September 29, 2024

ଜମୁଜି ନିର୍ବାଚନ ପ୍ରଚାର , ବଢିଛି ପୁସିଂ କାର୍ଡର ଗୁରୁତ୍ବ

Share

ବୁଗୁଡା : ତା ୧୪/୦୫/୨୪ : ଏଥର ସାଧାରଣ ନିର୍ବାଚନରେ ପ୍ରାର୍ଥୀମାନେ ନିଜ ଅଞ୍ଚଳରେ ସଭା ଶୋଭାଯାତ୍ରା ସହିତ ଘରକୁ ଘର ବୁଲି ପ୍ରଚାରରେ ମାତିଛନ୍ତି । ଫଳରେ ଚଳିତ ନିର୍ବାଚନରେ ବଡ ବଡ ପୋଷ୍ଟର ବ୍ୟାନର ବଦଳରେ କଲେଜ ନିର୍ବାଚନ ଢାଞ୍ଚାରେ ଛୋଟ ଛୋଟ ପୁସିଂ କାର୍ଡ ଓ ଷ୍ଟିକର ଉପରେ ଗୁରୁତ୍ଵ ଦେଉଛନ୍ତି । ଏହାର ଚାହିଦା ଏବେ ଢେର ବଢିଯାଇଛି । ଆସ୍କା ଲୋକସଭା ଓ ପୋଲସରା ବିଧାନସଭା ନିର୍ବାଚନ ଏଇ ମାସ ୨୦ ତାରିଖ ଦିନ ଭୋଟ ଗ୍ରହଣ ହେବାକୁ ଯାଉଥିବା ବେଳେ ପ୍ରଚାର ଶେଷ ହେବାକୁ ଆଉ ହାତ ଗଣତି କେତୋଟି ଦିନ ରହିଛି । ତେଣୁ ସବୁ ପ୍ରାର୍ଥୀ ଏବେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଖରା ଓ ଗରମକୁ ଖାତିର ନକରି ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହିତ ଘରକୁ ଘର ବୁଲି ପ୍ରଚାର କରିବାରେ ଲାଗିଛନ୍ତି ଏବଂ ଭୋଟରଙ୍କ ପାଇଁ ହାତରେ ପୁସିଂ କାର୍ଡ ଧରି ଯାଉଛନ୍ତି । ଲୋକଙ୍କ ହାତରେ ନିଜର ପ୍ରଚାର ସାମଗ୍ରୀ ଧରାଇ ହାତ ଯୋଡି ଭୋଟ ଭିକ୍ଷା କରୁଛନ୍ତି । ତେବେ ପୂର୍ବରୁ ଯେଭଳି କାନ୍ଥବାଡ ଓ ଗଛ ଆଦିରେ ବଡ ବଡ ପୋଷ୍ଟର ଲାଗୁଥିଲା ଏବେ ସେତେ ପରିମାଣରେ ନଲାଗି ତାହା ବଦଳରେ ପ୍ରାର୍ଥୀମାନେ ସୁନ୍ଦର ସୁନ୍ଦର ପୁସିଂ କାର୍ଡ ଲୋକଙ୍କ ହାତରେ ଧରାଉଛନ୍ତି । କେତେକ ଏହାକୁ ଭୋଟରଙ୍କ କାନ୍ଥ କିମ୍ବା କବାଟରେ ଷ୍ଟିକର ଆକାରରେ ମାରୁଥିବା ଲକ୍ଷ୍ୟ କରାଯାଉଛି । ତେଣୁ ଚଳିତ ନିର୍ବାଚନରେ ଏଭଳି ରଙ୍ଗବେରଙ୍ଗର କାର୍ଡର ଚାହିଦା ଢେର ବଢିଥିବା ବେଳେ ପ୍ରାର୍ଥୀଙ୍କ ପୋଷ୍ଟର ବ୍ୟାନର ଖର୍ଚ୍ଚ କିଛିଟା ହ୍ରାସ ପାଇଛି । ବଡ ବଡ ପୋଷ୍ଟର,ବ୍ୟାନର ଓ ଫ୍ଲେକ୍ସ ଆଦିରେ ଯେତେ ଅର୍ଥ ଖର୍ଚ୍ଚ ହେଉଥିଲା ତାହାଠାରୁ କମ୍ ଖର୍ଚ୍ଚରେ ଭୋଟରଙ୍କ ମନକୁ ଛୁଇଁଲା ଭଳି ପୁସଂକାର୍ଡ ପ୍ରସ୍ତୁତ ହେଉଛି । ଭୋଟରମାନେ ମଧ୍ୟ ଏହାକୁ ସହଜରେ ନିଜ ପାଖରେ ରଖି ପାରୁଛନ୍ତି । ଫଳରେ ଏବେ ପ୍ରଚାର ଏବଂ ଭୋଟ ଭିକ୍ଷା ବେଳେ ପୁସିଂ କାର୍ଡର ଗୁରୁତ୍ବ ବଢିଯାଇଥିବା ଦେଖିବାକୁ ମିଳୁଛି ।