୧୩ ଦିନରେ ପହଞ୍ଚିଲା ଗଜପତି ଜିଲ୍ଲା ଅମଲାଙ୍କ ଧାରଣା : ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଢ଼ିଲା ମିଳିତ ଅମଲା ମଞ୍ଚ
ପାରଳାଖେମୁଣ୍ଡି:୧୩/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗତ ୧ ତାରିଖ ଠାରୁ ଗଜପତି ଜିଲ୍ଲାରେ ଅମଲା ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ ଧାରଣା ଆଜି 13 ଦିନରେ ପହଞ୍ଚିଛି. ଜିଲ୍ଲାର ସମସ୍ତ ଅମଲା ପାରଳାଖେମୁଣ୍ଡି ଠାରେ ଥିବା ବାଲାଜୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଗୁରୁତ୍ୱପୂର୍ଣ୍ଣ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି. ବୈଠକରେ ପ୍ରାରମ୍ଭ ପୂର୍ବରୁ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ବୈଠକ ପ୍ରାରମ୍ଭରେ ମନୋରଂଜନ ପଟ୍ଟନାୟକ ଅମଲା ମଞ୍ଚର ନେତାମାନଙ୍କୁ ମଞ୍ଚାସୀନ ପାଇଁ ଆମନ୍ତ୍ରଣ କରିଥିବା ବେଳେ ପ୍ରସାଦ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ । ମଞ୍ଚାସୀନ ଥିଲେ ସୁଶୀଳ କୁମାର ପାତ୍ର, ଶଶାଙ୍କ ଶତପଥି, ଶଙ୍କର ଲାଲ ସୋରେନ୍, ଡି.ଚାଲାପତି, କୁରୁମୁନାଥ ରଥ ପ୍ରମୁଖ । ଉକ୍ତ ବୈଠକରେ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅମଲା ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ସେମାନଙ୍କ ଦାବି ପୂରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି I ଏଠାରେ ପ୍ରକାଶ କରାଯାଇପାରେ, ଶିକ୍ଷାଗତ ଯୋଗ୍ୟତା ସ୍ନାତକ କୁ ଭିତ୍ତିକରି ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ମୂଳ ବେତନରେ ଥିବା ଅସଙ୍ଗତିକୁ ଦୂର କରାଯାଇ ଏହାକୁ ୭ ମ ବେତନ କମିଶନ ଙ୍କ ସୁପାରିଶ ଅନୁଯାଇ ଲେଭେଲ ୯ ଅନୁଯାୟୀ ପ୍ରଦାନ କରାଯିବାକୁ ଏକମାତ୍ର ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା l ବିଭିନ୍ନ ମାଧ୍ୟମରେ ଯଥା ୩୦ ଗୋଟି ସାଙ୍ଗଠନିକ ଜିଲ୍ଲା ରୁ ସମ୍ପୃକ୍ତ ଜିଲ୍ଲାପାଳ ଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅମଲା ମାନଙ୍କ ଏକମାତ୍ର ଦାବୀକୁ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା l ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଆଶ୍ୱସନା ନ ପାଇ ବାଧ୍ୟ ହୋଇ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ମୁଖ୍ୟ ଶାସନ ସଚିବଙ୍କୁ ଏକ ୨୧ ଦିନିଆ ଚରମପତ୍ର ଗତ ମଇ ମାସ ୧ ତାରିଖରେ ପ୍ରଦାନ କରିଥିଲେ l ସେଥିରେ ମଇ ମାସ ୨୧ ତାରିଖ ମଧ୍ୟରେ ଦାବୀ ପୂରଣ କରାଯିବାକୁ ସମ୍ମାନୀୟ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରାଯାଇଥିଲା l ନଚେତ ମଇ ମାସ ୨୨ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ଯନ୍ତ ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା କଳା ବ୍ୟାଜ୍ ପରିଧାନ ପୂର୍ବକ କାର୍ଯ୍ୟ କରିବେ ଏବଂ ଦିଆଯାଇଥିବା ସମୟ ସୀମା ମଧ୍ୟରେ ଯଦି ସରକାର ଅମଲା ମାନଙ୍କର ଦାବି ପ୍ରତି ଉଦାସୀନତା ଦେଖାଇବେ, ତେବେ ଜୁନ ମାସ ୧ ତାରିଖ ଠାରୁ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୁହ ଛୁଟି ରେ ଯିବେ ବୋଲି ସରକାରଙ୍କୁ ଅବଗତ କରାଇଥିଲେ l ଏହାସତ୍ତ୍ବେ ମଧ୍ୟ ସରକାରଙ୍କ ତରଫରୁ ଅମଲା ମାନଙ୍କ ଦାବୀ ଉପରେ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇନଥିଲା I ଯାହାର ଫଳ ସ୍ୱରୂପ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ନିଷ୍ପତ୍ତି ଅନୁଯାୟୀ ଓଡିଶାରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ଗତ ଜୁନ ୧ ତାରିଖ ଠାରୁ ସମୁହ ଛୁଟିରେ ଅଛନ୍ତି l ଏହା ମଧ୍ୟରେ ରାଜ୍ଯ ସରକାର ଙ୍କ ସହ ଦୁଇ ଦୁଇ ଥର ଆଲୋଚନା ହୋଇ ସାରିଥିଲେ ମଧ୍ୟ କୌଣସି ପ୍ରକାର ନିଷ୍କର୍ଷ ବାହାରି ପାରି ନାହିଁ l ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ମିଳିତ ମଞ୍ଚର ପ୍ରତିନିଧି ଙ୍କ ସହିତ ଦାବୀ ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପତ୍ର ସଂଖ୍ୟା ୧୬୫୫୩ ତା ୬.୬.୨୦୨୩ ରିଖରେ କର୍ମକର୍ତ୍ତା ଙ୍କୁ ଅବଗତ କରାଯାଇଥିଲା l ଏହି ବୈଠକ ୭ ଜୁନ ୨୦୨୩ ଦିବା ୧୨.୪୫ ମିନିଟ କୁ ସମୟ ଧାର୍ଯ୍ୟ କରାଯାଇଥିଲା l ମିଳିତ ଅମଲା ମାନଙ୍କ ପ୍ରତିନିଧି ମାନେ ଧାର୍ଯ୍ୟ ସମୟରେ ପତ୍ର ଦିଆଯାଇଥିବା ସ୍ଥାନରେ ଉପସ୍ଥିତ ହୋଇ ବୈଠକରେ ଯୋଗ ଦେଇଥିଲେ l ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଅମଲା ମାନଙ୍କ ଦାବୀ ସମ୍ପର୍କରେ କୌଣସି ପ୍ରକାର ଆଲୋଚନା କୁ ନ ଯାଇ ପ୍ରତିନିଧି ମାନଙ୍କୁ କେବଳ ଧମକ ଚମକ ଦେଇ ଭୟଭୀତ କରିଥିଲେ l ଅମଲା ମାନଙ୍କ ପ୍ରତିନିଧି ମାନେ ମୁଖ୍ୟ ଶାସନ ସଚିବଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ଯ ସେ ବୁଝିବାକୁ ପ୍ରସ୍ତୁତ ନ ଥିଲେ l ଏହା ଅମଲା ପ୍ରତିନିଧି ମାନଙ୍କ ମନରେ ଗଭୀର ଆଘାତ ଆଣିଥିଲା ଏବଂ ନିରାଶ ହୋଇ ସେମାନେ ବିନା କୌଣସି ଆଲୋଚନା ପ୍ରତିଶ୍ରୁତି ରେ ଫେରି ଆସିଥିଲେ l ଏହା ପ୍ରଘଟ ହେବା ପରେ ମୁଖ୍ୟ ଶାସନ ସଚିବଙ୍କ ଏତାଦୃଶ୍ୟ ମନୋଭାବ ବିରୁଦ୍ଧରେ ସାରା ଓଡିଶାରେ ଅମଲା ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଆନ୍ଦୋଳନ କୁ ଜୋରଜାର କରାଯିବା ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବା ଉପରେ ସମସ୍ତ ୩୦ ଗୋଟି ଜିଲ୍ଳାରୁ ମତ ପ୍ରକାଶ ପାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ କରିବା ପାଇଁ ବହୁମତ ପ୍ରକାଶ ପାଇଥିଲା ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଅମଲା ମାନଙ୍କ ଆନ୍ଦୋଳନ ପାଇଁ ଜିଲ୍ଲା ମାନଙ୍କରେ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଶୀଘ୍ର ସମାଧାନ କରିବା ପାଇଁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି l ଏହି ବୈଠକରେ ଲିଗାଲ ସେଲ୍ ଓ ଭିକ୍ଟିମାଇଜ କମିଟି ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।