September 22, 2026

ବିମାନ ଦୁର୍ଘଟଣା ପରେ କାହିଁକି ଖୋଜା ପଡ଼େ ‘ବ୍ଲାକ ବକ୍ସ’, ଏହା ବିମାନରେ କେଉଁଠି ଥାଏ …

IMG-20250615-WA0013
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

ଭାରତର ବିମାନ ସେବା କ୍ଷେତ୍ରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ- ଏଆଇ୧୭୧ (ବୋଇଂ ୭୮୭-୮ ଡ୍ରିମ୍‌ଲାଇନର) ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ୍‌ ମଧ୍ୟରେ ନିକଟସ୍ଥ ବି.ଜେ. ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ି ଜଳିଯାଇଥିଲା। ଏଥିରେ ୧୨ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଯାତ୍ରା କରୁଥିବାବେଳେ ଜଣେ ଯାତ୍ରୀ ରମେଶ ବିଶ୍ୱାସକୁମାର ଦୁର୍ଘଟଣାର ଶେଷ ମୁହୂର୍ତ୍ତରେ ଡେଇଁ ଜୀବନ ବଞ୍ଚାଇପାରିଛନ୍ତି। ଘଟଣାରେ ମେଡିକାଲ କଲେଜ ହଷ୍ଟେଲର ବହୁ ଛାତ୍ର ପ୍ରାଣ ହରାଇଥିବାବେଳେ ଅନେକେ ଗୁରୁତର ଆହତ ହୋଇଛନ୍ତି। ବିମାନଟି ଖଣ୍ଡବିଖଣ୍ଡିତ ହୋଇ ହଷ୍ଟେଲ ଓ ଏହାର ଚାରିପାଖରେ ପଡ଼ିଥିବାବେଳେ ସେହି ଭିତରୁ ଅନ୍ୟ ଯାତ୍ରୀଙ୍କୁ ଜୀବନ୍ତ ଖୋଜା ଯାଇପାରିନାହିଁ। ଶେଷ ହସ୍ତଗତ ତଥ୍ୟ ଅନୁଯାୟୀ, ଅହମଦାବାଦ ସିଭିଲ ହସ୍ପିଟାଲକୁ ମୋଟ ୨୬୫ଟି ମୃତଦେହ ଆସିଥିବା ଡିସିପି କାନନ ଦେଶାଇ ଗଣମାଧ୍ୟମକୁ କହିଛନ୍ତି। ସେମାନଙ୍କ ମଧ୍ୟରେ ବିମାନ ଯାତ୍ରୀ, ହଷ୍ଟେଲ ଛାତ୍ର ଓ ସ୍ଥାନୀୟ ଲୋକେ ଥିବା କୁହାଯାଉଛି। ଅନେକ ଆହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ବୋଇଂ 787 ଡ୍ରିମଲାଇନରର ଗୋଟିଏ ବ୍ଲାକ ବାକ୍ସ ମିଳିଛି। ଦ୍ୱିତୀୟ ବ୍ଲାକ ବାକ୍ସ ଖୋଜା ଚାଲିଛି। ଏହି ବ୍ଲାକ ବାକ୍ସରୁ ଜଣାପଡିବ ଯେ, ଉଡ଼ାଣ ଭରିବା ପରେ ଏତେ ବଡ଼ ଦୁର୍ଘଟଣା କିପରି ଘଟିଲା। ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ବିମାନର ଡାଟା ରେକର୍ଡର ଏବଂ କକପିଟ ଭଏସ ରେକର୍ଡର ଉଭୟ ମିଳିଛି। ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର କାରଣ ଖୁବ ଶୀଘ୍ର ଜଣାପଡିବ। ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପଛରେ ୨ଟି କାରଣ ଥାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଉଭୟ ଇଞ୍ଜିନ୍‌ ଅଚଳ ହେବା କିମ୍ବା ଉଡ଼ାଣ ଆରମ୍ଭ ବେଳେ ପକ୍ଷୀ ସହ ମାଡ଼ହେବା କାରଣରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ତେବେ ବିମାନ ଦୁର୍ଘଟଣା ପରେ କାହିଁକି ଖୋଜାପଡେ ବ୍ଲାକ୍ ବକ୍ସ । ଦୁର୍ଘଟଣାର କାରଣ ଏବଂ ସତ ଜାଣିବାକୁ ସବୁଠି ପ୍ରଥମେ ଲୋଡା ପଡେ ବ୍ଲାକ୍ ବକ୍ସ । ଅହମଦାବାଦ ବିମାନ ଦୁର୍ଘଟଣା କେଉଁ ପରିସ୍ଥିତିରେ ହେଲା ? କାହିଁକି ହେଲା ? କେଉଁ କାରଣରୁ ହେଲା ? ଏସବୁ ପ୍ରଶ୍ନ ଏବେ ଉଙ୍କି ମାରୁଥିବା ବେଳେ ବ୍ଲାକ୍ ବକ୍ସ ଖୋଲିବାକୁ ସମସ୍ତଙ୍କ ଅପେକ୍ଷା ରହିଛି । ଆଉ ବ୍ଲାକ୍ ବକ୍ସ ଖୋଲିଲେ ହିଁ ସବୁ ରହସ୍ୟ ସାମ୍ନାକୁ ଆସିବ । ତାହାଲେ ଆସନ୍ତୁ ଜାଣିବା କଣ ଏହି ବ୍ଲାକ୍ ବକ୍ସ ?

ତେବେ ବହୁତ କମ୍ ଲୋକ ଜାଣିଥିବେ ଯେ ଏହି ‘ବ୍ଲାକ ବକ୍ସ’ କ’ଣ? ଏହି ବ୍ଲାକ୍ ବକ୍ସ ରଙ୍ଗରେ କଳା ନୁହେଁ, କିମ୍ବା ଆକୃତିର ବାକ୍ସ ପରି ମଧ୍ୟ ନୁହେଁ। କମଳା ରଙ୍ଗର ଏହି ଉପକରଣ ହୋଇଥିଲେ ମଧ୍ୟ ଏହାକୁ ବ୍ଲାକ ବକ୍ସ କୁହାଯାଏ। ବାସ୍ତବରେ, ଏହା ପଛରେ ଅନେକ ରୋଚକ କାରଣ ଲୁଚି ରହିଛି। ଐତିହାସିକ ମାନେ କୁହନ୍ତି ୧୯୫୦ ମସିହାରେ ଅଷ୍ଟ୍ରେଲୀୟ ବୈଜ୍ଞାନିକ ଡେଭିଡ ୱାରେନଲ୍‌ ଏହାର ଉଦ୍ଭାବନ କହିଥିଲେ। ବିମାନ କଣ ପାଇଁ ଦୁର୍ଘଟଣା ହୁଏ ତାହା ଜାଣିବା ଏବଂ ଆଗକୁ କିପରି ବିମାନ ଦୁର୍ଘଟଣା ରୋକାଯିବ ତାହା ଜାଣିବା ପାଇଁ ‘ବ୍ଲାକ ବକ୍ସ’ କୁ ସମସ୍ତ ବିମାନରେ ଲଗାଯାଏ। ଏହା ସମସ୍ତ ବ୍ୟବସାୟିକ ବିମାନ ଏବଂ ସଶସ୍ତ୍ର ବାହିନୀ ପାଇଁ ବାଧ୍ୟତାମୂଳକ ଅଟେ।ଏହାର ମୁଖ୍ୟ କାମ ହେଲା ଡିଭାଇସ୍ ଫିକ୍ସିଂ କରିବା, ଯାହା ଦ୍ବାରା ବିମାନ ଇଞ୍ଜିନ ସମସ୍ତ ତଥ୍ୟ ଜଣାପଡିବ। ବିମାନରେ କଣ ଘଟୁଛି ସେ ସବୁର ରେକର୍ଡିଂ। ଯାହା ଦ୍ବାରା ଦୁର୍ଘଟଣା ସମୟରେ ବିମାନର ଯାତ୍ରୀମାନେ କଣ କଥା ହେଉଥିଲେ ସେ ସବୁ ରେକଡିଂ କରାଯାଇପାରିବ। ଅଣ୍ଡର ୱାଟର ଲୋକେଟର। ଯାହା ଦ୍ବାରା ବିମାନଟି କ୍ରାସ ପରେ ସମୁଦ୍ରରେ ପଡିଲେ ମଧ୍ୟ ବ୍ଲାକ ବକ୍ସକୁ ଲୋକେଟ କରାଯାଇ ପାରିବ। ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଟାଇଟାନିୟମରେ ନିର୍ମିତ କୋର୍ ହାଉସିଂ। ଯାହା ଦ୍ବାରା କ୍ରାସ୍ ହେଲେ ଏହାର ମେମୋରୀ ୟୁନିଟ୍ ଖରାପ ହୋଇନଥାଏ। ବ୍ଲାକ୍ ବକ୍ସର ଦୁଇଟି ରେକର୍ଡର୍ ଅଛି। ଗୋଟିଏ ପାଇଲଟ୍ ଭଏସ୍ କିମ୍ବା କକ୍ପିଟ୍ ଧ୍ୱନି ପାଇଁ ଏକ କକ୍ପିଟ୍ ଭଏସ୍ ରେକର୍ଡର୍ (CVR) ଏବଂ ଫ୍ଲାଇଟ୍ ଡାଟା ରେକର୍ଡର୍ (FDR) ।ଫ୍ଲାଇଟ୍ ଡାଟା ରେକର୍ଡର୍

ବାସ୍ତବରେ ‘ବ୍ଲାକ ବକ୍ସ’ ବିମାନର ରେକର୍ଡର୍ ପରି କାମ କରେ।ବ୍ଲାକ୍ ବକ୍ସର ଓଜନ ପ୍ରାୟ ୧୦ ପାଉଣ୍ଡ (୪.୫ କିଲୋ)। ଏହା ବିମାନ ବିଷୟରେ ସମସ୍ତ ସୂଚନା ରଖେ । ଯେକୌଣସି ବିମାନରେ ଉଡ଼ାଣ ସମୟରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପକୁ ଅତି ନିକଟରୁ ରେକର୍ଡ କରିବା ପାଇଁ ଏହା ଏକ ଉପକରଣ । ବିମାନଟି କେଉଁ ଦିଗରେ ଉଡୁଛି ,କେତେ ଉଚ୍ଚତାରେ ଉଡୁଛି , ଇନ୍ଧନ କେତେ ଅଛି, ବିମାନଟି କେତେ ସ୍ପିଡ୍‌ରେ ଉଡୁଛି, କ୍ୟାବିନର ତାପମାତ୍ରା କଣ ରହିଛି।

ଏପରି ୮୮ ପ୍ରକାରର ତଥ୍ୟ ବ୍ଲାକ ବକ୍ସ ରେକର୍ଡ କରିଥାଏ। ବ୍ଲାକ ବକ୍ସରେ ବିମାନଟିର ୨୫ ଘଣ୍ଟାରୁ ଅଧିକ ରେକର୍ଡ ହୋଇଥିବା ତଥ୍ୟ ସଂଗ୍ରହ ହୋଇ ଥାଏ। ବ୍ଲାକ ବକ୍ସ 11000 ° C ର ତାପମାତ୍ରାକୁ ଏକ ଘଣ୍ଟା ପର୍ଯ୍ୟନ୍ତ ସହ୍ୟ କରିପାରିବ ଏବଂ ଭିତରର ଉପକରଣ ୧୦ ଘଣ୍ଟା ପର୍ଯ୍ୟନ୍ତ 260 ° C ର ତାପମାତ୍ରାକୁ ସହ୍ୟ କରିପାରିବ । ଏହା ବିମାନର ପଛ ଭାଗରେ ଫିଟ୍ ହୋଇଥାଏ । ବିମାନ ଦୁର୍ଘଟଣା ହେଲେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ। କାରଣ ଏହା ଟାଇଟାନିୟମ୍ ରେ ତିଆରି ଯାହାକି ଏକ ଶକ୍ତିଶାଳୀ ଧାତୁ ଭାବରେ ପରିଗଣିତ । ବ୍ଲାକ ବକ୍ସକୁ ଟାଇଟାନିୟମ୍ ରେ ସିଲ୍ କରାଯାଏ । ଏହି କାରଣରୁ ଯେତେ ଉଚ୍ଚରୁ ଖସିଲେ କି ପାଣିରେ ପଡିଲେ ମଧ୍ୟ ଏହା କ୍ଷତିଗ୍ରସ୍ତ ହୁଏ ନାହିଁ ।

କକ୍ପିଟ୍ ଭଏସ୍ ରେକର୍ଡର୍

ବ୍ଲାକ୍ ବକ୍ସରେ ଲାଗିଥିବା ଏହି ରେକର୍ଡର୍ ଉଡ଼ାଣର ୨ ଘଣ୍ଟା ପର୍ଯ୍ୟନ୍ତ ଶବ୍ଦକୁ ରେକର୍ଡ କରେ । ଏହା ଇଞ୍ଜିନର ଶବ୍ଦ, ଜରୁରୀକାଳୀନ ଆଲାର୍ମର ଶବ୍ଦ, କ୍ୟାବିନର ଶବ୍ଦ ଏବଂ କକ୍ପିଟ୍ ର ଶବ୍ଦ ଏବଂ ଫ୍ଲାଇଟ୍ କଣ୍ଟ୍ରୋଲ୍ ମଧ୍ୟରେ ବାର୍ତ୍ତାଳାପକୁ ରେକର୍ଡ କରିଥାଏ । ଯାହାଫଳରେ ଦୁର୍ଘଟଣା ପୂର୍ବରୁ ବିମାନର ପରିବେଶ କ’ଣ ତାହା ଜଣା ପଡିପାରେ।ବ୍ଲାକ୍ ବକ୍ସ କିପରି ମିଳିବ

ବ୍ଲାକ୍ ବକ୍ସ ୩୦ ଦିନ ବିଦ୍ୟୁତ୍ ବିନା କାମ କରିପାରିବ । ଯେତେବେଳେ ଦୁର୍ଘଟଣା ପରେ ଏହା ବିମାନରୁ ବିଚ୍ଛିନ୍ନ ହୁଏ ଏହା ପ୍ରତି ସେକେଣ୍ଡରେ ଏକ ବିପ୍ ସାଉଣ୍ଡ / ତରଙ୍ଗ ନିର୍ଗତ କରେ । ଏହି ତରଙ୍ଗ ୩୦ ଦିନ ପର୍ଯ୍ୟନ୍ତ ରହିଥାଏ। ଯାହାକି ସର୍ଚ୍ଚ ଦଳଗୁଡିକ ୨ ରୁ ୩ କିଲୋମିଟର ବ୍ୟାସାର୍ଦ୍ଧରେ ସହଜରେ ପାଇପାରିବେ । ଏହା 15000 ଫୁଟ ଗଭୀର ସମୁଦ୍ରରୁ ମଧ୍ୟ ତରଙ୍ଗ ପଠାଇବାରେ ସମର୍ଥ।

You may have missed