ବାଲିପଦରରେ ଐତିହାସିକ ହରିହର ଭେଟ ଓ ମକର ମିଳନ ଯାତ୍ରା ମହାସମାରୋହରେ ପାଳିତ…
ବୁଗୁଡା: ବୁଗୁଡା ବ୍ଲକ୍ ଅନ୍ତର୍ଗତ
ବାଲିପଦର ଗ୍ରାମରେ ମକର ମିଳନ ଉତ୍ସବ ଅନୁଷ୍ଠିତ
ହୋଇଯାଇଛି । ଗ୍ରାମର ତିନି ମହାପ୍ରଭୁ ଶ୍ରୀ
ନୀଳକଣ୍ଠେଶ୍ବର, ଶ୍ରୀ ଜଗନ୍ନାଥ ଓ ଶ୍ରୀ ରଘୁନାଥ
ସ୍ବତନ୍ତ୍ର ଭାବେ ପୁଷ୍ପ ସଜ୍ଜିତ ବିମାନରେ ଭକ୍ତଙ୍କ
ଗହଣରେ ଗ୍ରାମର କେନ୍ଦ୍ରସ୍ଥଳ ମକର ପଡିଆକୁ ଆସି
ମିଳନ ହୋଇଥିଲେ । ତିନି ମନ୍ଦିରର କର୍ମକର୍ତ୍ତା
କୋକରାମ ଜେନା, ସଂଗ୍ରାମ କେଶରୀ ଗୁରୁ ଓ କେ.ଅଶୋକ ପାତ୍ରଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଯୁବ ସ୍ୱେଚ୍ଛାସେବୀମାନେ ଏଥିରେ ସହଯୋଗ କରିଥିଲେ । ସ୍ଥାନୀୟ ପୋଲିସ୍ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା ବେଳେ ଆଖପାଖ ଅଞ୍ଚଳର ଲୋକକଳା ସାଂସ୍କୃତିକ ସଂଗଠନମାନେ ତିନି ଠାକୁର ସମ୍ମୁଖରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଶ୍ରଦ୍ଧାଳୁମାନେ ମାନସିକ ପୂର୍ଣ୍ଣତା ବଦଳେ ତିନି ଠାକୁରଙ୍କ ମିଳନ ବେଳେ ମୁଆଁ ଫିଙ୍ଗି ପରମ୍ପରା ବଜାୟ ରଖିଥିଲେ । ଗ୍ରାମର ମଙ୍ଗଳ ସକାଶେ ମେଳଣ ପରେ ତିନି ଠାକୁର ଏକତ୍ର ହୋଇ ଗ୍ରାମ୍ଯ ପରିକ୍ରମା କରିଥିଲେ । ବାଲିପଦରର ଏହି ପ୍ରାଚୀନ ହରିହର ଭେଟ ବେଳେ ଏକ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ଚନ୍ଦନପେଢି,ମହୁଲପଲ୍ଲି,ଝୋଲରୀ,ଏକଡାଳ,ଖରିଡା ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳ ସହଯୋଗ କରିଥିଲେ । ଏଥି ସହ ଦୁଇ ଥଳ ରଜାନାଟ ପରିବେଷଣ ଯୋଗୁଁ ଗ୍ରାମରେ ସାଂସ୍କୃତିକ ବାତାବରଣ ସୃଷ୍ଟି ହୋଇଥିଲା । ସେହିପରି ବୁଗୁଡ଼ାସ୍ଥିତ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ସୂର୍ଯ୍ୟ ପୂଜା କରାଯାଇ ମକର ପ୍ରସାଦ ବଣ୍ଟନ କରାଯାଇଥିଲା ।