June 15, 2025

ଆଧୁନିକତାର ଛାପରେ ବଦଳିଛି ରଜପର୍ବ,ହଜିଯାଇଛି ପରମ୍ପରା ଓ ସଂସ୍କୃତି। 

IMG-20250614-WA0026
Share

 

ବୋଲଗଡ଼,୧୪/୦୬(ଉପାନ୍ତ ଖବର): “ବନସ୍ତେ ଡାକିଲା ଗଜ,ବରଷକେ ଥରେ ଆସିଛି ରଜ” “ଆସିଛି ରଜଲୋ ଘେନି ନୂଆ ସଜବାଜ”

 

ଆଧୁନିକତାର ଛାପରେ ଆମେ ଆଜି ହରେଇ ବସିଛେ ଓଡ଼ିଆ ଙ୍କ କୃଷି ଭିତ୍ତିକ ଗଣପର୍ବ ରଜ ପର୍ବକୁ। ଓଡ଼ିଶାର ଥିବା ପ୍ରତେକ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଆମର ସଂସ୍କୃତି ଓ ପରମ୍ପରା ଚାରିଦିନ ଧରି ପାଳନ ହୋଇଆସୁଥିବା ଏହି ରଜ ପର୍ବର ଗୀତ “ବନସ୍ତେ ଡାକିଲା ଗଜ,ବରଷକେ ଥରେ ଆସିଛି ରଜ” କିନ୍ତୁ ଆଜିର ସମୟରେ ବରଗଛ, ଆମ୍ବଗଛ, କଇଁଆଗଛ ଡାଳକୁ ହରାଇ ବସିଛି. ହୀନ ରାଜନୀତିର ପ୍ରଭାବ ରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ଥିବା ସଦଭାବନା ଓ ଭାଇଚାରା ଆଉ ଦେଖିବାକୁ ମିଳୁନାହିଁ। ପୂର୍ବରୁ ଚଳି ଆସୁଥିବା ସେହି ପୋଡ଼ପିଠା, ଆରିସା,ମଣ୍ଡା,କାକରା,ସୁଜିପିଠା ଓ ବିଭିନ୍ନ ପ୍ରକାରର ମିଷ୍ଟାନ୍ନ ସହ ରଜରେ ଖିଲିପାନର ମହକ ଆଉ ଗ୍ରାମାଞ୍ଚଳର ସାହିମାନଙ୍କରେ ବାସୁନାହିଁ। ସେହିପରି ପଡୋଶୀ ଘର ମଧ୍ୟରେ ବଣ୍ଟନ କରାଯାଉଥିବା ପିଠା, ମିଠା ଓ ରଜର ଖିଲିପାନ ଆଦାନ ପ୍ରଦାନ ମଧ୍ୟ ବନ୍ଦ ହୋଇଗଲାଣି। ଗାଁ ଦାଣ୍ଡରେ କିଶୋରୀ ମାନଙ୍କ ଦଳର ପସରା ଏବଂ ଗାଁ ଦାଣ୍ଡରେ ତାସ ଓ ପଶାପାଲିର ଖେଳ ଆଉ ଦୃଶ୍ୟମାନ ହେଉନାହିଁ। ଏହି ଆଧୁନିକ ଯୁଗରେ ରଜ ମଉଜ କହିଲେ ଫାଷ୍ଟଫୁଡ୍, ମଦ, ମାଂସ ରେ ସୀମିତ ହୋଇ ରହି ଯାଇଛି। ଯାହା କି ମଧ୍ୟ ଲୋକ ମାନେ ଅଧିକ ପସନ୍ଦ କରୁଛନ୍ତି।

 

ବିଶେଷ କରି ଓଡ଼ିଆ ସଂସ୍କୃତି ରେ ଏହି ପର୍ବ ଏକ ପ୍ରମୁଖ ପର୍ବ ଭାବେ ପାଳନ କରାଯାଉଥିଲା। ରଜ ଆସିବା ବେଳକୁ ଚାଷୀ ଭାଇ ମାନେ ଧାନ ବୁଣା ବୁଣି ସାରି ମୌସମୀ ଜନିତ ବର୍ଷା କୁ ଚାତକ ପକ୍ଷୀ ଭଳି ଚାହିଁ ବସିଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ନା ହଳ ଲଙ୍ଗଳ ଅଛି ନା ଧାନ ବୁଣା। ମୌସମୀ ମଧ୍ୟ ବାଟବଣା ହୋଇ ଲୁଚକାଳି ଖେଳୁଛି।ରଜ ଆସିଲେ ବାହାରେ ରହୁଥିବା ଲୋକମାନେ ନିଜ ଗ୍ରାମ କୁ ଆସି ଚାରିଦିନ ଧରି ରଜ ପର୍ବ କୁ ମହା ଆଡ଼ମ୍ବର ସହକାରେ ପାଳନ କରୁଥିଲେ। ବର୍ତ୍ତମାନ ନାମକୁ ମାତ୍ର କିଛି ବିଧି କରି ଏହି ଗଣ ପର୍ବ ରେ ଡି. ଜେ ର କର୍କଶ ଶଦ୍ଦ,ଉଦଣ୍ଡ ନୃତ୍ୟ ଓ ମଦ ମାଂସ ର ଆସର ମଧ୍ୟ ରେ ରଜ ଭଳି ପବିତ୍ର ପର୍ବ ର ଅସ୍ତିତ୍ବ କୁ ହଜାଇ ଆଜିର ଓଡ଼ିଆ ପୁଅ ଆଧୁନିକବାଦକୁ ଆପଣେଇ ନିଜକୁ ଗର୍ବିତ ଅନୁଭବ କରୁଛି।

 

ତଥାପି କିଛି କିଛି ଛୋଟ ଛୋଟ ପଲ୍ଲୀ ଗ୍ରାମ ମାନଙ୍କରେ ଏହି ମହାନ ଗଣ ପର୍ବ ରଜକୁ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ବିଶେଷ ମାନେ ପାରମ୍ପରିକ ରୀତିନୀତିରେ ପାଳନ କରି ଓଡ଼ିଆ ଜାତିର ଅସ୍ମିତା କୁ ବଜାଇ ରଖିଛନ୍ତି।

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)