October 15, 2026

ଗଜପତି:- ଉପଲାଡ଼ାରେ ବିଶ୍ୱ ହସ୍ତ ପ୍ରକ୍ଷାଳନ ଦିବସ ପାଳିତ

IMG-20261015-WA0065
Share

 

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡା ଗ୍ରାମ ସ୍ଥିତ ଏକ ବିଦ୍ୟାଳୟରେ ସେଞ୍ଚୁରିଅନ୍ ୟୁନିଭରର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ)) ର ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ଆଜି ୧୫ ତାରିଖରେ ବିଶ୍ୱ( ହାତଧୁଆ) ହସ୍ତ ପ୍ରକ୍ଷାଳନ ଦିବସ ପାଳନ କରାଯାଇଥିଲା।

ବ୍ୟକ୍ତିଗତ ସ୍ୱଚ୍ଛତା ବଜାୟ ରଖିବା ସହ ସଂକ୍ରାମକ ରୋଗର ପ୍ରସାରକୁ ରୋକିବାରେ ସଠିକ୍ ଭାବରେ ହାତ ଧୋଇବାର ଗୁରୁତ୍ୱ ବିଷୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମଟି ସିୟୁଟିଏମ ର ସ୍କୁଲ୍ ଅଫ୍ ନର୍ସିଂର ପ୍ରଥମ ସେମିଷ୍ଟର ବି.ଏସ୍‌.ସି. ନର୍ସିଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ଏହା ସ୍କୁଲ୍ ଅଫ୍ ନର୍ସିଂର ଅଧ୍ୟାପିକା ସିମରନ୍ ମ୍ୟାମ୍‌’ଙ୍କ ମାର୍ଗଦର୍ଶନ ଓ ସହଯୋଗରେ ସମ୍ପନ୍ନ ହୋଇଥିଲା। ଛାତ୍ରଛାତ୍ରୀ ମାନେ ଦୈନନ୍ଦିନ ଜୀବନରେ ହାତର ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ବିଦ୍ୟାଳୟର ପିଲାମାନଙ୍କୁ ସଚେତନ କରିବାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ସମୟରେ ସାବୁନ ଓ ସ୍ୱଚ୍ଛ ପାଣିରେ ହାତ ଧୋଇବାର ଗୁରୁତ୍ୱ ବୁଝାଇବା ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକଳାପ ଗୁଡ଼ିକ ପ୍ରଦର୍ଶନ କରା ଯାଇଥିଲା। ଛାତ୍ରଛାତ୍ରୀ ମାନେ ହାତ ଧୋଇବାର ସଠିକ୍ ପଦକ୍ଷେପ ଗୁଡ଼ିକ ପ୍ରଦର୍ଶନ କରିଥିଲେ। ଖାଇବା ପୂର୍ବରୁ, ଶୌଚାଳୟ ବ୍ୟବହାର କରିବା ପରେ, ଖେଳିବା ପରେ ଏବଂ ଦୂଷିତ ବସ୍ତୁର ସଂସ୍ପର୍ଶରେ ଆସିବା ପରେ ହାତ ଧୋଇବାର ଆବଶ୍ୟକତା ବିଷୟରେ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ସଠିକ୍ ଭାବରେ ହାତ ଧୋଇବା ଦ୍ୱାରା ଝାଡ଼ା, ଶ୍ୱାସକ୍ରିୟା ସମ୍ବନ୍ଧୀୟ ସଂକ୍ରମଣ ଏବଂ ଅନ୍ୟାନ୍ୟ ସ୍ୱଚ୍ଛତା-ଜନିତ ରୋଗର ପ୍ରସାର’କୁ କିପରି ରୋକା ଯାଇପାରିବ, ସେ ବିଷୟରେ ଆଲୋକପାତ କରାଯାଇଥିଲା । ନର୍ସିଂ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଓ ଘରେ ନିୟମିତ ହାତ ଧୋଇବାର ଅଭ୍ୟାସ ଗଢ଼ି ତୋଳିବା ସହ ସୁସ୍ଥ ସ୍ୱଚ୍ଛତା ଅଭ୍ୟାସ ଅନୁସରଣ କରିବାକୁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମ ପ୍ରଥମ ସେମିଷ୍ଟର ନର୍ସିଂ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସମୁଦାୟ ମଧ୍ୟରେ ନିଜର ଜ୍ଞାନକୁ ପ୍ରୟୋଗ କରିବା ସହିତ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ ଓ ଯୋଗାଯୋଗ ଦକ୍ଷତାର ବିକାଶ କରିବାର ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିଥିଲା। ନର୍ସିଂ ଛାତ୍ରଛାତ୍ରୀ, ଅଧ୍ୟାପିକା ଏବଂ ଉପଲାଡ଼ା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।

ଉପଲାଡ଼ା ଠାରେ ବିଶ୍ୱ ହସ୍ତ ପ୍ରକ୍ଷାଳନ ଦିବସ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏହି ମୂଲ୍ୟବାନ ସୁଯୋଗ ପ୍ରଦାନ କରିଥିବାରୁ ସେଞ୍ଚୁରିଅନ୍ ୟୁନିଭରର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ) ର ପରିଚାଳନା କର୍ତ୍ତୃପକ୍ଷ’ଙ୍କୁ ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ଆମର ଅନ୍ତରିକ କୃତଜ୍ଞତା ଜଣାଇଥିଲେ । ଏହା ସହିତ, ମାର୍ଗଦର୍ଶନ ଓ ସହଯୋଗ ପାଇଁ ଅଧ୍ୟାପିକା ସିମରନ୍ ମ୍ୟାମ୍‌’ଙ୍କୁ ଏବଂ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ପାଇଁ ବିଦ୍ୟାଳୟର କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

————————————–;; ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————