July 1, 2024

ଆଧୁନିକତାର ଛାପରେ ପ୍ରଭାବ ହୀନ ରଜ

Share

 

ଆଧୁନିକତାର ମୋହରେ ଆମେ ଆଜି ହରେଇ ବସିଛେ ଓଡ଼ିଆଙ୍କ ଗଣପର୍ବ ରଜ ପର୍ବକୁ. ପ୍ରତ୍ୟକ ଓଡିଶା ବାସୀଙ୍କ ଗ୍ରାମୀଣ ସଂସ୍କୃତି ଓ ପରମ୍ପରାରେ ତିନି ଦିନ ଧରି ପାଳନ ହୋଇ ଆସୁଥିବା ଏହି ରଜ ପର୍ବର ଗୀତ “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ” ଆଜି ବରଗଛ ଡାଳ କୁ ହରେଇ ବସିଛି. ହୀନ ରାଜନୀତିର ପ୍ରଭାବରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ଥିବା ସଦଭାବ ଓ ଭାଇଚାରା ଆଉ ଦେଖିବାକୁ ମିଳୁ ନାହିଁ. ଆଗ କାଳ ପରି ପୋଡପିଠା, ଆରିସା, ମେଣ୍ଡାସିଙ୍ଗା, ମଣ୍ଡା, କାକରା, ସୁଜି ଲଡ଼ୁ ଓ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ସହ ରଜ ପାନ ର ମହକ ଆଉ ସାହି ମାନଙ୍କରେ ବାସୁ ନାହିଁ କିମ୍ବା ପଡୋଶୀଙ୍କ ଘରେ ବଣ୍ଟା ଯାଉଥିବା ପିଠା, ମିଠା ଓ ପାନ ର ଆଦାନ ପ୍ରଦାନ ମଧ୍ୟ ବନ୍ଦ ହୋଇ ଗଲାଣି.
ଗାଁ ଦାଣ୍ଡରେ କିଶୋରୀ ମାନଙ୍କ ଦଳିର ପସରା ଓ ଗାଁ ଦଣ୍ଡ କିମ୍ବା ପିଣ୍ଡାରେ ତାସ ଓ ପଶାପାଲିର ଖେଳ ଆଉ ଦୃଶ୍ୟମାନ ହେଉନି. ଏହି ଆଧୁନିକ ଯୁଗରେ ରଜ ମଉଜ ମାନେ ଫାଷ୍ଟଫୁଡ, ମଦ ଓ ମାଂସ ରେ ସୀମିତ ହୋଇ ରହି ଯାଇଛି ଏବଂ ଏହାକୁ ହିଁ ଅଧିକ ଲୋକ ପସନ୍ଦ ମଧ୍ୟ କରୁଛନ୍ତି.
ବିଶେଷ କରି ଓଡ଼ିଆ ସଂସ୍କୃତି ରେ ଏହି ପର୍ବ ଏକ ପ୍ରମୁଖ ପର୍ବ ଭାବେ ପାଳନ କରାଯାଉଥିଲା. ରଜ ଆସିବା ବେଳେକୁ କୃଷକ ଭାଇ ମାନେ ହଳ ଓ ବୁଣାବୁଣି ସାରି ମୌସୁମୀ ଜନିତ ବର୍ଷାକୁ ଚାତକ ପକ୍ଷୀ ଭଳି ଚାହିଁ ବସିଥାନ୍ତି. କିନ୍ତୁ ବିଡମ୍ବନା ର ବିଷୟ ନା ବର୍ତମାନ ଅଛି ହଳ ଲଙ୍ଗଳ ନା ଅଛି ବିଲ ବୁଣା. ମୌସୁମୀ ମଧ୍ୟ ବାଟ ବଣା ହୋଇ ଲୁଚକାଳି ଖେଳୁଛି. ରଜ ଆସିଲେ ଦେଶ ବିଦେଶରେ ରହୁଥିବା ପ୍ରବାସୀ ମାନେ ନିଜ ନିଜ ଗାଁକୁ ପ୍ରତ୍ୟାବର୍ତନ କରି ତିନି ଦିନ ଧରି ରଜପର୍ବକୁ ମହା ଆଡମ୍ବରରେ ପାଳନ କରୁଥିଲେ. ବର୍ତମାନ ନାମକୁ ମାତ୍ର କିଛି ଵିଧି କରି ଏହି ଗଣ ପର୍ବରେ ଡି.ଜେ ର କର୍କଶ ଶବ୍ଦ,ଉଦଣ୍ଡ ନୃତ୍ୟ ଓ ମଦ ମାଂସର ଆସର ମଧ୍ୟରେ ରଜ ଭଳି ପବିତ୍ର ପର୍ବର ଅସ୍ତିତ୍ୱକୁ ହଜେଇ ଆଜିର ଓଡ଼ିଆ ପୁଅ ଆଧୁନିକବାଦକୁ ଆପଣେଇ ନିଜକୁ ଗର୍ବ ଅନୁଭବ କରୁଛି .ତଥାପି କିଛି ଛୋଟ ଛୋଟ ଗାଁ ମାନଙ୍କରେ ଏହି ମହାନ ଗଣ ପର୍ବ ରଜକୁ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ବିଶେଷ ମାନେ ପାରମ୍ପରିକ ରୀତି ନୀତି ଅନୁସାରେ ପାଳନ କରି ଓଡ଼ିଆ ଜାତିର ଅସ୍ମିତା କୁ ବଜାଇ ରଖିଛନ୍ତି.

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର

You may have missed