ଶିକ୍ଷୟତ୍ରୀଙ୍କ ବଦଳିକୁ ନେଇ ମହିଳା ଗୋଷ୍ଠୀର ରାସ୍ତାରୋକ
ବୁଗୁଡ଼ା : ତା ୧୨/୦୯/୨୩ : ରାଜ୍ଯର ବିଭିନ୍ନ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରି ରାଜରାସ୍ତାରେ ଥିବାବେଳ ଏଠି ଶିକ୍ଷୟିତ୍ରୀଙ୍କ ଅନ୍ୟ ବିଦ୍ୟାଳୟକୁ ବଦଳିକୁ ବିରୋଧ କରି ଗ୍ରାମର ମହିଳା ଗୋଷ୍ଠୀ ରାସ୍ତାରୋକ କରିଥିବା ଜଣାଯାଇଛି । ଏହିଭଳି ଘଟଣା ବୁଗୁଡ଼ା ବ୍ଲକ ବରଡ଼ିପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ଏହି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ ଆଗରେ ସ୍କୁଲ ଭିତରେ ପ୍ରଧାନ ଶିକ୍ଷୟତ୍ରୀ ଜଣେ ସହକାରୀ ଶିକ୍ଷୟତ୍ରୀଙ୍କୁ ମାଡମାରିବା ଘଟଣାକୁ ନେଇ ଗ୍ରାମର ମହିଳା ଗୋଷ୍ଠୀ ଅଭିଯୋଗ ଆଣିଥିଲେ । ଏଥି ସହ ସ୍କୁଲର ମଧ୍ଯାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ । ଘଟଣା ସ୍ତଳରେ ବୁଗୁଡା ବ୍ଳକ ଶିକ୍ଷା ଅଧିକାରୀ ପହଞ୍ଚି ଶିକ୍ଷୟତ୍ରୀଙ୍କୁ ବୁଝାଶୁଝା କରିବା ସହିତ ଗାଁର ମହିଳାମାନଙ୍କୁ ବୁଝାଇ ଏହାର ତୁରନ୍ତ କାର୍ଯ୍ଯାନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଥିଲେ । ତେବେ ଆଜି ପ୍ରଧାନ ଶିକ୍ଷୟିତ୍ରୀ ଛୁଟିରେ ରହିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀଙ୍କ ଅନ୍ୟତ୍ର ବଦଳି କରାଯାଇଥିବାର ସୂଚନା ପାଇଥିଲେ । ଏହାକୁ ବିରୋଧ କରି ମହିଳାମାନେ କରସିଙ୍ଗି- ବୁଗୁଡ଼ା ରାସ୍ତାକୁ ଅବରୋଧ କରିଥିଲେ ।ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଯାନବାହାନ ଅଟକି ରହିଥିଲା । ଖବର ପାଇ ବୁଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୁ ମହିଳାମାନଙ୍କୁ ଉଠାଇବା ସହ ଅଟକି ରହିଥିବା ଯାନବାହାନ ଗୁଡିକୁ ଛାଡିବା ପରେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ତହସିଲଦାର ପହଞ୍ଚି ମହିଳାମାନଙ୍କ ସହିତ ଆଲୋଚନାକରି ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ସୁଧାର ଆଣିବାପାଇଁ ଆସନ୍ତାକାଲି ଠାରୁ ଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନରେ ପଠାଇବେ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି ।