April 26, 2026

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କର କମଳରେ ବନ୍ଦେ ଭାରତ ଟ୍ରେନର ଉଦଘାଟନ ଅବସରରେ ବ୍ରହ୍ମପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣ– ୧୫ ସେପ୍ଟେମ୍ୱର ୨୦୨୪

IMG-20240915-WA0019
Share

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କର କମଳରେ ବନ୍ଦେ ଭାରତ ଟ୍ରେନର ଉଦଘାଟନ ଅବସରରେ ବ୍ରହ୍ମପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣ– ୧୫ ସେପ୍ଟେମ୍ୱର ୨୦୨୪

 

ମୋର ପ୍ରିୟ ଭାଇ ଭଉଣୀ ମାନେ ତଥା ବ୍ରହ୍ମପୁର ସହରର ମୋର ବନ୍ଧୁମାନଙ୍କୁ ଆଜିର ଏହି ଶୁଭ ଅବସରରେ ଅନେକ ଅନେକ ଶୁଭେଚ୍ଛା ।

 

ଆଜି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଜୀ ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ଅବସରରେ ଆପଣମାନଙ୍କ ମଧ୍ୟରେ ଏଠାରେ ଉପସ୍ଥିତ ଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି |

 

ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଭିତ୍ତିଭୂମି କ୍ଷେତ୍ରରେ ସାରା ଦେଶ ବିଶ୍ୱର ଅଗ୍ରଣୀ ବିକଶିତ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିଛି ଏବଂ ଦେଶରେ ବିକାଶର ଏକ ନୂଆ ଲହରି ଆରମ୍ଭ ହୋଇଛି। ମୋଦୀଜୀଙ୍କ ନେତୃତ୍ୱରେ ଆମ ଦେଶର ୧୪୦ କୋଟି ଜନ ସାଧାରଣ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛନ୍ତି।

 

ବନ୍ଧୁଗଣ, ଆମର ଏହି ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାର ରେଶମ ସହର ବ୍ରହ୍ମପୁରକୁ ଇସ୍ପାତ ସହର ଟାଟା ସହିତ ସଂଯୋଗ କରିବ |

 

ଏହି ଟ୍ରେନଟି ବ୍ରହ୍ମପୁର ଠାରୁ ଟାଟାକୁ 9 ଘଣ୍ଟା 05 ମିନିଟରେ ଅତିକ୍ରମ କରିବ ଏବଂ ଏହା ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ଇତ୍ୟାଦି ଷ୍ଟେସନ ଗୁଡିକରେ ମଧ୍ୟ ରହଣି କରିବ।

 

ବ୍ରହ୍ମପୁର ଏକ ସମୃଦ୍ଧ ସହର ଯାହାକି ଏହାର ରେଶମ ଶାଢ଼ୀ ପାଇଁ ପ୍ରସିଦ୍ଧ, ଯାହାକୁ ବର୍‌ହମ୍‌ପୁରୀ ପାଟ କୁହାଯାଏ । ଏଥିପାଇଁ ବ୍ରହ୍ମପୁର “ରେଶମ ସହର” ଭାବରେ ପରିଚିତ | ଏହା ସହିତ ବ୍ରହ୍ମପୁର ମଧ୍ୟ ଆମ ରାଜ୍ୟର ଏକ ପ୍ରସିଦ୍ଧ ବାଣିଜ୍ୟିକ କେନ୍ଦ୍ର।

 

ବନ୍ଦେ ଭାରତ ଏକ୍ସପ୍ରେସ ଯୋଗୁ ସହରର ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଆସିବ।

 

ବର୍ତ୍ତମାନ ଆମ ରାଜ୍ୟରେ ପୁରୀ-ହାଓଡ଼ା, ପୁରୀ-ରାଉରକେଲା ଏବଂ ଭୁବନେଶ୍ୱର-ବିଶାଖାପାଟନମ୍ ମଧ୍ୟରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି ଏବଂ ଆଉ ତିନିଟି ବନ୍ଦେ ଭାରତ ବ୍ରହ୍ମପୁର-ଟାଟା, ରାଉରକେଲା-ହାୱଡା ଏବଂ ରାୟପୁର-ବିଶାଖାପାଟଣା ମଧ୍ୟରେ ଚଳାଚଳ କରିବ।

 

*ଏହି ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଦକ୍ଷିଣ ଓ ପଶ୍ଚିମ ଓଡିଶାର ଲାଇଫ୍ ଲାଇନ୍ ହେବ*।

 

ବିଶେଷ କରି ଆମର ଆଦିବାସୀ ବହୁଳ ଅଞ୍ଚଳରେ ଯୋଗାଯୋଗର ବିକାଶ ହେବ ଏବଂ ସେମାନେ ଆମର ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସାମିଲ ହୋଇ ପାରିବେ।

 

ଏହି ୬ଟି ବନ୍ଦେ ଭାରତ ଟ୍ରେନ୍ ଆମ ରାଜ୍ୟର ବିଭିନ୍ନ ସହରକୁ ପଡୋଶୀ ରାଜ୍ୟ ସହ ସଂଯୋଗ କରିବ। ଏହା ଓଡିଶାର ଦ୍ରୁତ ବିକାଶ ଏବଂ ପ୍ରଗତି କ୍ଷେତ୍ରରେ ସହାୟକ ହେବ |

 

ମୁଁ ବହୁତ ଖୁସି ଯେ ଭାରତୀୟ ରେଳବାଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସେବା ବ୍ୟତୀତ ଓଡିଶାରେ ରେଳ ସଂଯୋଗକୁ ଘନୀଭୂତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ନିମନ୍ତେ ପଦକ୍ଷେପ ନେଇଛି।

 

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଆମ ରାଜ୍ୟରେ ଗୁଣପୁର-ଥେରୁବାଲି, ଜୁନାଗଡ-ନବରଙ୍ଗପୁର, ବାଦାମପାହଡ-କେନ୍ଦୁଝରଗଡ, ବାଙ୍ଗିରିପୋଷି-ଗୋରୁମହିଷାଣି, ମାଲକାନାଗିରି-ପାଣ୍ଡୁରଙ୍ଗପୁରମ୍, ବାମରା-ଚକୁଳିଆ, ବରଗଡ ରୋଡ-ନୂଆପଡା ଓ ସରଡେଗା-ଭାଲୁମୁଣ୍ଡା ।

 

ଏହିପରି ୮ଟି ନୂତନ ରେଳ ପଥ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି। ଏଥି ପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କା ବିନିଯୋଗ ହେବ।

 

୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାରେ ରେଳ ବିକାଶ ପାଇଁ କେନ୍ଦ୍ର ବଜେଟ୍ ରେ ୧୦,୫୮୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପୁନଶ୍ଚ “ ଅମୃତ ଭାରତ ଷ୍ଟେସନ” ଅଧିନରେ ଆମ ରାଜ୍ୟର ଶ୍ରୀକ୍ଷେତ୍ର ପୁରୀ ଓ ରାଜଧାନୀ ଭୁବନେଶ୍ୱରକୁ ମିଶାଇ ମୋଟ ୫୨ଟି ରେଳ ଷ୍ଟେସନର ଆଧୁନିକୀକରଣ ଓ ସଂପ୍ରସାରଣ ହେବ।

 

*ଓଡ଼ିଶାର ସାମଗ୍ରୀକ ଉନ୍ନତି ପାଇଁ ମୋଦି ସରକାର କେବେ ହେଲେ ଅର୍ଥର ଅଭାବ ରଖିନାହାନ୍ତି* । କୋଟି କୋଟି ଟଙ୍କା ବ୍ୟୟରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହେଉଥିବା *ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆମ ଓଡ଼ିଶାବାସୀଙ୍କୁ ଭଲ ପାଇବା ଓ ପ୍ରତିବଦ୍ଧତାର ପ୍ରତୀକ* । ଆପଣମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦରୁ ରାଜ୍ୟରେ ନୂଆ ସରକାର ଆସିଛି ।

ଆମ ସରକାର ୧୦୦ଦିନ ପୂରଣ କରିବା ପୂର୍ବରୁ ଏହିପରି ଜନମଙ୍ଗଳକର କାର୍ଯ୍ୟଗୁଡିକ ଆଗେଇଚାଲିବା ରାଜ୍ୟ ପାଇଁ ଉତ୍ତମ ଭବିଷ୍ୟତର ସୂଚନା ଦେଉଛି। ରାଜ୍ୟରେ ଡବଲ୍ ଇଂଜିନର ସରକାର ଆସିସାରିଛି । ବିକାଶର ଗତିକୁ ଡବଲ୍ ଇଂଜିନ ଅଧିକ ବେଗରେ ଆଗକୁ ନେଉଛି ।

 

ଭାଇ ଓ ଭଉଣୀମାନେ, ମୁଁ ଏଠାରେ ଆପଣ ମାନଙ୍କୁ କହିବାକୁ ଚାହେଁ ଯେ *ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୂତନ ରେଳ ପ୍ରକଳ୍ପ ଯୋଜନା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶା ପାଇଁ 70 ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ରେଳ ନେଟୱାର୍କର ଦକ୍ଷତା ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ* |