March 16, 2026

ଚଳିତ ଗ୍ରୀଷ୍ମ ଋତୁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଆମେ ପ୍ରସ୍ତୁତ -ଟିପିଡବ୍ଲୁଓଡିଏଲ 

IMG-20260314-WA0015
Share

 

 

ସମ୍ବଲପୁର୧୪. ୦୩(ରାଜାରାମ ଷଡ଼ଙ୍ଗୀ): ଚଳିତ ଗ୍ରୀଷ୍ମ ଋତୁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବ୍ୟାପକ ଭାବେ ପ୍ରାକ୍ ପ୍ରସ୍ତୁତି କରାଯାଇଅଛି । କମ୍ପାନୀର ବିତରଣ କ୍ଷେତ୍ରରେ ରହିଥିବା ସମସ୍ତ ପାଞ୍ଚ ଗୋଟି ବିଦ୍ୟୁତ୍ ମଣ୍ଡଳ ତଥା ପଶ୍ଚିମ ଓଡ଼ିଶାର ନଅ ଗୋଟି ଜିଲ୍ଲାରେ ଏହି ପ୍ରାକ୍ ପ୍ରସ୍ତୁତି ଶେଷ କରାଯାଇଅଛି । ଏହି ପ୍ରାକ୍ ପ୍ରସ୍ତୁତି ନେଇ କମ୍ପାନୀ ପକ୍ଷରୁ ଏହାର ସମ୍ୱଲପୁର ଜିଲ୍ଲା ଅଇଁଠାପାଲି ସ୍ଥିତ କାର୍ଯ୍ୟାଳୟରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ତେବେ ଚଳିତ ଗ୍ରୀଷ୍ମ ଋତୁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିଡବ୍ଲୁଓଡିଏଲ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ କମ୍ପାନୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଥିଲେ ।

 

ଚଳିତ ଗ୍ରୀଷ୍ମ ଋତୁରେ ଟିପିଡବ୍ଲୁଡିଏଲର ସମସ୍ତ ବିତରଣ ଅଞ୍ଚଳରେ ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦା (ପିକ୍ ଡିମାଣ୍ଡ) ୧୯୯୨ ମେଗାୱାଟ୍ ରହିବ ବୋଲି ଆକଳନ କରାଯାଉଅଛି । ଏହି ଆବଶ୍ୟକତାକୁ ପୂରଣ କରିବା କରିବା ଲାଗି କମ୍ପାନୀ ନିକଟରେ ୪୫୨୪ ମେଗୱାଟ୍ ବିତରଣ କ୍ଷମତା ରହିଛି । ସେହିପରି ଚଳିତ ଗ୍ରୀଷ୍ମ ଋତୁରେ ୧୪୯୪୫ ମିଲିୟନ୍ ୟୁନିଟ୍ ବିଦ୍ୟୁତ୍ ଶକ୍ତି ବ୍ୟବହାରର ଆକଳନ କରାଯାଉଅଛି । ଚଳିତ ଆର୍ଥିକ ବର୍ଷରେ ୩୩ କେ.ଭି. ଲାଇନରେ ୧୦୪ ସିକେଏମ୍ (ସର୍କିଟ୍ କିଲୋମିଟର୍) ଲାଇନର ଉନ୍ନତିକରଣ, ୭୯୮ ସିକେଏମ୍ (ସର୍କିଟ୍ କିଲୋମିଟର୍) ନୂତନ ଲାଇନର ସ୍ଥାପନ ଏବଂ ୯ ଗୋଟି ନୂତନ ପାୱାର ସବଷ୍ଟେସନ୍ ର ନିର୍ମାଣ କରାଯାଇଅଛି । ଏହି ଉନ୍ନତିକରଣ ତଥା ନୂତନ ନିର୍ମାଣ ସହ ବର୍ତ୍ତମାନ କମ୍ପାନୀ ନିକଟରେ ମୋଟ୍ ୬୪୩୦ ସିକେଏମ୍ (ସର୍କିଟ୍ କିଲୋମିଟର୍)ର ୩୩ କେ.ଭି. ଲାଇନ୍ ଏବଂ ମୋଟ୍ ୩୨୬ ଗୋଟି ପାୱାର ସବ-ଷ୍ଟେସନ୍ କାର୍ଯ୍ୟକ୍ଷମ ହେଉଅଛି । ସେହିପରି ଚଳିତ ଆର୍ଥିକ ବର୍ଷରେ ୧୧ କେ.ଭି. ଲାଇନରେ ୧୪୮ ସିକେଏମ୍ (ସର୍କିଟ୍ କିଲୋମିଟର୍) ଲାଇନର ଉନ୍ନତିକରଣ ସହ ୧୮୬୦ ସିକେଏମ୍ (ସର୍କିଟ୍ କିଲୋମିଟର୍) ନୂତନ ଲାଇନର ସ୍ଥାପନ ସହ ୫୪ ଗୋଟି ଆରଏମୟୁ ସ୍ଥାପନ କରାଯାଇଅଛି । ଏହି ଉନ୍ନତିକରଣ ତଥା ନୂତନ ନିର୍ମାଣ ସହ ବର୍ତ୍ତମାନ କମ୍ପାନୀ ନିକଟରେ ମୋଟ୍ ୫୩୫୬୮ ସିକେଏମ୍ (ସର୍କିଟ୍ କିଲୋମିଟର୍)ର ୧୧ କେ.ଭି. ଲାଇନ୍ ଏବଂ ମୋଟ୍ ୭୪୧୧୫ (ସର୍କିଟ୍ କିଲୋମିଟର୍)ର ଏଲଟି ଲାଇନ୍ କାର୍ଯ୍ଯକ୍ଷମ ହେଉଅଛି । ଚଳିଚ ଆର୍ଥିକ ବର୍ଷରେ ୬ ଗୋଟି ପିଟିଆର (ପାୱାର ଟ୍ରାନ୍ସଫର୍ମେର)ର ଉନ୍ନତିକରଣ ଏବଂ ୧୮ଗୋଟି ନୂତନ ପିଟିଆରର ସ୍ଥାପନ କରାଯାଇ ସର୍ବମୋଟ୍ ୭୧୪ ଟି ପିଟିଆର୍ କାର୍ଯ୍ୟକ୍ଷମ ହେଉଅଛି । ୧୦୨ଟି ଡିଟିଆର୍ (ଡିସଟ୍ରିବୁସନ ଟ୍ରାନ୍ସଫର୍ମେର ) ର ଉନ୍ନତିକରଣ ଏବଂ ୧୮୬୦ ଗୋଟି ନୂତନ ଡିଟିଆର୍ ସ୍ଥାପନ ସହ ପଶ୍ଚିମ ଓଡ଼ିଶାରେ ସର୍ବମୋଟ୍ ଏବେ ୮୬୬୨୧ଗୋଟି ଡିଟିଆର୍ କାର୍ଯ୍ୟକ୍ଷମ ହେଉଅଛି । ଏଥିସହ କମ୍ପାନୀ ପାଖରେ ୮ ଗୋଟି ମୋବାଇଲ୍ ଡିଟିଆର୍ ( ମୋବାଇଲ ଡିସଟ୍ରିବୁସନ ଟ୍ରାନ୍ସଫର୍ମେର ) ମଧ୍ୟ ମହଜୁଦ୍ ରହିଛି ।

 

ଏପରିକି ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମସ୍ତ ୩୨୬ ଗୋଟି ପିଏସ୍ଏସ୍, ୪୬୩୦ ସିକେଏମ୍ (ସର୍କିଟ୍ କିଲୋମିଟର୍)ର ୩୩ କେ.ଭି. ଫିଡର୍ ଏବଂ ୫୩୫୬୮ ସିକେଏମ୍ (ସର୍କିଟ୍ କିଲୋମିଟର୍)ର ୧୧ କେ.ଭି. ଫିଡର୍, ୭୧୪ ଗୋଟି ପିଟିଆର୍, ଏବଂ ୮୬୬୨୧ ଗୋଟି ଡିଟିଆରର ରକ୍ଷଣାବେକ୍ଷଣ ଜାରି ରହିଅଛି । ଏହି ରକ୍ଷଣାବେକ୍ଷଣ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ମୋଟ୍ ୭୮୬୩ ଜଣ ଲାଇନମେନ୍ ଏବଂ ହେଲ୍ପରଙ୍କୁ ବ୍ୟବସାୟ ସହଯୋଗୀ ଦ୍ୱାରା ନିଯୁକ୍ତି କରାଯାଇଅଛି । ସେମାନଙ୍କ ମଧ୍ୟରେ ୩୩ କେ.ଭି. ଲାଇନର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ୨୬୧୭ ଜଣ ଏବଂ ୧୧ କେ.ଭି. ଲାଇନର ରକ୍ଷଣାବେକ୍ଷଣ ପାଇଁ ୫୨୪୬ ଜଣଙ୍କୁ ନିଯୁକ୍ତି ଦିଆଯାଇଅଛି ।ସେହିପରି ୩୨୬ ଗୋଟି ପିଏସ୍ଏସ୍ ର ରକ୍ଷଣାବେକ୍ଷଣ କାର୍ଯ୍ୟପାଇଁ ୪୨୩ ଜଣ ଲାଇନମେନ୍ ଏବଂ ହେଲ୍ପରଙ୍କୁ ବ୍ୟବସାୟ ସହଯୋଗୀଙ୍କ ଦ୍ୱାରା ନିଯୁକ୍ତି କରାଯାଇଅଛି ।ସହରାଞ୍ଚଳରେ ୩ଟି ସିପ୍ଟରେ ଏବଂ ଗ୍ରାମଞ୍ଚଳରେ ୨ଟି ସିପ୍ଟରେ ଲାଇନମେନ୍ ଏବଂ ହେଲ୍ପରଙ୍କୁ ନିଯୁକ୍ତି ଦିଆଯାଇଅଛି ।ବିଦ୍ୟୁତ୍ ବ୍ୟାହତ ସମୟରେ ଯୋଗାଯୋଗକୁ ତ୍ୱରାନ୍ବିତ କରିବା ପାଇଁ କମ୍ପାନୀର ବିତରଣ ଅଞ୍ଚଳରେ ରହିଥିବା ସମସ୍ତ ୫୭ ଟି ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟାଳୟରେ ମୋଟ୍ ୧୬୬ ଜଣ ଟେଲିଫୋନ୍ ଅପରେଟରଙ୍କୁ ନିଯୁକ୍ତି କାରାଯାଇଅଛି । ରାତ୍ରୀକାଳୀନ ବିଦ୍ୟୁତ୍ ବ୍ୟାହତର ମରାମତି କାର୍ଯ୍ୟ ପାଇଁ ସହରାଞ୍ଚଳରେ ପ୍ରତ୍ୟେକ ସବ-ଡିଭିଜନରେ ୨ଜଣ ଲାଇନମେନ୍ ଏବଂ ୨ଜଣ ହେଲ୍ପର ଓ ଗ୍ରାମାଞ୍ଚଳରେ ୪ ଜଣ ଲାଇନମେନ୍ ଏବଂ ୨ ଜଣ ହେଲ୍ପରଙ୍କୁ ସ୍ୱତନ୍ତ୍ର ନିଯୁକ୍ତି କରାଯାଇଅଛି। ୧୧ କେ.ଭି. ଏବଂ ଏଲଟି ଲାଇନର ରକ୍ଷଣାବେକ୍ଷଣ ନିମନ୍ତେ ୨୭୩ ଏବଂ ୩୩ କେ.ଭି. ନିମନ୍ତେ ୬୫ ଗୋଟି ରକ୍ଷଣାବେକ୍ଷଣ ଗାଡ଼ିର ଯୋଜନା କରାଯାଇଅଛି । ଏହି ଗାଡ଼ି ୧୨ ଘଣ୍ଟିଆ, ୧୬ ଘଣ୍ଟିଆ ଏବଂ ୨୪ଘଣ୍ଟିଆ ନିଯୁକ୍ତ ରହିଛନ୍ତି । ବୁର୍ଲାଠାରେ କମ୍ପାନୀର ୨୪*୭ ସେଣ୍ଟ୍ରାଲ୍ ପାୱାର ସିଷ୍ଟମ୍ କଣ୍ଟ୍ରୋଲ୍ ସେଣ୍ଟରକୁ କାର୍ଯକ୍ଷମ ରହିଥିବା ସହ ରାଉରକେଲା, ବଲାଙ୍ଗିର ଏବଂ କଳାହାଣ୍ଡିଠାରେ ୮ ଗୋଟି ଡିଭିଜନକୁ ମନିଟର୍ କରିବା ପାଇଁ ଆଡିସନାଲ୍ ପାୱାର ସିଷ୍ଟମ୍ କଣ୍ଟ୍ରୋଲ୍ ସେଣ୍ଟରର ସ୍ଥାପନ କରାଯାଇଅଛି ।କାଳବୈଶାଖୀ ସମୟରେ ସମନ୍ୱୟ ପାଇଁ ବିଭାଗୀୟ ସ୍ତରୀୟ ନିୟନ୍ତ୍ରଣ କକ୍ଷଗୁଡ଼ିକୁ ସକ୍ରିୟ କରାଯାଇଛି । ଯୋଗାଯୋଗର ନିରନ୍ତରତା ସୁନିଶ୍ଚିତ କରିବା ସାଟେଲାଇଟ୍ ଫୋନ୍ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଅଛି ।

 

ସମସ୍ତ ଗ୍ରାହକଙ୍କୁ ବିଦ୍ୟୁତ ସେବା ଯୋଗାଇଦେବାକୁ ନିଶ୍ଚିତ କରାଯାଇ

କୌଣସି ସମୟରେ ବିଦ୍ୟୁତ୍ ଯୋଗାଣରେ ବ୍ୟାଘାତ ଘଟିଲେ ଗ୍ରାହକଙ୍କ ଅଭିଯୋଗ ଲାଗି କମ୍ପାନୀ ପକ୍ଷରୁ ସମ୍ବଲପୁର ସହରଠାରେ ୨୪x୭ ଘଣ୍ଟିଆ କଲ୍ ସେଣ୍ଟରର ସ୍ଥାପନ କରାଯାଇଅଛି । ବିଦ୍ୟୁତ୍ ଯୋଗାଣରେ ବ୍ୟାଘାତ ନେଇ ଜୈନିକ ଗ୍ରାହକ କମ୍ପାନୀର କଲ୍ ସେଣ୍ଟର ନମ୍ବର- ୧୮୦୦୩୪୫୬୭୮୯ କିମ୍ବା ୧୯୧୨ରେ କଲ୍ କରି ଅଭିଯୋଗ ପଞ୍ଜୀକରଣ କରିପାରିବେ ବୋଲି ସୂଚନା ଦିଆଯାଇଛି।ଅତ୍ୟଧିକ କଲ୍ ଭିଡ଼ କ୍ଷେତ୍ରରେ କଲ୍ ବ୍ୟାକ୍ କରାଯିବାର ବ୍ୟବସ୍ଥା କରାଯାଇଅଛି ।ଅନ୍ୟପଟେ ୩୦ ମିନିଟରୁ ଅଧିକ ସମୟ ପାଇଁ ବ୍ରେକଡାଉନ୍ / ଜରୁରୀକାଳୀନ ବିଦ୍ୟୁତ୍ ସେବା ବନ୍ଦ ନେଇ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଏସଏମଏସ ପଠାଯାଉଛି ।

ସେହିପରି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଆଗୁଆ ବିଭ୍ରାଟ ସୂଚନା ପାଇ ପାରିବେ କିମ୍ବା ବିଦ୍ୟୁତ୍ ଯୋଗାଣ ବ୍ୟାଘାତ ନେଇ ଅଭିଯୋଗ ପଞ୍ଜୀକରଣ କରିପାରିବେ । ସେହିପରି ୯୭୭୭୭୭୪୫୧୧ ନମ୍ବରରେ ମିସ୍ କଲ୍ କରି ମଧ୍ୟ ବିଦ୍ୟୁତ୍ ଯୋଗାଣ ବ୍ୟାଘାତ ନେଇ ଅଭିଯୋଗ ପଞ୍ଜୀକରଣ କରିପାରିବେ ।

 

କାଳବୈଶାଖୀ ପ୍ରସ୍ତୁତି କୁ ଆଖିରେ ରଖି ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୂଚନାଯୋଗ୍ୟାଯେ, ବିଗତ ଦୁଇ ବର୍ଷ ମଧ୍ୟରେ କାଳବୈଶାଖୀ ସଂଖ୍ୟା ସମଗ୍ର ୯ ଗୋଟି ଜିଲ୍ଲାରେ ୫୨ରୁ ୨୨୭କୁ ବୃଦ୍ଧି ପାଇଅଛି । ଏହି ଅଘୋଷିତ ପ୍ରାକୃତିକ ବିପର୍ଯ୍ୟୟକୁ ଆଖି ଆଗରେ ରଖି କମ୍ପାନୀ ତରଫରୁ ୬ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସେବାକୁ ପୁନଃସ୍ଥାପିତ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଅଛି । ପ୍ରକାଶଥାଉ କି, କମ୍ପାନୀ ତରଫରୁ ୧୭ ଗୋଟି ମ୍ୟାନ୍ ଲିପ୍ଟର୍ ୬୨ ଗୋଟି ପୋଲ୍ ମାଷ୍ଟର୍ ୬୫ ଗୋଟି ହାଇଡ୍ରା , ୮୭୬ ଗୋଟି ଗଛଡାଳ କାଟିବା ଯନ୍ତ୍ର, ୩୦ ଗୋଟି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପାଣି ପମ୍ପ, ୨ ଭୂତଳ କେବୁଲ ଫଲ୍ଟ ଡିଟେକ୍ଟର ମେସିନ୍, ୫ଟି ଆସ୍କା ଲାଇଟ୍ ମହଜୁଦ୍ ରଖାଯିବା ସହ ୫୧୧ଗୋଟି ଡିଟିଆର୍ , ୧୫ ହଜାର ପୋଲ୍ (ପିଏସସି) , ୨୭୫୭ ଟି ଏବି-ସୁଇଚ୍, ୨୬୦ କି.ମି କଣ୍ଡକ୍ଟର୍, ୩୭୦ କିମି ଏବି କେବୁଲ୍ ଏବଂ ୩୫୫୫ ଟି ଇନ୍ସୁଲେଟର୍ କମ୍ପାନୀର ବିଭିନ୍ନ ସ୍ଥାନରେ ଅବସ୍ଥିତ ୭ ଗୋଟି ଷ୍ଟୋରରେ ବିସ୍ତୃତ ଭାବରେ ଗଚ୍ଛିତ ରଖାଯାଅଛି ।

 

ଏହି ସମ୍ପୂର୍ଣ୍ଣ ଯାନ୍ତ୍ରିକ ପ୍ରସ୍ତୁତି ସହିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର, ଜିଲ୍ଲା କଣ୍ଟ୍ରୋଲ ରୁମ୍, ଅଗ୍ନିଶମ ସେବା ସଂସ୍ଥା, ଜଙ୍ଗଲ ବିଭାଗ, ରାସ୍ତା ଓ କୋଠାବାଡ଼ି ବିଭାଗ, ଜାତୀୟ ରାଜପଥ ବିଭାଗ, ରାଜ୍ୟ ସଡ଼କ ନିର୍ମାଣକାରୀ ସଂସ୍ଥା, ସ୍ୱାସ୍ଥ୍ୟ ବିଭାଗ ସହିତ ସମନ୍ନୟ ରକ୍ଷା କରିବା ନିମନ୍ତେ ଭିନ୍ନ ଭିନ୍ନ ଦଳ ଗଠନ କରାଯାଇଅଛି ।