July 3, 2024

ନୂତନ ମନ୍ତ୍ରୀମଣ୍ଡଳ ନେତୃତ୍ୱ,ଦକ୍ଷତା ଓ ସକ୍ଷମର ମାପକାଠି

Share

ଓଡିଶାରେ ରାଜ୍ୟରେ ପ୍ରଥମ ଥର ପାଇଁ ଗଠନ ହୋଇଛି ବିଜେପି ସରକାର।ଦକ୍ଷ ସଂଗଠକ ଆଦିବାସୀ ନେତା ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆ ମନ୍ତ୍ରୀମଣ୍ଡଳରେ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ ଜଣିଆ ମନ୍ତ୍ରୀମଣ୍ଡଳ ଗଠନ ହୋଇଛି।ଏଥି୍ରେ ୧୩ ଜଣ କ୍ୟାବିନେଟ ପାହ୍ୟା ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ୱାଧିନ ଭାବେ ବିଜେପି ସରକାରରେ ସାମିଲ ହୋଇଛନ୍ତି। ରାଜ୍ୟରେ ଏହା ପ୍ରଥମ କମ୍ ସଂଖ୍ୟାରେ ଗଠିତ ମନ୍ତ୍ରୀମଣ୍ଡଳ।ପୁନଶ୍ଚ ଏହି ନୂତନ ମନ୍ତ୍ରୀମଣ୍ଡଳରେ ଅଧିକାଂଶ ପ୍ରଥମଥର ପାଇଁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିବା ବେଳେ କେତେକ ପୁରୁଣା ଖେଲୁଆଡ୍। ସମସ୍ତଙ୍କ ଭିତରେ ରହିଛି ସୁଶାନର ଅଦମ୍ୟ ଇଚ୍ଛାଶକ୍ତି।ରାଜନୀତିରେ କେତେଜଣ ନୂଆ ହୋଇଥିଲେ ବି ସଂଗଠନ ଓ ରାଜନୈତିକ ଅଭିଜ୍ଞତା ସଂପନ୍ନ।ତୃଣମୂଳ ସ୍ତରରୁ ନିଜର ପରାକାଷ୍ଠା ପ୍ରଦର୍ଶନ କରି ସେମାନେ ରାଜନୀତିର ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଦକ୍ଷ ଓ ସକ୍ଷମ।ଆସନ୍ତୁ ଜାଣିବା ଏହି ନୂତନ ମନ୍ତ୍ରୀମଣ୍ଡଳର ନେତାଙ୍କ ସଂପର୍କରେ…

ମୋହନ ଚରଣ ମାଝୀ-ମୁଖ୍ୟମନ୍ତ୍ରୀ:
ବିଜେପିର ଆଦିବାସୀ ନେତା ଭାବେ ଉଭା ହୋଇଥିବା କେଉଁଝର ସଦର ବିଧାୟକ ହେଉଛନ୍ତି ମୋହନ ଚରଣ ମାଝୀ।ବହୁ ଉତ୍ଥାନ ଓ ପତନ ଦେଇ ଗତି କରିଥିବା ମୁଖ୍ୟମନ୍ତ୍ରୀ ଉଚ୍ଚ ଶିକ୍ଷିତ ଓ ଜଣେ ଆଇନଜୀବି ହୋଇବି ଝୁମ୍ପୁରା ଶିଶୁମନ୍ଦିର ରୁ ନିଜର କର୍ମମୟ ଜୀବନ ଆରମ୍ଭ କରି ୧୯୯୭ରେ ସରପଞ୍ଚ୍ ଓ ପରେ ପରେ ଅର୍ଥାତ୍ ୨୦୦୦ ମସିହାରେ ବିଜେପି ବିଜେଡି ମେଣ୍ଟରୁ ବିଜେପିର ବିଧାୟକ ହୋଇ ୪ ଥର ବିଧାୟକ ହେବାର ସୌଭାଗ୍ୟ ଲାଭ କରି ବିଭିନ୍ନ ପଦ ପଦବୀରେ ରହି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି।ଏହି ଦକ୍ଷତା ହିଁ ତାଙ୍କୁ ସକ୍ଷମ କରି ମୁଖ୍ୟମନ୍ତ୍ରୀ ଆସନରେ ଆସିନ କରି ବିଜେପି ନୂଆ ଇନିଂସ ଆରମ୍ଭ କରିଛି।

କନକବର୍ଦ୍ଧନ ସିଂହଦେଓ-ଉପମୁଖ୍ୟମନ୍ତ୍ରୀ: ରାଜ୍ୟର ଭୁତପୁର୍ବ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି ହେଉଛନ୍ତି କନକବର୍ଦ୍ଧନ।ସେ ପାଟଣା ରାଜପରିବାର।ବାପା ଆରଆର ସିଂହଦେଓଙ୍କ ଦେହାନ୍ତ ପରେ ୨୦୨୪ ରେ ପାଟଣା ମହାରାଜ ଭାବେ ଅଭିଷିକ୍ତ ହୋଇଥିଲେ।ଅବଶ୍ୟ ୧୯୯୫ ମସିହାରୁ ସେ ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରି କ୍ରମାଗତ ୫ ଥର ବିଜୟୀ ହୋଇ ନିଜର ରାଜନୈତିକ ପରିଚୟ ସୃଷ୍ଟି କରିଛନ୍ତି।ବିଜେପି ବିଜେଡି ମେଣ୍ଟରେ ଗୁରୁତ୍ୱପୁର୍ଣ୍ଣ ମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି।ନିଜ ସ୍ତ୍ରୀ ସଙ୍ଗୀତା ସିଂହଦେଓ ମଧ୍ୟ ରାଜନୀତିରେ ବେଶ ସଫଳତା ହାସଲ କରିଛନ୍ତି।୨୦୧୯ରେ କନକବର୍ଦ୍ଧନ ହାରିଥିଲେ ବି ୨୦୨୪ ରେ ପଞ୍ଚମ ଥର ପାଇଁ ପାଟଣାଗଡ ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆଜି ଉପମୁଖ୍ୟମନ୍ତ୍ରୀ ଭଳି ଆସନରେ ବସିଛନ୍ତି।

ପ୍ରଭାତୀ ପରିଡା-ଉପମୁଖ୍ୟମନ୍ତ୍ରୀ: ନିମାପଡାରୁ ସେ ପ୍ରଥମ ଥର ପାଇଁ ବିଧାୟିକା ଭାବେ ନିର୍ବାଚନ ଜିତି ଓଡିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିଛନ୍ତି।ସେ ଜଣେ ଭଲ କ୍ରୀଡାବିତ୍।ଛାତ୍ର ଜୀବନରୁ ସେ ରାଜନୀତିକୁ ଆସି ଆଜି ମର୍ଯ୍ୟାଦା ଜନକ ପଦବୀରେ ଆସିନ ହେବା କମ୍ ବ୍ୟକ୍ତିତ୍ୱଙ୍କ ଭାଗ୍ୟରେ ଥାଏ।ପ୍ରଭାତୀ ସେମିତି ଜଣେ ଭାଗ୍ୟଶାଳୀ ମହିଳା।ଦୀର୍ଘ ବର୍ଷ ଧରି ରାଜନୀତିରେ ଥିଲେବି ସମାଜସେବା ଥିଲା ତାଙ୍କର ବଡ ଋଚି।ନିଜ ଅଞ୍ଚଳରେ ସୁଖ ଦୁଃଖର ସେ ଥିଲେ ସାଥି। ଏବେ ସେ ପାଲଟିଗଲେ ସାରା ଓଡିଶାର ସଶକ୍ତ ମହିଳା ନେତ୍ରୀ।

ସୁ୍ରେଶ ପୂଜାରୀ-କ୍ୟାବିନେଟ ମନ୍ତ୍ରୀ: ପଶ୍ଚିମ ଓଡିଶାର ରଶ୍ମୀ ଭାବେ ସୁରେଶ ପୂଜାରୀଙ୍କ ଏକ ଭିନ୍ନ ପରିଚୟ ରହିଛି।ସେ ଖୁବ୍ ଉଚ୍ଚ ଶିକ୍ଷିତ।ପଦାର୍ଥ ବିଜ୍ଞାନରେ ଏସଏମସି,ଏଲଏଲବି,ଶ୍ରମ ଆଇନରେ ପିଜି ଡିପ୍ଲୋମା ଭଳି ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି।ଗଙ୍ଗାଧର ମେହେର ମହାବିଦ୍ୟଳୟର ଛାତ୍ର ରାଜନୀତିରୁ ତାଙ୍କ ରାଜନୈତିକ ଜୀବନ ସୁଦୀର୍ଘ।ପିଲାଟି ଦିନରୁ ସଂଘ ପରିବାର ଆଦର୍ଶରେ ଅନୁପ୍ରାଣିତ ୧୯୯୨ ମସିହାରେ ସମ୍ବଲପୁର ପୌରପରିଷଦର ପ୍ରତ୍ୟକ୍ଷ ନିର୍ବାଚିତ ଅଧ୍ୟକ୍ଷରୁ ଆଜି କ୍ୟାବିନେଟ୍ ମନ୍ତ୍ରୀ।ୟା ପୁର୍ବରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ସଦସ୍ୟ,ରାଜ୍ୟ ସର୍ବନିମ୍ନ ପାରିଶ୍ରମିକ ବୋର୍ଡ ସଦସ୍ୟ,ଓଡିଶା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ,ତ୍ରିପୁରା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଭଳି ବହୁ ରାଜ୍ୟର ପ୍ରଭାରୀ,ଜାତୀୟ ତାଲିମ୍ ସେଲ ସଦସ୍ୟ,ଓଡିଶା ରାଜ୍ୟ ବିଜେପିର ଉପ ସଭାପତି ଓ ସଭାପତି ରହିବା ସହିତ ବରଗଡ ଲୋକସଭାର ସଦ୍ୟ ସମାପ୍ତ ସାଂସଦ ଥିଲେ।ପୁର୍ବରୁ ୩ ଥର ବ୍ରଜରାଜନଗର ରୁ ଲଢି ପରାଜୟ ହୋଇ ଚଳିତ ନିର୍ବାଚନରେ ୨୬ ହଜାର ରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରି ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ରେଶରେ ବି ସେ ରହିଥିଲେ।ସେ ଜଣେ ବରିଷ୍ଠ ଆଇନଜ୍ଞ ଓ ଦକ୍ଷ ରାଜନୈତିଜ୍ଞ।ପଶ୍ଚିମ ଓଡିଶାର ଏହି ରଶ୍ମୀ ପରି ଉଜ୍ଜଳ ତାରକାଙ୍କ କ୍ଷାତି ସମଗ୍ର ଭାରତ ବର୍ଷରେ ରହିଛି।

ରବିନାରାୟଣ ନାଏକ-କ୍ୟାବିନେଟ୍ ମନ୍ତ୍ରୀ: ଜଣେ ଫୁଟବଲ ଖେଳାଳି ଭାବେ ପରିଚିତ ରବିନାରାୟଣ ନାଏକ ବର୍ତ୍ତମାନ କୁଚିଣ୍ଡା ପାଇଁ ଗର୍ବ ଓ ଗାରିମା ଆଣିବାରେ ସିଦ୍ଧହସ୍ତ ହୋଇଗଲେ।ବିଧାନସଭା ଗଠନ ଠାରୁ ମନ୍ତ୍ରୀ ପଦ ପାଇନଥିବା କୁଚିଣ୍ଡା ପ୍ରଥମଥର ପାଇଁ ଜଣେ କ୍ୟାବିନେଟ୍ ମନ୍ତ୍ରୀ ପାଇଛି।ରବିନାରାୟଣ ୨୦୦୦ ମସିହାରେ ବିଜେପି ବିଜେଡି ମେଣ୍ଟ ସରକାରରେ ପ୍ରଥମ ଥର ପାଇଁ କ୍ରମାଗତ ଭାବେ ୨ ଥର ବିଧାୟକ ହୋଇଥିଲେ। ୨୦୧୪କୁ ମିଶାଇ ଚଳିତ ନିର୍ବାଚନରେ ରବିନାରାୟଣ ୪ର୍ଥ ଥର ପାଇଁ ବିଧାୟକ ହୋଇ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ହାସଲ କରିଛନ୍ତି।ସେ ଜଣେ ଭଲ ସଂଗଠକ ଓ ଜଣେ ଆମାୟିକ ବ୍ୟକ୍ତି ଭାବେ ତାଙ୍କର ପରିଚୟ ରହିଛି।

ନିତ୍ୟାନନ୍ଦ ଗଣ୍ଡ-କ୍ୟାବିନେଟ୍ ମନ୍ତ୍ରୀ: ଉମରକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) କାଉନସିଲରୁ ନିତ୍ୟାନନ୍ଦ ଆଜି କ୍ୟାବିନେଟ ମନ୍ତ୍ରୀ।୨୦୧୪ ରେ ପରାଜିତ ନିତ୍ୟାନନ୍ଦ କିନ୍ତୁ ପରବର୍ତ୍ତୀ ୨ଟି ବିଧାନସଭାରେ ବିଜୟ ହାସଲ କରିଥିଲେ।ସେବି ଜଣେ ଆଇନଜ୍ଞ।ଜଣେ ଆଦିବାସୀ ନେତା ଭାବେ ତାଙ୍କର କ୍ଷାତି ରହିଛି।ଆଦିବାସୀ ରାଜ୍ୟ ମୋର୍ଚାର ସଭାପତି ଦାୟତ୍ୱ ମଧ୍ୟ ସେ ନିର୍ବାହ କରି ରାଜନୈତିକ ଶକ୍ତି ପ୍ରଦର୍ଶନର ଅନ୍ୟତମ ବାର୍ତ୍ତାବହ ସାଜିବାରେ ଓସ୍ତାଦ ଥିଲେ।

କୃଷ୍ଣଚନ୍ଦ୍ର ପାତ୍ର-କ୍ୟାବିନେଟ୍ ମନ୍ତ୍ରୀ: ସଂଘ ପରିବାରର ଜଣେ କାର୍ଯ୍ୟକର୍ତ୍ତା ଭାବେ କୃଷ୍ଣଚନ୍ଦ୍ର ଖୁବ ପରିଚିତ।ଢେଙ୍କାନାଳ ଜିଲ୍ଲା ବୋଜେପି ର କୋଷାଧ୍ଯକ୍ଷ ଓ ଜିଲ୍ଲା ସଭାପତି ଏପରିକି ରାଜ୍ୟ ଓବିସି ସେଲ ସଭାପତି ଭାବେ ତାଙ୍କର ସାଂଗଠନିକ ଦକ୍ଷତା ରହିଛି।ଏମଏସି ପରେ ବିଭିନ୍ନ ଘରୋଇ ସ୍କୁଲରେ କିଛି ଦିନ ପାଇଁ ସେ ଅଧ୍ୟାପକ ଥିଲେ।ପ୍ରଥମଥର ପାଇଁ ୨୦୦୦ ମସିହାରେ ମେଣ୍ଟ ସରକାର ସମୟରେ ସେ ଗଁଦିଆ ଆସନରୁ ନିର୍ବାଚିତ ହୋଇଥିଲେ ବି ପରବର୍ତ୍ତୀ ସମୟରେ ଅସଫଳ ହୋଇ ଚଳିତ ବର୍ଷ ପୁଣି ବିଧାୟକ ହୋଇ କ୍ୟାବିନେଟ୍ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି।୧୯୯୦ ମସିହା ବାବ୍ରି ମସଜିଦ ଭଙ୍ଗା ଘଟଣାରେ ସେ ଜେଲ ଯାଇଥିଲେ।

ପୃଥିରାଜ ହରିଚନ୍ଦନ-କ୍ୟାବିନେଟ୍ ମନ୍ତ୍ରୀ: ଚିଲିକାର ବିଧାୟକ ହେଉଛନ୍ତି ପୃଥିରାଜ ହରିଚନ୍ଦନ।ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ମଧ୍ୟ ରାଜନୈତିକ ଦକ୍ଷତା ଯୋଗୁଁ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ଆସିନ ହୋଇଛନ୍ତି।ତାଙ୍କ ବାପା ବିଶ୍ୱଭୂଷଣ ହରିଚନ୍ଦନ ଓଡିଶା ସରକାର ରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିବା ବେଳେ ବର୍ତ୍ତମାନ ଛତିଶଗଡ ରାଜ୍ୟର ରାଜ୍ୟପାଳ ଅଛନ୍ତି।ପୃଥିରାଜ ବହୁବାର ନିର୍ବାଚନ ଲଢି ହାରିଥିଲେ ମଧ୍ୟ କୋଚିନ୍ ସିଫ୍ ୟାଡର ଅଧ୍ୟକ୍ଷ ଭାବେ କେନ୍ଦ୍ର ସରକାର ତାଙ୍କୁ ନିଯୁକ୍ତି ଦେଇଥିଲେ।

ଡା.ମୁକେଶ ମହାଲିଙ୍ଗ-କ୍ୟାବିନେଟ୍ ମନ୍ତ୍ରୀ: ଡା.ମୁକେଶ ହେଉଛନ୍ତି ଲୋଇସିଂହା ବିଧାନସଭାର ଦ୍ୱୀତିୟବାର ବିଧାୟକ।ପୁର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର ଆଞ୍ଚଳିକ ଅଧିକାରୀ ଭାବେ ସରକାରୀ ଚାକିରୀ କରୁଥିଲେ। ପରେ ସେ ସ୍ୱେଚ୍ଛାକୃତ ଅବସର ନେଇ ୨୦୧୯ରେ ବିଜେପିରେ ଯୋଗଦେଇ ସେହିବର୍ଷ ହିଁ ବିଧାୟକ ହୋଇଥିଲେ।ରୋଗୀ ସେବା କ୍ଷେତ୍ରରେ ତାଙ୍କର ସାମାଜିକ ସ୍ୱାସ୍ଥ୍ୟ ସେବା ତାଙ୍କୁ ଲୋକଙ୍କ ନିକଟତର କରିଥିଲା।

ବିଭୂତି ଭୂଷଣ ଜେନା-କ୍ୟାବିନେଟ ମନ୍ତ୍ରୀ: ଜଣେ ଟାଣୁଆ ସଂଗ୍ରାମୀ ନେତା ଭାବେ ବିଭୂତିଙ୍କ ପରିଚୟ ରହିଛି।ସଂଘ ପରିବାର ରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିବା ସହିତ ମଦ ବିରୋଧି ଆନ୍ଦୋଳନ ରୁ ନୂଆ ପରିଚୟ ତୋଲିଥିଲେ।ସରପଞ୍ଚ୍,ଜିଲ୍ଲାପରିଷଦ ସଦସ୍ୟ ଭଳି ତୃଣମୂଳ ରାଜନୀତିରୁ ଆସିଥିବା ବିଭୂତି ଗଞ୍ଜାମ ଜିଲ୍ଲା ବିଜେପିର ସଂପାଦକ, ସଭାପତି ଭଳି ବହୁ ଗୁରୁ ଦାୟିତ୍ୱ ନିର୍ବାହ କରିବା ପରେ ପ୍ରଥମଥର ବିଧାୟକରୁ ହିଁ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି।୧୯୯୬ ମସିହାରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଆନ୍ଦୋଳନରେ ସାମିଲ ହୋଇ ଜେଲ ଯାଇଥିଲେ।

ଡା.କୃଷ୍ଣଚନ୍ଦ୍ର ପାତ୍ର-କ୍ୟାବିନେଟ ମନ୍ତ୍ରୀ: ପ୍ରଥମ ଥର ମୋରଡାରୁ ନିର୍ବାଚିତ ହୋଇ ଡା.କୃଷ୍ଣଚନ୍ଦ୍ର ହୋଇଛନ୍ତି କ୍ୟାବିନେଟ ମନ୍ତ୍ରୀ।ବୃତ୍ତିରେ ସେ ଜଣେ ଆୟୁର୍ବେଦ ଚିକିତ୍ସକ। ବାରିପଦା ଆୟୁର୍ବେଦ ମହାବିଦ୍ୟାଳୟରୁ ବିେମଏସ ପାଶ କରିବା ସହିତ ଆଇନ ଶିକ୍ଷାରେ ମଧ୍ୟ ସ୍ନାତକୋତ୍ତର କରିଛନ୍ତି।ଛାତ୍ର ଜୀବନରୁ ସେ ଏବିଭିପି ଓ ବିଏଚବି ସହିତ ଜଡିତ ଥିଲେ।୧୯୯୫ ମସିହାରେ ବିଜେପି ସହିତ ଯୋଡି ହୋଇ ଜିଲ୍ଲାର ସାଧାରଣ ସଂପାଦକ,ଜିଲ୍ଲା ସଭାପତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଳି ବିଭିନ୍ନ ଦାୟିତ୍ୱରେ ରହିଥିଲେ ।ଜଣେ ଆୟୁର୍ବେଦ ଚିକିତ୍ସକରୁ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ଏହି ମନ୍ତ୍ରୀଙ୍କ ଉପରେ ବର୍ତ୍ତମାନ ଠୁ ହିଁ ଆୟୁଷ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଠାରୁ ସକରାତ୍ମକ ସହଯୋଗ ପାଇବାକୁ ଆୟୁଷ ଡାକ୍ତର ମାନେ ବିଶ୍ୱାସ ରଖିଲେଣି।

ଇଂ.ଗଣେଷ ରାମସିଂ ଖୁଣ୍ଟିଆ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ): ଆଦିବାସୀଙ୍କ ଜୀବନ ଶୈଳିର ସୁରକ୍ଷା ସହିତ ସେମାନଙ୍କ ସାମାଜିକ, ସାଂସ୍କୃତିକ ବିଭବକୁ କାଳଜୟୀ ରଖିବା ସହ ହୋ’ଭାଷାକୁ ଓଡିଶାରେ ଦ୍ୱୀତିୟ ଭାଷାର ପରିଚୟ ଦେବାକୁ ବାରମ୍ବାର ବିଧାନସଭାରେ ସ୍ୱରକୁ ଶାଣିତ କରିବା ନେତାଙ୍କ ଭିତରେ ଇଂ.ଗଣେଶ ରାମସିଂ ଖୁଣ୍ଟିଆ ଜଣେ ଅପ୍ରତିଦ୍ବନ୍ଦୀ ନେତା। ଯଶିପୁର ଆସନରୁ ବିଜେଡିର ଚକ୍ରଧର ହେମ୍ରମ୍ ଙ୍କୁ ସାଢେ ୩୪ ହଜାର ଭୋଟ ଉପରେ ହରାଇ ଇଂ.ଗଣେଶ ଦ୍ୱତୀୟଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।ସେ ପୁର୍ତ୍ତ ବିଭାଗର ଜଣେ ସହକାରୀ ଯନ୍ତ୍ରୀ ଚାକିରୀ ଛାଡି ବିଜେପିରୁ ନିଜର କ୍ୟାରିଅର ତିଆରି କରିଛନ୍ତି।ପିଲାଟି ଦିନରୁ ମାଁ ବାପାଛେଉଣ୍ଡ ଏହି ପୁଅ ବହୁ ପ୍ରତିକୂଳ ଅବସ୍ଥାରୁ ଉପରକୁ ଉଠିଛନ୍ତି।ସାଧାରଣ ବର୍ଗ ବସବାସ କରୁଥିବା ଅଞ୍ଚଳରେ ଗମନାଗମନ,ପାନୀୟ ଜଳ,ବିଦ୍ୟୁତ ସେବା ଭଳି ମୌଳିକ ସୁବିଧା ଯୋଗାଇ ଦେବା ଭଳି ବିକାଶ କାମରେ ଇଂ.ଗଣେଶ ରାମସିଂ ଖୁଣ୍ଟିଆଙ୍କ ଯୋଗଦାନହିଁ ତାଙ୍କ ରାଜନୈତିକ ଜୀବନକୁ ଆଗକୁ ବଢାଇବାରେ ସହାୟକ ହୋଇଛି।

ସୂର୍ଯ୍ୟବଂଶୀ ସୂରଜ- ରାଷ୍ଟ୍ରମନ୍ତ୍ରୀ(ସ୍ୱାଧିନ): ଓଡିଶାର ସର୍ବ କନିଷ୍ଠ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସର୍ବ କନିଷ୍ଠ ରାଷ୍ଟ୍ରମନ୍ତ୍ରୀ ଭାବେ ମାନ୍ୟତା ଲାଭ କରିଛନ୍ତି।ବୃତ୍ତିରେ ଜଣେ ଯନ୍ତ୍ରୀ ହୋଇ ମଧ୍ୟ ବହୁ ବଡ ଚାକରୀ ଛାଡି ବାପା ବିଷ୍ଣୁ ସେଠୀଙ୍କୁ ସାହାଯ୍ୟ କରିବାକୁ ଚାକିରୀ ଛାଡି ବାପାଙ୍କ ରାଜନୈତିକ କାର୍ଯ୍ୟରେ ସହଯୋଗର ହାତ ବଢାଇଥିଲେ।ବାପାଙ୍କ ଅକାଳ ବିୟୋଗ ପରେ ୨୦୨୨ ଉପନିର୍ବାଚନରେ ଧାମନଗରରୁ ବିଧାୟକ ହେବା ପରେ ଦ୍ୱତୀୟ ଥର ପାଇଁ ସାଧାରଣ ନିର୍ବାଚନରେ ବିଜୟ ହାସଲ କରିଛନ୍ତି।ବାଲ୍ୟ ଦିନରୁ ଶିଷ୍ଟାଚାର ଭିତରେ ରହି ନିଜର ନିଷ୍ଟା,କର୍ତ୍ତବ୍ୟ,ନେତୃତ୍ୱ ଦକ୍ଷତାରେ ନିପୁଣ ଓ ନିଜର ବାକପଟୁତା ପାଇଁ ସମାଜର ସବୁଠି ଖୁବ ଆଦରଣୀୟ।ବେଲଜିୟମ୍, ହାଇଦ୍ରାବାଦର ଚିଭିଲ ଇଂଜିନିୟର ଓ ଧାମରା ବନ୍ଦର ଯନ୍ତ୍ରୀ ଭଲି ଚାକିରୀ ଛାଡି ରାଜନୀତିରେ ପାଦ ଥାପୁ ଥାପୁ ହିଁ ତାଙ୍କ ନେତୃତ୍ୱର ବାସ୍ନା ମହକି ଉଠିଛି। ଗତ ୨ ବର୍ଷ ଭିତରେ ରାଜ୍ୟ ସରକାରଙ୍କୁ କାଠଗଡାରେ ଛିଡା କରାଇବାରେ ସୂର୍ଯ୍ୟବଂଶୀଙ୍କ ଦକ୍ଷତା ହିଁ ଅଳ୍ପ ବୟସରୁ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ)ଭଳି ଦାୟିତ୍ୱ ମିଳିଛି।ଗତ ୨ ବର୍ଷ ମଧ୍ୟରେ ବିଷ୍ଣୁ ସେଠୀଙ୍କ ପରି ସୂର୍ଯ୍ୟବଂଶୀ ସାରା ଓଡିଶାର ହୃଦୟର ଛାଇ ପରି ସାଇତି ରହିଛନ୍ତି।ସୂର୍ଯ୍ୟବଂଶୀଙ୍କ ଭବିଷ୍ୟତ ଖୁବ ଉଜ୍ଜଳ ମନେହୁଏ।

ପ୍ରଦୀପ ବଳସାମନ୍ତ-ରାଷ୍ଟ୍ରମନ୍ତ୍ରୀ(ସ୍ୱାଧିନ):
ସୁକିନ୍ଦା ଆସନରୁ ଘଡାଇ ପରିବାର ହାତରୁ ଛଡେଇ ଆଣି ପ୍ରଥମଥର ପାଇଁ ବିଧାୟକ ହୋଇଥିବା ପ୍ରଦୀପ ବଳସାମନ୍ତଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ)ଦାୟିତ୍ୱ।ଜମିଦାର ପରିବାର ପ୍ରଦୀପ ଥିଲେ ଜଣେ ଲଢୁଆ ନେତା।ଜିଲ୍ଲା ପରିଷଦ ସଦସ୍ୟରୁ ଆଜି ରାଷ୍ଟ୍ରମନ୍ତ୍ରୀ।ବାରମ୍ବାର ନିର୍ବାଚନ ଲଢି ହାରିଥିବା ପ୍ରଦୀପଯେ ନିଜେ ହାରିନଥିଲେ।ଶେଷରେ ପ୍ରଥମ ଥର ନିର୍ବାଚିତ ହୋଇ ଘଡାଇ ପରିବାରକୁ ପଛରେ ପକାଇଥିବା ଓ ସୁକୁନ୍ଦାକୁ ଆଗାମୀ ଦିନରେ ମଜଭୁତ ରଖିବାକୁ ନେଇ ତାଙ୍କ ଭାଗ୍ୟରେ ଏଭଳି ସୌଭାଗ୍ୟ ମିଳିଥିବା ଆଶା କରାଯାଉଛି।ପ୍ରଦୀପ କଲମ୍ବୋ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରି ଲାଭ କରିଛନ୍ତି।

ଗୋକୁଳାନନ୍ଦ ମଲିକ-ରାଷ୍ଟ୍ରମନ୍ତ୍ରୀ(ସ୍ୱାଧିନ):
ବ୍ଲକ ଅଧ୍ୟଛରୁ ସିଧାସଲଖ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ)ଭାବେ ସେ ବାଜିମାତ ମାରିଛନ୍ତି।୨୦୧୨ ମସିହାରେ ବୁଗୁଡା ବ୍ଲକରୁ ଅଧ୍ୟକ୍ଷ ହେବା ପରେ ବିଧାୟକ ପାଇଁ ବାରମ୍ବାର ଲଢି ହାରିଥିଲେ।ଚଳିତ ସାଧାରଣ ନିର୍ବାଚନରେ ୨୦ ହଜାର ଅଧିକ ଭୋଟପାଇ ସେ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦୀ ଶ୍ରୀକାନ୍ତ ସାହୁଙ୍କୁ ହରାଇ ବିଜୟୀ ହେବା ପରେ ଏହି ମନ୍ତ୍ରୀପଦ ହାସଲ କରି ବୁଗୁଡା ଅଞ୍ଚଳ ପାଇଁ ନୂଆ ପରିଚୟ ଆଣିଛନ୍ତି।

ସମ୍ପଦ ଚନ୍ଦ୍ର ସ୍ୱାଇଁ-ରାଷ୍ଟ୍ରମନ୍ତ୍ରୀ(ସ୍ୱାଧିନ):
ପାରାଦୀପ ଭଳି ବିଧାନସଭା ଆସନରୁ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ ମଧ୍ୟ ବୋନସ ମାର୍କ ପାଇବା ଭଳି ସମ୍ପଦଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ(ସ୍ୱାଧିନ) ଦାୟିତ୍ୱ।ଦିବଙ୍ଗତ ନେତା ଦାମୋଦର ରାଉତଙ୍କ ପରିବାର ହାତରୁ କ୍ଷମତା ଛଡାଇ ନେଇଆସି ପାରାଦୀପକୁ ସୁରକ୍ଷିତ ରଖିବାର ଦୂରଦର୍ଶୀ ଲକ୍ଷ ରଖାଯାଇ ସମ୍ପଦଙ୍କ ଭାଗ୍ୟରେ ପଡିଛି ମନ୍ତ୍ରୀ ପଦ।ଏମବିଏ ଡିଗ୍ରୀ ହାସଲ କରିଥିବା ସମ୍ପଦ କିଛିଦିନ ଚାକିରୀ କରିବା ପରେ ପରିବାରର ବ୍ୟବସାୟ ଆଡେ ମୁହଁ ବୁଲେଇ ଚାକିରୀ ଛାଡିଥିଲେ।କିନ୍ତୁ ପାରାଦୀପର ଖଟିଖିଆ,ଗରୀବ ଓ ଅସହାୟ ପରିବାର ଦୁଃଖରେ ନିଜକୁ ଉତ୍ସର୍ଗୀକୃତ କରି ତାଙ୍କ ବାରମ୍ବାର ସଂଗ୍ରାମର ଫଳ ଶେଷରେ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି ।

ଏହା ଥିଲା ନୂଆ ସରକାର ମନ୍ତ୍ରୀମଣ୍ଡଳର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରମନ୍ତ୍ରୀ ହୋଇଥିବା ‍୧୬ ଜଣଙ୍କ ସଂକ୍ଷିପ୍ତ ପରିଚୟ।ଅବଶ୍ୟ ଖୁବ କମ ଦିନରେ ଅନ୍ତତଃ ପକ୍ଷେ ଆଉ ୪ ଜଣ ଏହି ଭିତରେ ଯୋଡି ହେବେ ।ସୁରମା ପାଢୀଙ୍କ ନାମ ବାଚସ୍ପତି ପାଇଁ ଆଲୋଚନା ହେଉଥିବା ବେଳେ ଉପବାଚସ୍ପତି ସହ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟସଚେତକ ଭଳି ୪ ଜଣ ଦକ୍ଷ ନେତୃତ୍ୱର ଆବଶ୍ୟକତା ରହିଛି।ସେହିପରି ବିରୋଧି ଦଳ ନେତା ଭଳି ଅନ୍ୟ ଦଳ ମଧ୍ୟ ନିଜର ସାମ୍ବିଧାନିକ ପଦ ସୃଷ୍ଟି କରିବେ ।

ବିଜେପିର ନୂତନ ମନ୍ତ୍ରୀମଣ୍ଡଳୀରେ ମନ୍ତ୍ରୀଙ୍କୁ ନିଆଯିବାରେ ବହୁ ଦିଗକୁ ବିଜେପି ଦୂରଦୃଷ୍ଟି ରଖି ମନ୍ତ୍ରୀମଣ୍ଡଳୀ ଗଢିଛନ୍ତି।ଆରମ୍ଭରୁ ହିଁ ବିରୋଧିଙ୍କୁ ସକରାତ୍ମକ ଭାବେ ବିଜେପି ସାଥିରେ ଧରିବା ଭଳି ଉପାୟ ଧରିଛି।ଶିଳ୍ପାଞ୍ଚଳ ଅଞ୍ଚଲର ନେତୃତ୍ୱକୁ ସାଇତି ରଖିବା,ପ୍ରତିପକ୍ଷଙ୍କ ଗଡ ଧ୍ୱଂସ,ନିର୍ବିବାଦିୟ ନେତା,ଦୃଢ ନିପୁଣ ସଂଗଠକ,ଦକ୍ଷ ଓ ସକ୍ଷମ ଭାଗିଦାରତା, ଶିକ୍ଷିତ ଓ ଉଦାରତା ଭଳି ବିଭିନ୍ନ ଦିଗକୁ ବିଚାରକୁ ନେଇ ବିଜେପିର ଏହି ମନ୍ତ୍ରୀମଣ୍ଡଳ ବିଜେପିର ବିକାଶ ଲକ୍ଷରେ ବେଶ୍ ସହାୟକ ହେବ ଏଭଳି କାହିଁକି ଆରମ୍ଭରୁ ହିଁ ବିଚାର କରାଯାଉଛି।
ଫୋନ:୯୪୩୭୪ ୦୫୪୫୫(ଡା.ରାଜାରାମ ଷଡଙ୍ଗୀ)