September 27, 2026

କୋଟିପତି ରେମୁଣା ତହସିଲଦାର ଗିରଫ 

IMG-20250214-WA0057
Share

 

 

ବାଲେଶ୍ୱର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗିରଫ ହେଲେ ରେମୁଣାର କୋଟିପତି ତହସିଲଦାର ବିଦ୍ୟାଧର ପତି।ଏହି କୋଟିପତି କୁବେର ତହସିଲଦାର ପତିଙ୍କ ନାମରେ ଥିବା ଭୁବନେଶ୍ୱର ଓ ବାଲେଶ୍ୱରରେ ଆନୁମାନିକ ଅଢେ଼ଇ କୋଟି ଟଙ୍କା ମୁଲ୍ୟର ୩ଟି ମୂଲ୍ୟବାନ ଫ୍ଲାଟ,୨ଟି ମୂଲ୍ୟବାନ ପ୍ଲଟ ଓ ୯୩୭ଗ୍ରାମର ସୁନା ଗହଣା ସହିତ ୧କୋଟି୧୨ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ଥିବାର ଠାବ କରିଛି ଭିଜିଲାନ୍ସ ପୁଲିସ।ଏହି ସମସ୍ତ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତହସିଲଦାର ପତିଙ୍କ ନାମରେ ଭିଜିଲାନ୍ସ ପୁଲିସ ମାମଲା ରୁଜୁକରି ଗୁରୁବାର ଦିନ ଗିରଫ ପୂର୍ବକ କୋର୍ଟ ଚାଲାଣ କରିଛନ୍ତି। ଗତ ମଙ୍ଗଳବାର ଦିନ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି,ଭୁବନେଶ୍ୱରଙ୍କ ନିର୍ଦ୍ଦେଶ ମୂଳେ ରେମୁଣା ତହସିଲଦାର ପତିଙ୍କ ସୋର ସ୍ଥିତ ପୈତୃକ ବାସଭବନ ସମେତ ବାଲେଶ୍ୱର ଓ ଭୁବନେଶ୍ୱରର ଭିନ୍ନଭିନ୍ନ ସାତଟି ସ୍ଥାନରେ କଟକ ଭିଜିଲାନ୍ସ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଥିଲା।ଏହି ଚଢାଉରେ ଭିଜିଲାନ୍ସ ପୁଲିସ ଜାଣିବାକୁ ପାଇଥିଲେ, ଭୁବନେଶ୍ୱର ରୁଦ୍ରପୁର ସ୍ଥିତ ଆସୋଟେକ ପ୍ରାଇଡ଼ରେ ଦେଢ଼ କୋଟି ଟଙ୍କାର ଏକ ଫ୍ଲାଟ, ଶୈଳଶ୍ରୀ ବିହାର ତମାରିନ୍ଦ ଟେରାସେସ ଆପାର୍ଟମେଂଟରେ କୋଟିଏ ଟଙ୍କାର ଗୋଟିଏ ଫ୍ଲାଟ ଓ ବାଲେଶ୍ୱର କୁରୁଡ଼ା ଠାରେ ଥିବା ସୁପ୍ରତିକ ଲାଇଫ ଷ୍ଟାଇଲ ଗୋଟିଏ ଫ୍ଲାଟ ରହିଛି।ସେହିଭଳି ଭୁବନେଶ୍ୱର ବାଲିଅନ୍ତାରେ ୨ହଜାର ବର୍ଗ ଫୁଟର ଗୋଟିଏ ପ୍ଲଟ ଓ ବାଲେଶ୍ୱର ସମଲପୁର ଠାରେ ଗୋଟିଏ ପ୍ଲଟ ତହସିଲଦାର ପତିଙ୍କର ରହିଛି।ଏହାବାଦ ତହସିଲଦାର ପତି ୯୧୭ ଗ୍ରାମର ସୁନାଗହଣା ରଖିଥିଲାବେଳେ ବ୍ୟାଙ୍କରେ ୧କୋଟି ୧୨ଲକ୍ଷ ଜମା ରଖି ଥିବାର ଭିଜିଲାନ୍ସ ଠାବ କରିଛି।ଏହା ସହିତ ଶ୍ରୀ ପତିଙ୍କ ଘରେ ୨ଟି ଦୁଇ ଚକିଆ ବାଇକ ଏବଂ ଗୋଟିଏ ଚାରି ଚକିଆ ହୁଣ୍ଡାଇ ଆଇ-୨୦କାର ଭିଜିଲାନ୍ସ ପୁଲିସଙ୍କ ଠାରୁ ଜାଣିବାକୁ ମିଳିଛି।ତେବେ ଏହି କୁବେର ତହସିଲଦାର ବିଦ୍ୟାଧର ପତି ପୂର୍ବରୁ ରେମୁଣାରେ ଅତିରିକ୍ତ ତହସିଲଦାର ପଦବୀରେ ନିଯୁକ୍ତି ପାଇ କାର୍ଯ୍ୟ କରିଥିଲେ।ଗତ କିଛି ବର୍ଷ ତଳେ ସେ ବାଲେଶ୍ୱରରୁ ନିଆଳିକୁ ତହସିଲଦାର ପଦବିକୁ ପଦୋନ୍ନତି ପାଇ ଯାଇଥିଲେ।ନିଆଳିରେ ତହସିଲଦାର ପଦବୀରେ କାର୍ଯ୍ୟ କରିବା ଭିତରେ ସେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ହେଇଥିଲା।ଗତ ସପ୍ତାହରେ ସେ ରେମୁଣାରେ ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।