ରଥଯାତ୍ରା ପୂର୍ବରୁ ମାତିଲେଣି ସାଇବର ଠକ, ହୋଟେଲ ବୁକିଂ ନାଁରେ ବିଛାଇଛନ୍ତି ଜାଲ
ରଥଯାତ୍ରା ପାଇଁ ପୁରୀ ଆସୁଥିବା ହଜାର ହଜାର ପର୍ଯ୍ୟଟକ ଅନଲାଇନରେ ହୋଟେଲ ବୁକ୍ କରୁଛନ୍ତି । ଆଉ ଏହାର ଫାଇଦା ନେଉଛନ୍ତି ସାଇବର ଠକ । ନକଲି ୱେବ୍ସାଇଟ୍, ନକଲି ଗୁଗଲ୍ ବିଜନେସ୍ ପ୍ରୋଫାଇଲ୍, ଫେକ୍ ସୋସିଆଲ ମିଡିଆ ପେଜ୍ ଆଉ ନକଲି ୟୁପିଆଇ କ୍ୟୁଆର୍ କୋଡ୍ ମାଧ୍ୟମରେ ଲୁଟୁଛନ୍ତି ଟଙ୍କା ।
ପବିତ୍ର ରଥଯାତ୍ରା ପାଇଁ ଏବେ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇଉଠିଛି । ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ଆରମ୍ଭ ହୋଇଗଲାଣି । ତେବେ ଭକ୍ତଙ୍କ ଏହି ଗହଳିର ସୁଯୋଗ ନେବାକୁ ଏବେ ସାଇବର ଠକମାନେ ବେଶ୍ ସକ୍ରିୟ ହୋଇପଡ଼ିଛନ୍ତି । ପୁରୀ ଆସୁଥିବା ପର୍ଯ୍ୟଟକମାନେ ଅନ୍ଲାଇନ୍ରେ ହୋଟେଲ୍ ବୁକିଂ କରୁଥିବାର ଫାଇଦା ଉଠାଇ ଏହି ଅପରାଧୀମାନେ ନକଲି ୱେବ୍ସାଇଟ୍, ଫେକ୍ ଗୁଗଲ୍ ବିଜନେସ୍ ପ୍ରୋଫାଇଲ୍, ନକଲି ସୋସିଆଲ୍ ମିଡିଆ ପେଜ୍ ଏବଂ ଫେକ୍ ୟୁପିଆଇ କ୍ୟୁଆର୍ (QR) କୋଡ୍ ମାଧ୍ୟମରେ ଲୋକଙ୍କୁ ଠକୁଛନ୍ତି । ହୋଟେଲ୍ ବୁକିଂ ନାଁରେ ଅନେକ ଶ୍ରଦ୍ଧାଳୁ ଏହି ସାଇବର ଜାଲରେ ଫସି ନିଜର କଷ୍ଟର୍ଜିତ ଧନ ହରାଉଛନ୍ତି ।
ଏହି ଠକେଇକୁ ରୋକିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚ ଏବଂ ପୁରୀ ପୁଲିସ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ ୨୩୮ଟି ନକଲି ୱେବ୍ସାଇଟ୍ ଓ ୱେବ୍ପେଜ୍କୁ ବ୍ଲକ୍ କରାଯାଇଛି । କେବଳ ଜୁନ୍ ମାସରେ ୫୦ଟି ଫେକ୍ ୱେବ୍ସାଇଟ୍ ଏବଂ ୨୬ଟି ୱେବ୍ପେଜ୍ ବ୍ଲକ୍ କରାଯାଇଛି । ଏହାବ୍ୟତୀତ ପୂଜାପାଠ ଆଳରେ ତୁଳସୀ ଚଢ଼ା, ସୁଦର୍ଶନ ହୋମ ଓ ଭକ୍ତଙ୍କୁ ଖାଦ୍ୟ ଦାନ ନାଁରେ ଫେସ୍ବୁକ୍ରେ ଟଙ୍କା ମାଗୁଥିବା ୪ଟି ନକଲି ୱେବ୍ସାଇଟ୍କୁ ମଧ୍ୟ ଡାଉନ୍ କରାଯାଇଛି । ଠକେଇରୁ ବର୍ତ୍ତିବା ପାଇଁ ପୁରୀ ପୁଲିସ ସହରର ୭୭ଟି ହୋଟେଲ୍ର ପ୍ରକୃତ ଗୁଗଲ୍ ଲିଙ୍କ୍, ୱେବ୍ସାଇଟ୍, ଇ-ମେଲ୍ ଓ ଯୋଗାଯୋଗ ନମ୍ବର ସାର୍ବଜନୀନ କରିଛି ।
ଭକ୍ତମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୁରୀ ଟାଉନ ଥାନା ସମ୍ମୁଖରୁ ‘ସାଇବର ସାଥୀ’ ନାମକ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ ଏବଂ ପୁରୀ ଏସ୍ପି ପ୍ରତୀକ ସିଂହ ଏହି ରଥକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି । ଏହି ସଚେତନତା ରଥ ପୁରୀ ସହରର ବିଭିନ୍ନ ସ୍ଥାନ ବୁଲି ସାଇବର ଠକେଇର ନୂଆ ନୂଆ ତରିକା ବିଷୟରେ ଲୋକଙ୍କୁ ଅବଗତ କରାଇବ । ଅନ୍ଲାଇନ୍ ଠକେଇର ଶିକାର ହେଲେ ସଙ୍ଗେ ସଙ୍ଗେ ଜାତୀୟ ହେଲ୍ପଲାଇନ୍ ନମ୍ବର ୧୯୩୦ରେ କଲ୍ କରି ଅଭିଯୋଗ ଜଣାଇବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ତେଣୁ ଯଦି ଆପଣ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିବାକୁ ଯୋଜନା କରୁଛନ୍ତି, ତେବେ ହୋଟେଲ ବୁକିଂ କରିବା ସମୟରେ ଅଧିକ ସତର୍କ ରହନ୍ତୁ । ଯେକୌଣସି ଅନ୍ଲାଇନ୍ ପେମେଣ୍ଟ କରିବା ପୂର୍ବରୁ ହୋଟେଲ୍ର ୱେବ୍ସାଇଟ୍ ଏବଂ ନମ୍ବରକୁ ଦୁଇ ଥର ଭଲଭାବେ ଯାଞ୍ଚ କରନ୍ତୁ । କୌଣସି ପ୍ରକାର ସନ୍ଦେହ ହେଲେ ବା ଠକାମିର ଶିକାର ହେଲେ ତୁରନ୍ତ ସାଇବର ପୁଲିସର ସହାୟତା ନିଅନ୍ତୁ । ଆପଣଙ୍କ ଟିକିଏ ସଚେତନତା ହିଁ ଆପଣଙ୍କୁ ବଡ଼ ଧରଣର କ୍ଷତିରୁ ରକ୍ଷା କରିପାରିବ ।
