୪୧ ଲକ୍ଷ ଟଙ୍କାର ଜମାରାଶି ସୁଧରେ ବିଦ୍ୟାର୍ଥୀଙ୍କୁ ପ୍ରତିଭା ପୁରସ୍କାର ପ୍ରଦାନ
ପୁରୀ , ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଘୁନାଥ ମହାପାତ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ବିଶ୍ବମ୍ବର ବିଦ୍ୟାପୀଠ ପ୍ରାଇଜ୍ ମେମୋରିଆଲ ଟ୍ରଷ୍ଟର ପ୍ରତିଭା ପ୍ରୋତ୍ସାହନ ଉତ୍ସବ-୨୦୨୫-୨୦୨୬ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭବମ୍ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାର୍ଥୀମାନଙ୍କର ଶିକ୍ଷାର ବିକାଶ ପାଇଁ ପ୍ରତିଭା ପ୍ରୋତ୍ସାହନ ଉତ୍ସବର ଭୂୟସୀ ପ୍ରଶଂସା କରିଥିଲେ । ବରେଣ୍ୟ ଅତିଥି ଭାବେ ପ୍ରାକ୍ତନ ଡି.ଜି ପୋଲିସ ଡକ୍ଟର ସତ୍ୟଜିତ ମହାନ୍ତି, ରେଡିଏସନ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡ଼ଃ ସୁରେନ୍ଦ୍ରନାଥ ସେନାପତି, ଓଡିଶା ହାଇକୋର୍ଟର ଅତିରିକ୍ତ ରେଜିଷ୍ଟ୍ରର ତ୍ରିଲୋଚନ ଗୁରୁ, ଝାଡଖଣ୍ଡର ପ୍ରାକ୍ତନ ଡାଇରେକ୍ଟର ଜେନେରାଲ ଗୌରୀଶଙ୍କର ରଥ ଯୋଗଦେଇଥିଲେ। ବିଶ୍ବମ୍ବର ବିଦ୍ୟାପୀଠ ପ୍ରାଇଜ୍ ମେମୋରିଆଲ ଟ୍ରଷ୍ଟର ସଂଗୃହିତ ଅର୍ଥରାଶି ୪୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁଧରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ, ଗରିବ ମେଧା ଛାତ୍ରଛାତ୍ରୀ, ସର୍ବଶ୍ରେଷ୍ଠ ବିଦ୍ୟାର୍ଥୀ କନେଶ୍ୱର ବଡମୁଣ୍ଡି (ବିଶ୍ବମ୍ବର ଶ୍ରୀ), ଦିବ୍ୟାଂଶୁ ବାହିନିପତି (ଛାତ୍ରରତ୍ନ), ସ୍ନେହା ସାହୁ( କନ୍ୟରତ୍ନ), ଅର୍ପିତା ପ୍ରିୟଦର୍ଶିନି (ସୁକନ୍ୟା), ଅସ୍ମିଆରାଧ୍ୟା (ବିଜ୍ଞାନଶ୍ରୀ) ଇତ୍ୟାଦି ସ୍ଵତନ୍ତ୍ର ପୁରସ୍କାର ବରେଣ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଅତିଥି ପରିଚୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ କର ପ୍ରଦାନ କରିଥିଲାବେଳେ ଟ୍ରଷ୍ଟର ସମ୍ପାଦକ ତଥା ପ୍ରଧାନ ଶିକ୍ଷକଙ୍କ ତରଫରୁ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ଶିକ୍ଷୟୀତ୍ରି ରଶ୍ମିତା ଦାଶଙ୍କ ନେତୃତ୍ୱରେ ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ପଲ୍ଲବି ସତରୂପାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମସ୍ତ ସଭ୍ୟ ସଭ୍ୟା ବିଦ୍ୟାଳୟରେ ଯୋଗ ଦେଇଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ୍ ପ୍ରଦାନ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
