l ସପ୍ତାହେ ଭିତରେ ଏହାର ସୁ ବିଚାର କରାନଗଲେ ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ଭୂଖରେ ଧାରଣା ଦେବେ ବୋଲି ଦାବୀ ପତ୍ରରେ ଉଲ୍ଲେଖ ରହିଛି l ଏ ନେଇ ବିଡିଓ କହିଛନ୍ତି ପ୍ରଶାସନ ପକ୍ଷରୁ ଆସନା ଠାରେ କରିବାକୁ ସହମତି ଥିଲା l ଯେହେତୁ ଏହି ପ୍ରକଳ୍ପର ମୁଖ୍ୟ ସରପଞ୍ଚ,ତାଙ୍କ ଦସ୍ତଖତରେ ବିଲ ହୁଏ ତେଣୁ ସେ ଯେଉଁଠି ଚାହିଁବେ ସେଠାରେ କରାଯିବ l ଉଦଳଗୁଡ଼ା ଠାରେ ନିର୍ମାଣ କରିବାକୁ ସରପଞ୍ଚ ଲିଖିତ ସହମତି ପ୍ରକାଶ କରିଛନ୍ତି l ଏଣୁ ଏହି ଗୃହ ସେଠାର ନିର୍ମାଣ କରାଯାଉ ଆସନା ପାଇଁ ଏକ ନୂତନ କୋଠା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ଲୋକଙ୍କ ସହ ଆଲୋଚନା କରିଥିଲେ l ଏହି ଦାବୀପତ୍ର ତହସିଲଦାର ଏବଂ ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ତହସିଲଦାର ଶ୍ରୀ ନାୟକ କହିଛନ୍ତି ଆସନା ପାଇଁ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ କରି ଦିଆସରିଛି l ପରବର୍ତ୍ତୀ ସମୟରେ ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ଉଦଳଗୁଡ଼ା ପାଇଁ ମଧ୍ଯ ପ୍ରସ୍ତୁତ କରାଯାଇଛି l ବିଡିଓ ଯେଉଁଠି କହିବେ ସେହି ଜାଗାର ମ୍ୟାପ୍ ଦିଆଯିବ l ଦାବିପତ୍ର ପ୍ରଦାନ ସମୟରେ ଆସନା ସମେତ ନାୟକଗୁଡ଼ା,କଦମ୍ବବେଢ଼ା, ପଦରକଣ୍ଟା,ଚଲାଣଗୁଡ଼ା,କଟ୍ରିଗୁଡ଼ା,କୁମ୍ଭୀଖାରି, କାଉଡ଼ିଆଗୁଡ଼ା,ଶିରାଗୁଡ଼ା,ପଖନାଗୁଡ଼ା ଏବଂ କିଟିପଦର ଆଦି ଗାଁରୁ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l
