May 13, 2025

ଉମରକୋଟ ରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ନାହାଁନ୍ତି ଶିଶୁ ବିଶେଷଜ୍ଞ ଡାକ୍ତର…………

Share

 

 

ଉମରକୋଟ:- (ଏମ.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । ଡାକ୍ତରଖାନାରେ ଶିଶୁ ବିଶେଷଜ୍ଞ ଡାକ୍ତର ନଥିବାରୁ ହନ୍ତସନ୍ତ ରୋଗୀ । ବ୍ଲକରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟ ସେବା । ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଏଠାରେ ଥିବା ସରକାରୀ ଡାକ୍ତରଖାନା ଗୁଡିକୁ ଆଧୁନୀକକରଣ କରିବା ସହ ଆବଶ୍ୟକ ଅନୁଯାୟୀ ସମସ୍ତ ପ୍ରକାର ଅତ୍ୟାଧୁନିକ ସରଞ୍ଜାମ ଯୋଗାଇ ଦେଇଛନ୍ତି ସରକାର। ତେବେ ବିଶେଷଜ୍ଞ ଅଭାବରୁ ଏବେ ଅବ୍ୟବସ୍ଥା ଘେରରେ ରହିଛି ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ। ଏହି ଡାକ୍ତରଖାନା ଉପରେ ମୁଖ୍ୟତଃ ୪ ଟି ବ୍ଲକବାସୀ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭରଶୀଳ । କିନ୍ତୁ ଏଠାରେ ଫେଲମାରିଛି ସ୍ବାସ୍ଥ୍ୟସେବା । ରୋଗୀଙ୍କ ଚିକିତ୍ସା ପାଇଁ ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି ଭଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ମଧ୍ୟ ବିଶେଷଜ୍ଞ ଡାକ୍ତର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ବିଶେଷଜ୍ଞ ଡାକ୍ତର ଅଭାବରୁ ରୋଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ରେଫର୍ ହୋଇ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ କୁ ଆସୁଥିବା ବେଳେ ଏଠାରେ ମଧ୍ୟ ସମାନ ଅବସ୍ଥା। ଏଠାରେ ଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ପଣ୍ଡା ପଦୋନ୍ନତି ପାଇ ବଦଳି ହୋଇ ଯିବାପରେ ଖାଲି ପଡିଥିବା ପଦବୀ ପୂରଣ ହୋଇପାରୁନାହିଁ। ଯାହାଫଳରେ ନବଜାତ ଶିଶୁ ଯତ୍ନ କେନ୍ଦ୍ର (SNCU) ଓ ପୃଷ୍ଟି ପୁନର୍ବାସ କେନ୍ଦ୍ର (NRC) ପରିଚାଳନା ରେ ଅନେକାଂଶରେ ସମସ୍ୟା ସୃଷ୍ଟି ହେଉଛି। ସେହିପରି ଅସ୍ଥିଶଲ୍ୟ ବିଶେଷଜ୍ଞ, ମେଡ଼ିସିନ୍, ସର୍ଜରୀ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି। ବିଶେଷଜ୍ଞ ଡାକ୍ତର ଅଭାବରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ରୋଗୀଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ପୁଣି ଏଠାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ସେଠାରୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ସେଠାରୁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜ କିମ୍ବା ବିଶାଖାପାଟଣା ଘୋରଇ ମେଡିକାଲ କୁ ରେଫର୍ କରାଯାଉଥିବା କିଛି ନୂଆ କଥା ନୁହେଁ। ଡାକ୍ତର ଅଭାବରୁ ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ଓ ସମ୍ପର୍କୀୟ ଗୋଟିଏ ପରେ ଗୋଟିଏ ମେଡିକାଲ ବୁଲି ବୁଲି ସେବାରୁ ବଞ୍ଚିତ ଅନେକ ଉପାନ୍ତ ଅଞ୍ଚଳର ଗରିବ ଲୋକେ ସ୍ବାସ୍ଥ୍ୟସେବା ପାଇଁ ବାଧ୍ୟ ହୋଇ କ୍ବାକ ଭରସାରେ ନିଜ ଜୀବନକୁ ବାଜି ଲଗାଉଛନ୍ତି ନଚେତ୍ ଚିକିତ୍ସା ଅଭାବରୁ ଦୂର ଦୁରାନ୍ତକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ ତ ଆଉ କିଏ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତେବେ ନୂତନ ସରକାର ଗଠନର ଵର୍ଷେ ବିତାଇବାକୁ ଯାଉଛି କିନ୍ତୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇପାରୁନାହିଁ।

ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ନେଇ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ଗଭୀର ଉଦବେଗ ପ୍ରକାଶ କରିବା ସହିତ ତୁରନ୍ତ ସମାଧାନ କରିବା ପାଇଁ ଦାବି କରିଛନ୍ତି।

You may have missed