ଡଃ ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ଅବସରରେ ଦଳିତ ମହାସଭାର ବିଭିନ୍ନ କାର୍ଯ୍ୟକ୍ରମ..

*ଗାଁରେ ଜାତିସୂଚକ ନାମ ଥିବା ସାହିର ନାମକୁ ଡଃ ଆମ୍ବେଦକରଙ୍କ ନାମରେ ନାମିତ କରାଗଲା !*
ଭାରତର ମହାନ୍ ସମାଜ ସଂସ୍କାରକ ତଥା ସମ୍ବିଧାନ ପ୍ରଣେତା ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମବାର୍ଷିକୀ ଅବସରରେ ଗଞ୍ଜାମ ଜିଲ୍ଲା ଦଳିତ ମହାସଭା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାସଭା ପକ୍ଷରୁ ସୋରଡା ପଞ୍ଚାନନ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଆଜି ପୂର୍ବାହ୍ନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମହାସଭାର ସମ୍ପାଦକ ସଂଗ୍ରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଲେଖିକା ଡଃ ବିଧୂପ୍ରଭା ରଥ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଗବେଷିକା ପ୍ରିୟତମା ମଲ୍ଲିକ ଯଥାକ୍ରମେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବକ୍ତାମାନେ ନିଜର ବକ୍ତବ୍ୟରେ ଡଃ ଆମ୍ବେଦକର ଦେଶରେ ଜାତି ବିରୋଧି ସମାଜ ସଂସ୍କାର ଆନ୍ଦୋଳନର ସବୁଠାରୁ ଉତ୍ତଙ୍ଗ ଚେହେରା ଥିଲେ ଏବଂ ସେଥିପାଇଁ ସେ ନିଜର ସମଗ୍ର ଜୀବନକୁ ସମର୍ପିତ କରିଥିଲେ ବୋଲି କହିଥିଲେ । ଜଣେ ବୁଦ୍ଧିଜୀବି ଭାବେ ସେ ଜାତି ସମ୍ପର୍କରେ ଗଭୀର ଅଧ୍ୟୟନ କରି ତାର ମୂଳକୁ ଯିବାକୁ ଚେଷ୍ଟା କରିଥିଲେ ଏବଂ ସେ ସମ୍ପର୍କରେ ଅନେକ ପୁସ୍ତକ ରଚନା କରିଥିଲେ । ସେ ଅନେକ ଗୁଡ଼ିଏ ଜାତିରେ ବିଭକ୍ତ ଦଳିତ ସମ୍ପ୍ରଦାୟକୁ ଏକତାବଦ୍ଧ କରିବା ପାଇଁ ସେମାନଙ୍କ ମନରେ ଗଭୀର ଆତ୍ମବିଶ୍ବାସ ସୃଷ୍ଟି କରିଥିଲେ । ଜାତି ବ୍ୟବସ୍ଥାକୁ ମାନ୍ୟତା ଦେଉଥିବା ମନୁସ୍ମୃତିର ସର୍ବସାଧାରଣରେ ଦହନ ଠାରୁ ଆରମ୍ଭ କରି ମହାଡ ଠାରେ ସର୍ବସାଧାରଣ ପୁଷ୍କରିଣୀରେ ସାମୁହିକ ଜଳଗ୍ରହଣ ଓ ନାସିକର କାଲାରାମ ମନ୍ଦିରରେ ରହି ଆସିଥିବା ପ୍ରବେଶ କଟକଣାକୁ ଭାଙ୍ଗିବା ପାଇଁ ଦଳିତଙ୍କ ମନ୍ଦିର ପ୍ରବେଶ ଆନ୍ଦୋଳନ ସଂଗଠିତ କରିଥିଲେ । ଦେଶର ସମ୍ବିଧାନର ପ୍ରସ୍ତୁତି ବେଳେ ସେ ସମାଜର ସମାଜର ଅସ୍ପୃଶ୍ୟମାନଙ୍କୁ ବିଭିନ୍ନ ଅଧିକାର ଦେବା ସହ ସେମାନଙ୍କ ପାଇଁ ଶିକ୍ଷା, ଚାକିରି ଓ ସଂସଦ ତଥା ବିଧାନସଭାରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରିଥିଲେ । ଦେଶରୁ ଜାତିବାଦର ସମାପ୍ତି ପାଇଁ ଉଦ୍ଧିଷ୍ଟ ଲଢେଇକୁ ଶକ୍ତିଶାଳୀ କରିବା ହିଁ ଡଃ ଆମ୍ବେଦକରଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସମସ୍ତ ବକ୍ତା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଦଳିତ ମହାସଭାର ସଭାପତି ସୁରେନ୍ଦ୍ର ନାୟକ, ସୋରଡା ବ୍ଲକ୍ ସଭାପତି ରାଜେଶ ସେନାପତି, ଦଳିତ ନେତା ଶିବ ନାୟକ , ତ୍ରିନାଥ ନାୟକ, ଶିକ୍ଷକ ନରେନ୍ଦ୍ର କାର୍ଜି, ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଗଣପତି ନାୟକ ପ୍ରମୁଖ ଯୋଗଦେଇ । ଶେଷରେ ରାଜେଶ ସେନାପତି ଧନ୍ୟବାଦ ଦେଇଥିଲେ ।
ଡଃ ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ଅବସରରେ ଆଜି ଆସିକା ବ୍ଳକର କମାଗଡ ଦଳିତ ସାହି ଓ ସୋରଡା ବ୍ଳକର ସନ୍ଧି ଗୁଣ୍ଡିରିବାଡି ସମେତ ଆଦି ଜିଲ୍ଲାର ବିଭିନ୍ନ ଗ୍ରାମରେ ଥିବା ଦଳିତ ବସ୍ତିର ଜାତି ସୂଚକ ନାମକୁ ପରିବର୍ତ୍ତିତ କରି ଡ଼ଃ ଆମ୍ବେଦକର ଓ ଅନ୍ୟ ମହାପୁରୁଷଙ୍କ ନାମର ନାମିତ କରାଯାଇଥିଲା ।