ନିଶାସକ୍ତ ସ୍ୱାମୀ ନେଲା ସ୍ତ୍ରୀଙ୍କ ଜୀବନ : ଦୁଇ ଛୁଆ ଅସହାୟ
ବ୍ୟବଚ୍ଛେଦ ପରେ ଅର୍ଥାଭାବରୁ ପଡ଼ିରହିଥିଲା ମୃତଦେହ, ଅନ୍ତିମ ସତ୍କାର କଲା ସଂକଳ୍ପ ପରିବାର
ବରଗଡ଼/ଅତାବିରା: (ସୁରେନ୍ଦ୍ର କଠାର)
ନିଶାର କୁପରିଣାମ ପୁଣି ଏକ ପରିବାରକୁ ଦେଇଛି ଅସହ୍ୟ ଦୁଃଖ। ନିଶାସକ୍ତ ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗରେ ଅତାବିରା ପୋଲିସ ସ୍ୱାମୀଙ୍କୁ ଗିରଫ କରିଛି। ଶବ ବ୍ୟବଚ୍ଛେଦ ପରେ ଅନ୍ତିମ ସତ୍କାର ପାଇଁ ପରିବାର ପାଖରେ ଆର୍ଥିକ ସମ୍ବଳ ନଥିବାରୁ ମୃତଦେହ ଅସହାୟ ଅବସ୍ଥାରେ ପଡ଼ିରହିଥିଲା। ଘଟଣା ସମ୍ପର୍କରେ ଅତାବିରା ପୋଲିସ ପକ୍ଷରୁ ସୂଚନା ଏବଂ ଅମାଲିପାଲି ସରପଞ୍ଚଙ୍କ ଲିଖିତ ଅନୁରୋଧ ପରେ ସଂକଳ୍ପ ପରିବାର ପକ୍ଷରୁ ସ୍ଥାନୀୟ ପିପଲମୁଣ୍ଡା ସ୍ୱର୍ଗଦ୍ୱାରରେ ମୃତକଙ୍କ ଅନ୍ତିମ ସତ୍କାର କରାଯାଇଥିଲା।
ଅନ୍ତିମ ସତ୍କାର ସମୟରେ ଅଭିଯୁକ୍ତ ଙ୍କ ଭାଇ ବହୁ କାନ୍ଦି କାନ୍ଦି ପରିବାରର ଦୁଃଖଦ କାହାଣୀ କହିଥିଲେ। ତାଙ୍କ କହିବା ଅନୁସାରେ, ନିଶାସକ୍ତ ସ୍ୱାମୀଙ୍କ ହିଂସାର ଶିକାର ହୋଇ ତାଙ୍କ ଭାଉଜଙ୍କ ଜୀବନ ଚାଲିଗଲା। ମାଆଙ୍କୁ ହରାଇବା ପରେ ଦୁଇଟି ଛୋଟ ଛୁଆ ଏବେ ଅସହାୟ ହୋଇପଡ଼ିଛନ୍ତି। ସେମାନଙ୍କ ଲାଳନପାଳନର ଦାୟିତ୍ୱ ଆମେ ନେବୁ, ସେମାନଙ୍କର ଆଉ କେହି ନାହାନ୍ତି ବୋଲି ସେ ଭାବବିହ୍ୱଳ ହୋଇ କହିଥିଲେ। କାନ୍ଦି କାନ୍ଦି ସେ ଆହୁରି କହିଥିଲେ, “ନିଶା ଆଜି ଜଣଙ୍କର ଜୀବନ ନେଇଗଲା। ଆଉ କାହାର ପରିବାରରେ ଏଭଳି ଦୁଃଖ ନଆସୁ।”
ଏହି ଦୁଃଖଦ ଘଟଣା ପୁଣିଥରେ ନିଶାର ଭୟାବହ ପରିଣାମ ଓ ପରିବାର ଉପରେ ଏହାର ପ୍ରଭାବକୁ ସାମ୍ନାକୁ ଆଣିଛି। ଜଣେ ମାଆଙ୍କ ମୃତ୍ୟୁ ସହ ଦୁଇ ନିରୀହ ଛୁଆଙ୍କ ମୁଣ୍ଡରୁ ମାଆର ସ୍ନେହ ଛାୟା ମଧ୍ୟ ହଟିଯାଇଛି।
ଏହି ମାନବିକ କାର୍ଯ୍ୟରେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ସକ୍ରିୟ ସଦସ୍ୟ ବିକାଶ ଭୋଇ ଓ ଅସିତ ଖମାରୀ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ।
ଏହା କେବଳ ଏକ ଅନ୍ତିମ ସତ୍କାର ନୁହେଁ, ଏହା ମାନବିକତାର ଶେଷ ସମ୍ମାନ ଜଣେ ଅସହାୟ ମଣିଷଙ୍କୁ ତାଙ୍କ ଶେଷ ଯାତ୍ରାରେ ଏକା ଛାଡ଼ି ନଦେବାର ଏକ ଛୋଟ ପ୍ରୟାସ।
ସଂକଳ୍ପ ପରିବାର, ବରଗଡ଼
ମାନବିକତା ଆମର ପରିଚୟ, ସେବା ଆମର ସଂକଳ୍ପ।
