ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ବୁଗୁଡା : ତା ୧୪/୦୪/୨୬ : ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡା ଗ୍ରାମର ଯୁବକ ସିଦ୍ଧାର୍ଥ ନାୟକ (୨୨) ବାଇକ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ, ସିଦ୍ଧାର୍ଥ ଆଜି ଅପରାହ୍ନରେ ଭିଣୋଇଙ୍କ ଘର ବାବନପୁରକୁ ଯାଇ ସେଠାରୁ ବାଇକରେ ଫେରୁଥିବା ବେଳେ କୋଟିନଡା ଥାନା ଅନ୍ତର୍ଗତ କନ୍ଧପଲ୍ଲୀ ଗାଁ ମନ୍ଦିର ନିକଟ ବୁଲାଣି ରାସ୍ତାରେ ଭାରସାମ୍ଯ ହରାଇ ରାସ୍ତାକଡସ୍ଥ ଏକ ଗଛରେ ପିଟି ହୋଇଯାଇଥିଲେ। ଦୁର୍ଘଟଣାରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ଏକ ଅଟୋ ଯୋଗେ ବୁଗୁଡା ମେଡିକାଲକୁ ପଠାଇ ଦେଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
